ବିଜୁ-ନବୀନ ଫାଉଣ୍ଡେସନ୍‌ ଗଠନ: ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା

କଟକ, (ଓ୍ବାଇଏନଏସ): “ବିଜୁ ନବୀନ ଇନ୍‌ସ୍ପିରେସନାଲ୍ ଫାଉଣ୍ଡେସନ୍’ ନାମକ ଏକ ଟ୍ରଷ୍ଟର ଗଠନ, ଏହାର ଆର୍ଥିକ ଉତ୍ସ ଏବଂ କାର୍ଯ୍ୟକଳାପର ନିରପେକ୍ଷ ତଦନ୍ତ ଦାବି କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରଯାଇଛି । ଟ୍ରଷ୍ଟର ପାଣ୍ଠି ସଂଗ୍ରହ ଓ ଏହାର ପରିଚାଳନା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ କୌଣସି ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହାର ଆର୍ଥିକ ଏବଂ ଫୋରେନ୍ସିକ ଅଡିଟ୍ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆଇନଜୀବୀ ଶିବଶଙ୍କର ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି । ସେ ପିଟିସନ୍ରେ ଦର୍ଶାଇଛନ୍ତି ଯେ, ଏହି ଟ୍ରଷ୍ଟ ୨୦୨୫ ମେ ୯ରେ ନୂଆଦିଲ୍ଲୀରେ ପଞ୍ଜୀକୃତ ହୋଇଥିଲା । ଏହା ଶିକ୍ଷା, ପରିବେଶ, ସ୍ୱାସ୍ଥ୍ୟ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି କ୍ଷେତ୍ରରେ କାମ କରିବା ପାଇଁ ଗଠନ ହୋଇଥିବା କୁହାଯାଇଛି । ଏହି ଟ୍ରଷ୍ଟର ସଭାପତି ଭାବେ ଭି. କାର୍ତ୍ତିକେୟ ପାଣ୍ଡିଆନ, ସମ୍ପାଦକ ଭାବେ ସନ୍ତୃପ୍ତ ମିଶ୍ର ଏବଂ ଟ୍ରଷ୍ଟି ଭାବେ ପୂର୍ବତନ ଆଡ୍ଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ରହିଛନ୍ତି। ସେମାନେ ଏକ ନିର୍ଦ୍ଦିଷ୍ଟ ଆଞ୍ଚଳିକ ରାଜନୈତିକ ଦଳ ସହ ଜଡ଼ିତ ଥିବାରୁ ଟ୍ରଷ୍ଟର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଯାଇଛି । ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) କିମ୍ବା କେନ୍ଦ୍ରୀୟ ସଂସ୍ଥା (ସିବିଆଇ/ ଇଡି) ଭଳି ତଦନ୍ତକାରୀ ସଂସ୍ଥା ଦ୍ୱାରା ଟ୍ରଷ୍ଟ ପାଣ୍ଠିର ଉତ୍ସ ଯାଞ୍ଚ କରିବା, ଟ୍ରଷ୍ଟର ଆକାଉଣ୍ଟ ଏବଂ ଦାତାଙ୍କ ତାଲିକାର ଏକ ସମ୍ପୂର୍ଣ୍ଣ ଆର୍ଥିକ ତଦନ୍ତ (ଫୋରେନ୍ସିକ୍ ଅଡିଟ୍) କରିବା, ଏହି ସଙ୍ଗଠନ ନିର୍ବାଚନ ଆଚରଣବିଧି କିମ୍ବା ଅନ୍ୟ କୌଣସି ଆଇନର ଉଲ୍ଲଘଂନ କରୁଛି କି ନାହିଁ ତାହାର ତଦନ୍ତ କରାଯିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏ ମାମଲାରେ ଗୃହ ବିଭାଗ ସଚିବ, ପୁଲିସ୍ ଡିଜି, ଇଓଡବ୍ଲୁର ଡିଆଇଜି, ସିବିଆଇ ଏସ୍ପି, ବିଜୁ-ନବୀନ ଟ୍ରଷ୍ଟ ସମ୍ପାଦକଙ୍କୁ ପକ୍ଷଭୁକ୍ତ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ