ବାଲି ପରିବହନକୁ ଗ୍ରାମବାସୀଙ୍କ ବିରୋଧ: ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ପାଇଁ ପୋଲିସର ପ୍ରତିଶ୍ରୁତି

ନାଉଗାଁ,(ଓ୍ବାଇଏନଏସ):ଦେବୀନଦୀର କୂଳରୁ ବାଲି ଉଠା ଯାଇ ଡାହାଣିଖିଆ ଗ୍ରାମ ଦେଇ ବାଲି ପରିବହନ ବେଳେ ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ଡାହାଣିଖିଆ ଗ୍ରାମର ଗ୍ରାମବାସୀ ବିରୋଧ କରିଛନ୍ତି। ସୋମବାର ସଂଧ୍ୟାରେ ଏହି ଗାଁ ରାସ୍ତା ଦେଇ ବାଲି ପରିବହନ ହେଉଥିବା ବେଳେ ଗ୍ରାମବାସୀମାନେ ବାଲି ଗାଡିକୁ ଘେରି ଯାଇ ବାଲି ପରିବହନକୁ ବନ୍ଦ ରଖିଥିଲେ। ଘଟଣାସ୍ଥଳରେ ଥାନାଧିକାରୀ ଦେବାଶୀଷ ପଣ୍ଡା ପହଂଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହିତ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ନ ହେବା ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାରେ ବାଲି ପରିବହନକୁ ବନ୍ଦ ରଖିଛନ୍ତି। ସୂଚନାଯୋଗ୍ୟ ଏବିଷୟରେ ଗତ ୨୦୨୬ ଫେବୃଆରୀ ୨୪ରେ ଉକ୍ତ ତହସିଲ ଅଧିନ ଗାରୋଇ ଓ ପଡାଗ୍ରାମ ଡାହାଣିଖିଆ ଗ୍ରାମବାସୀ ଉଭୟ ଜଗତସିଂହପୁର ଓ ପୁରୀ ଜିଲ୍ଲାପାଳଙ୍କ ସମେତ ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ, ଜଗତସିଂହପୁର ବିଧାୟକ, ଜଗତସିଂହପୁର ସାଂସଦଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇଙ୍କୁ ଦେବୀନଦୀରେ ଥିବା ବାଲି ସୈରାତ ବୁଲି ଦେଖିଥିଲେ। ନାଉଗାଁ ତହସିଲ ଅନ୍ତର୍ଗତ ଗାରୋଇ ଓ ପଡାଗ୍ରାମ ଡାହାଣିଖିଆ ଗ୍ରାମବାସୀ ବିଦ୍ୟାଧର ପରିଡା, ପାଣ୍ଡବ ସାହୁ, ଆଲୋକ ପାଳ, କୋରୁଅ ସମିତି ସଭ୍ୟ ପପୁରଂଜନ ମଲିକ,କୃପାସିନ୍ଧୁ ଦାସ, ସୁଶାନ୍ତ ପରିଡା ଆଦିଙ୍କ ଅଭିଯୋଗ ମୁତାବକ ଏହି ରାଜସ୍ୱ ଗ୍ରାମ ଓ ପଡାଗ୍ରାମରେ ୭ଟି ୱାର୍ଡ ରହିଥିବା ବେଳେ ଅଢେଇ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଆମ ଗ୍ରାମଟି ପୁରୀ ଜିଲ୍ଲା ସୀମାବର୍ତି ଗ୍ରାମ ହୋଇଥିବା ବେଳେ ଏହାର ପୂର୍ବରେ ଅସ୍ତରଙ୍ଗ ତହସିଲ ଓ ଦକ୍ଷିଣରେ କାକଟପୁର ତହସିଲ ଅଂଚଳ ସଂଲଗ୍ନ ରହିଛି। ୨୦୧୭ ମସିହାରୁ ବାଲି ମାଫିଆମାନେ ଏହି ପଠାରୁ ବାଲି ଉଠାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ଆମ ଗ୍ରାମବାସୀମାନେ ବିରୋଧ କରିବାରୁ ବାଲି ଉଠାଇବା ପାଇଁ ସେମାନେ ସକ୍ଷମ ହୋଇ ପାରୁନାହାନ୍ତି। ଚଳିତ ବର୍ଷ ବାଲି ମାଫିଆ ଆମ ଗ୍ରାମର ମୁଖ୍ୟରାସ୍ତାରୁ ପଠାକୁ ଗଡିବା ପାଇଁ ଏକ ରାସ୍ତା ନିର୍ମାଣ କରିବା ଆରମ୍ଭ କରିଥିଲେ। ଯାହାକୁ ଆମେ ଦୃଢ ବିରୋଧ କରିଥିଲୁ। ଉକ୍ତ ଘାଟକୁ ସେମାନେ ଲିଜ୍ ନେଇଥିବା କହିଥିଲେ। କିନ୍ତୁ ସରକାରୀ ନିୟମ ଅନୁସାରେ ଏହି ବାଲିଘାଟ ପାଇଁ କୌଣସି ଜନଶୁଣାଣି କିମ୍ବା ଗ୍ରାମସଭା ହୋଇନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ମହାବାତ୍ୟା ପରେ ନଦୀକୁ ସଂଲଗ୍ନ କରୁଥିବା ଗୋଚର ଓ ଅନାବାଦୀ ଜମିରେ ପ୍ରାୟ ୧୦ଏକରରୁ ଉର୍ଦ୍ଧ୍ୱ ହେବ ଜମିରେ ଆମ ଗ୍ରାମବାସୀଙ୍କ ଉଦ୍ୟମରେ ବୃକ୍ଷରୋପଣ କରାଯାଇଛି। ସେହିପରି ଚଳିତ ବର୍ଷ ‘ମା ପାଇଁ ଗଛଟିଏ’ ଯୋଜନାରେ ମଧ୍ୟ ବୃକ୍ଷରୋପଣ କରାଯାଇଛି। ଏହି ସ୍ଥାନଟି ଏକ ପର୍ଯ୍ୟଟନୀସ୍ଥଳି ରୂପେ ସ୍ଥାନୀୟ ଲୋକ ଓ ବାହାର ସ୍ଥାନରୁ ଜନସାଧାରଣମାନେ ବଣଭୋଜି କରିବା ପାଇଁ ସେଠାକୁ ଆସିଥାନ୍ତି। ଯଦି ଉକ୍ତ ସ୍ଥାନରେ ବାଲି ସୈରାତଟି ନିଲାମ ପ୍ରଦାନ କରାଯାଇଥାଏ ତେବେ ବାଲି ଉତୋଳନ ଫଳରେ ନଦୀର ଦିଗ ପରିବର୍ତନ ହେବା ସହିତ ଭବିଷ୍ୟତରେ ଆମ ଗ୍ରାମଟି ଦେବୀନଦୀରେ ଲୀନ ହେବାର ସମ୍ଭାବନା ମଧ୍ୟ ରହିଛି। ଆମ ଗ୍ରାମ ଦେଇ ଯାଇଥିବା ରାସ୍ତାରେ ପ୍ରତ୍ୟେହ ଭାରିଯାନ ଗଲେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିବ। ଯାହାଫଳରେ ଆମ ପିଲା କିମ୍ବା ଗ୍ରାମବାସୀ ବାହରକୁ ବାହାରି ପାରିବୁନାହିଁ। ସମସ୍ତ ବିଷୟକୁ ବିଚାର କରାଯାଇ ନିଲାମ ପ୍ରଦାନ କରାଯାଇଥିବା ବାଲି ସୈରାତରୁ ବାଲି ଉଠାଣ ବନ୍ଦ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ