ଜଗନ୍ନାଥପୁର ମା’ବାସନ୍ତୀକଦୁର୍ଗା ପୂଜାରେ କଳସ ଯାତ୍ରା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର- ପାରାଚକ ଗ୍ରାମରେ ମା’ ବାସନ୍ତୀକ ଦୁର୍ଗାଦେବୀଙ୍କ ୭୪ତମ ବାର୍ଷିକ ପୂଜା ଉତ୍ସବ ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ଷଷ୍ଠାଧିକଳ୍ପାରମ୍ଭ, ବିଲ୍ୱାଧିବାସ ଓ ଦେବୀ ଆମନ୍ତ୍ରଣ କରାଯାଇଥିଲା। ଏହି ଉପଲକ୍ଷେ ସପ୍ତମୀ ତିଥିରେ ବିଲ ବଳରାମପୁର ଲୁଣାନଦୀ ଘାଟରୁ ଜଗନ୍ନାଥପୁର, ପାରାଚକ ଓ ଆଖପାଖ ଗ୍ରାମର ମା’ଓ ଭଉଣୀମାନେ ୧୭୨ଟି କଳସୀରେ ଜଳଆଣି ଏକ ଶୁଶୋଭିତ ଶୋଭାଯାତ୍ରାରେ ମା’ବାସନ୍ତୀକ ପୂଜାସ୍ଥଳକୁ ଆସିଥିଲେ। ଏହି କଳସ ଶୋଭାଯାତ୍ରାର ସର୍ବାଗ୍ରେ ଏକ ସୁସଜ୍ଜିତ ବିମାନରେ ଥିବା ମା’ଙ୍କ ନବପତ୍ରିକା ବିମାନକୁ ୪ଜଣ କାନ୍ଧେଇଥିବା ବେଳେ ଏହାପଛକୁ ମୁଖ୍ୟକଳସ, ନବପତ୍ରିକା କଳସ, ବର୍ଦ୍ଧନୀ କଳସ, ବିନାୟକ କଳସ ଓ ଲକ୍ଷ୍ମୀନାରାୟଣ କଳସକୁ ମୁଣ୍ଡାଇ ଜଣେ ଜଣେ ଗ୍ରାମବାସୀ ଚାଲୁଥିଲେ। ଏହାପଛକୁ ମା ଓ ଭଉଣୀମାନେ କଳସୀ ଧରି ପଛକୁ ପଛ ଏକ ଲମ୍ବା ଧାଡିରେ ହୂଳହୋଳି ଓ ହରିବୋଲ ପକାଇ ଚାଲିଥିଲେ। ଏହି କଳସ ଶୋଭାଯାତ୍ରା ବିଲବଳରାମପୁର ଲୁଣାନଦୀ ଘାଟରୁ କଚେରିପଡା, କଦମ୍ବମୂଳ, ଜଗନ୍ନାଥପୁର ଦେଇ ପ୍ରାୟ ୨ଘଣ୍ଟା ପରେ ପୂଜା ସ୍ଥଳରେ ପହଞ୍ଚିଥିଲା। ଏହି ରାସ୍ତାର ପ୍ରତି ଘର ଦ୍ୱାରମୁହଁରେ ଝୋଟି ଚିତା ପଡିଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକମାନେ ମୁଖ୍ୟକଳସ ଧରି ଆସୁଥିବା ଭକ୍ତଙ୍କ ସମେତ ଅନ୍ୟମାନଙ୍କ ଗୋଡକୁ ହଳଦିପାଣିରେ ଧୋଇ ଦେଉଥିବା ଦେଖାଯାଇଥିଲା। ସମସ୍ତ ଗ୍ରାମବାସୀ ମା’ବାସନ୍ତୀକ କଳସ ଶୋଭାଯାତ୍ରାକୁ ଭକ୍ତିର ସହ ସ୍ୱାଗତ କରୁଥିବା ଦେଖାଯାଇଥିଲା। ବୁଧବାର କଳସ ଶୋଭାଯାତ୍ରା ପୂଜା ସ୍ଥଳରେ ପହଞ୍ଚିବା ପରେ ନବପତ୍ରିକା ପ୍ରବେଶ, ଘଟସ୍ଥାପନ, ସପ୍ତମୀ ବିହିତ ମହାସ୍ନାନ, ଦେବୀଙ୍କ ଚକ୍ଷୁଦାନ ଓ ପ୍ରାଣପ୍ରତିଷ୍ଠା କରାଯିବା ପରେ ମହାସପ୍ତମୀ ପୂଜା ଅବସରରେ ସପ୍ତମୀ ବିହିତ ପୂଜା ଓ ଚଣ୍ଡୀପାଠ କରାଯାଇଛି। ଏହି ପୂଜାକୁ ମୁଖ୍ୟ ପୂଜକ ଉମାଶଙ୍କର ପତି ଓ ଅନ୍ୟମାନେ ନିର୍ବାହ କରୁଛନ୍ତି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଫନ୍ ଆଣ୍ଡ ଲର୍ନ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ମହାଷ୍ଟମୀ ଓ ସନ୍ଧିପୂଜା କରାଯିବ ବୋଲି ପୂଜା କମିଟି ସଭାପତି ଦୀପକରଞ୍ଜନ ସ୍ୱାଇଁ, ସମ୍ପାଦକ କୈଳାସ ଚନ୍ଦ୍ର ନାୟକ ଓ ମୁଖ୍ୟ ଉପଦେଷ୍ଟା ଶିକ୍ଷାବୀତ ନିଳମଣୀ ସ୍ୱାଇଁ ପ୍ରମୁଖ ଜଣାଇଛନ୍ତି।


