ଶ୍ରୀରାମ ନବମୀ ମହୋତ୍ସବ ଆରମ୍ଭ: ୧୦୮ କଳସ ଶୋଭାଯାତ୍ରା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତସ୍ଥିତ ମହୋତ୍ସବ ପଡିଆ ଠାରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ହିନ୍ଦୁ ଜାଗରଣ ମଞ୍ଚ ବନ୍ତ ପ୍ରଖଣ୍ଡ ପକ୍ଷରୁ ପ୍ରଥମ ଥର ପାଇଁ ଶ୍ରୀରାମ ନବମୀ ମହୋତ୍ସବ ଆରମ୍ଭ ହୋଇଛି । ପ୍ରାରମ୍ଭରେ ବନ୍ତସ୍ଥିତ ମଳିକ ପୁଷ୍କରିଣୀରୁ ମହିଳା ମାନେ ୧୦୮ କଳସ ଧାରଣ କରି ବଜାର ପରିକ୍ରମା କରି ବିରିଗଢିଆ ମଠସ୍ଥିତ ନୃସିଂହ ନାରାୟଣ ମନ୍ଦିର ଠାରେ ପହଞ୍ôଚବା ପରେ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ରାତିରେ ଆଜ୍ଞାମାଳ ଅଣାଯାଇ ମହୋତ୍ସବ ପଡିଆ ଠାରେ ପ୍ରଭୁ ଶ୍ରୀରାମଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଚାଲିବ । ଏହି ପୂଜା ୩ ଦିନ ଧରି ଚାଲିବାକୁ ଥିବା ବେଳେ ଗୁରବାର ସାମୂହିକ ହନୁମାନ ଚାଳିଶା ପାଠ ଓ ପ୍ରବଚନ, ଶୁକ୍ରବାର ବିଶାଳ ନଗର ସଂକୀର୍ତ୍ତନ ଏବଂ ଶନିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କଳସ ଶୋଭାଯାତ୍ରା ଓ ପୂଜା କାର୍ଯ୍ୟରେ ରାଜ୍ୟ ବିଜେପିର ପୂର୍ବତନ ସଙ୍ଗଠନ ମନ୍ତ୍ରୀ ପଞ୍ଚାନନ ରାଉତ, ଭଦ୍ରକ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ଇଂ.ପ୍ରୟାସକାନ୍ତି ସାମଲ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଶ୍ରୀରାମ ନବମୀ ମହୋତ୍ସବ କମିଟିର ସଭାପତି ଲମ୍ବୋଦର ପଣ୍ଡା, ସମ୍ପାଦକ ତଥା ବିଶ୍ୱ ହିନ୍ଦୁ ପରିଷଦ ବନ୍ତ ପ୍ରଖଣ୍ଡର ସଭାପତି ଫାଲ୍ଗୁନି ରାଉତ, ସହ ସମ୍ପାଦକ ଅଶୋକ ବେହେରା, ବଜରଙ୍ଗ ଦଳର ବନ୍ତ ପ୍ରମୁଖ ସୂରଜ ଶେଖର ଗୋସ୍ୱାମୀ, ଛାତ୍ର ପ୍ରମୁଖ ଜୟଦେବ ମହାରାଜ, ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତା ମଳୟ କୁମାର ପଣ୍ଡା, ସୁରକ୍ଷା ପ୍ରମୁଖ ବିବେକ ଜେନା, ରାଜେଶ ଜେନା, ହରିହର ଜେନା, ଗୋରକ୍ଷା ପ୍ରମୁଖ କ୍ଷୀରୋଦ ନାୟକଙ୍କ ସମେତ ଅନ୍ୟ ମାନେ ସାମିଲ ଥିଲେ । ଶାନ୍ତିଶୃଂଖଳା ରକ୍ଷା ପାଇଁ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ଏ.ଏସ.ଆଇ ମନମୋହନ ବାରିକଙ୍କ ସମେତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ପୂର୍ବରୁ ୩ ବର୍ଷ ଧରି ବିରିଗଢିଆ ମଠ ଠାରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ମହୋତ୍ସବ ପଡିଆ ଠାରେ ମହାଆଡମ୍ବରେ ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହେଉଛି ।


