ଆସିକା ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ

ଆସିକା  (ୱାଇଏନ୍‍ଏସ୍‍) : ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ଏନ୍‌ଏସି ଅଧିନସ୍ଥ ତାଲୁକା ରୋଡ ସ୍ଥିତ ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ ଗୁରବାର ଠାରୁ ବାସନ୍ତିକ ନବରାତ୍ର ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ଚୈତ୍ର ମାସ ଶୁକ୍ଳ ପ୍ରତିପଦାଠାରୁ ଆସିକାର ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଥିଲା ବେଳେ ଏହା ନବମୀ ତିଥି ପର୍ଯ୍ୟନ୍ତ ଚାଲିବାର ବିଧି ବ୍ୟବସ୍ଥା ରହିଥିବା ଜଣାପଡିଛି । ବାସନ୍ତିକ ନବରାତ୍ର ପୂଜା ଅବସରରେ ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି । ଏହି ବାସନ୍ତିକ ନବରାତ୍ର ପୂଜାକୁ ଆସିକା ଅଞ୍ଚଳର ଜଣାଶୁଣା ବିଦ୍ୱାନ ପଣ୍ଡିତ ରତ୍ନାକର ଦାଶ, ହିମାଂଶୁ ଶେଖର ସାମନ୍ତରା, ସୀତାରାମ ଦାଶ, ମନ୍ଦିର ପରିଚାଳକ ଦୁଃଖୀଶ୍ୟାମ ଦାଶ ସୁପରିଚାଳନା କରୁଥିବା ବେଳେ ମା’ ବୈଷ୍ଣୋଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ସାଂନ୍ଧ୍ୟ ଆଳତୀ ସମୟରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଅତିମାତ୍ରାରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ମା’ ବୈଷ୍ଣୋଦେବୀଙ୍କ ମହିମା ଯୁଗେ ଯୁଗେ ବର୍ଣ୍ଣନାତୀତ । ବର୍ଷକର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ମା’ ବୈଷ୍ଣୋଦେବୀଙ୍କ ପୀଠରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ଏହି ନବରାତ୍ରୀର ପ୍ରଥମ ରାତ୍ରୀରେ ଶୈଳପୁତ୍ରୀ ରୂପେ ମା’ ପୂଜିତ ହୋଇଥିଲା ବେଳେ ଦ୍ୱିତୀୟ ରାତ୍ରୀରେ ବ୍ରହ୍ମଚାରିଣୀ, ତୃତୀୟ ରାତ୍ରୀରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ରାତ୍ରୀରେ କୁଷ୍ମାଣ୍ଡ, ପଞ୍ଚମ ରାତ୍ରୀରେ ସ୍କନ୍ଦମାତା, ଷଷ୍ଠ ରାତ୍ରୀରେ କାତ୍ତ୍ୟାୟିନୀ, ସପ୍ତମ ରାତ୍ରୀରେ କାଳରାତ୍ରୀ, ଅଷ୍ଟମ ରାତ୍ରୀରେ ମହାଗୌରୀ ଓ ନବମ ରାତ୍ରୀରେ ସିଦ୍ଧରାତ୍ରୀ ରୂପେ ପୂଜିତ ହୋଇଥାନ୍ତି । ମା’ ବୈଷ୍ଣୋଦେବୀଙ୍କ ଅନେକ ମହିମା ରହିଛି । ଏହି ପୀଠରେ ଭକ୍ତ ଯଦି ନିଜ ହୃଦୟରେ ମା’ଙ୍କୁ ଡାକିଥାଏ ଓ ମନ୍ଦିର ପରିସରରେ ଦୀପଟିଏ ଜଳାଇଥାଏ ତାହା ହେଲେ ମା’ ବୈଷ୍ଣୋଦେବୀ ନିଶ୍ଚିତ ଭାବେ ଭକ୍ତର ମନକଥା ଶୁଣିଥାନ୍ତି ବୋଲି ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ