ଆସିକା ପୋଲିସର ଅପରେସନ୍ ସାଇବର କବଚ ଅଭିଯାନ: ମ୍ୟୁଲ୍ ଆକାଉଣ୍ଟ କାରବାର ଅଭିଯୋଗରେ ୨ ଗିରଫ
ଆସିକା (ୱାଇଏନ୍ଏସ୍): ସାଇବର ଅପରାଧ ଉପରେ ରୋକ୍ ଲଗାଇବା ପାଇଁ ଆରମ୍ଭ ହୋଇଥିବା ଅପରେସନ୍ ସାଇବର କବଚ ଅଭିଯାନ ସାରା ରାଜ୍ୟରେ ଜାରି ରହିଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ୍ ବାହାଦୁର ଖୁରାନିଆଙ୍କ ପରାମର୍ଶ ଏବଂ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ଓ ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ନେତୃତ୍ୱରେ ଆସିକା ପୋଲିସ ପକ୍ଷରୁ ଅପରେସନ୍ ସାଇବର କବଚ ଅଭିଯାନକୁ ଶତ ପ୍ରତିଶତ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ମ୍ୟୁଲ୍ ଆକାଉଣ୍ଟ ଖୋଲି ବେଆଇନ ଭାବେ ଟଙ୍କା କାରବାର କରିଥିବା ଅଭିଯୋଗରେ ଆସିକା ପୋଲିସ ପୂର୍ବରୁ ୬ ଜଣଙ୍କୁ ଗିରଫ କରିଥିଲା ଗତ ୧୧ ତାରିଖ ଦିନ ଆସିକା ଥାନା କେସ୍ ନମ୍ବର ୯୫/୨୦୨୬ ରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମର ଯୋଗେନ୍ଦ୍ର ବେହେରା ଏବଂ ବେଲଗୁଣ୍ଠା ଥାନା ଅନ୍ତର୍ଗତ ନାୟକପଡା ଗ୍ରାମର ମନୋଜ କୁମାର ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଏହି ଘଟଣାରେ ଗିରଫ ଦୁଇ ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା ବେଳେ ସେମାନେ ୨୦୨୪-୨୫ ଆର୍ଥିକ ବର୍ଷରେ ବେଆଇନ ବ୍ୟାଙ୍କ ଖାତା ଖୋଲି ୧୮ ଲକ୍ଷ ଟଙ୍କା କାରବାର କରିଛନ୍ତି ବୋଲି ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁ ସୂଚନା ଦେଇଛନ୍ତି । ଆସିକା ପୋଲିସ ପକ୍ଷରୁ ଜାରି ରହିଥିବା ଅପରେସନ୍ ସାଇବର କବଚ ଅଭିଯାନକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।


