ଅବ୍ୟବସ୍ଥା ଭିତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ହାଟଡିହି,(ଓ୍ବାଇଏନଏସ): ହାଟଡିହି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏଥିପାଇଁ ଗତକାଲି ବ୍ଲକ ପକ୍ଷରୁ ଡକାଵାଜି ଯନ୍ତ୍ର ଯୋଗେ ସମସ୍ତଙ୍କୁ ସକାଳ ୧୦ଟା ବେଳେ ଆସିବାକୁ ସୂଚନା ଦିଆ ଯାଇଥିବା ବେଳେ ଆଜି ସକାଳୁ ଶହ ଶହ ଭିନ୍ନକ୍ଷମ ଆସି ବ୍ଲକ ପରିସରରେ ପହଞ୍ଚିଥିଲେ ବି ଡାକ୍ତରଙ୍କ ଦେଖା ନଥିଲା। ଜଣେ ଡାକ୍ତର ୧୦ ଟା ୩୦ରେ ପହଞ୍ଚିଥିବା ବେଳେ ଅନ୍ୟ ଡାକ୍ତରମାନେ ଦିନ ୧୨ଟାରେ ପହଞ୍ଚିଥିଲେ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଶିବିରରେ ମୋଟ ୧୮୬ଜଣଙ୍କୁ କାଉନସିଲିଂ କରାଯାଇଥିଲା। ଏହି ଶିବିରରେ କେନ୍ଦୁଝର ଡାକ୍ତରଖାନାରୁ ଆସିଥିବା ଡାକ୍ତର କିଶାନ ମଲ୍ଲିକ, ଉଦୟ ଭାସ୍କର ପଣ୍ଡା, ଡାକ୍ତର ନିହାର ରଞ୍ଜନ ରଥ, ଡାକ୍ତର ସଞ୍ଜୟ ବେହେରା, ଡାକ୍ତର ମନୋଜ କୁମାର ମହାନ୍ତ ପ୍ରମୁଖ ଯୋଗଦେଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ପ୍ରମାଣପତ୍ର ଦେବାପାଇଁ ପାଇଁ ସୁପାରିସ କରିଥିଲେ । ହାଟଡିହି ବିଡିଓ ରଞ୍ଜନ କୁମାର ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସ୍ବାତିଶ୍ରୀ ସିଂ, ସହକାରୀ ଏସ୍ ପ୍ରତୀକ ଆନନ୍ଦ, ରାଜେଶ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିବା ବେଳେ ବ୍ଲକ୍ କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।


