ପାରଳା ରେଳଷ୍ଟେସନ ସମ୍ମୁଖରେ ଉଡ଼ୁଛି ରଙ୍ଗବିହୀନ ଓ ଚିରା ତ୍ରିରଙ୍ଗା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଜାତୀୟ ପତାକାକୁ ଅସମ୍ମାନ ପ୍ରଦଶନ କରାଯାଉଥିବା ଲକ୍ଷ୍ୟ କରାଯାଇଛି. ପାରଳାଖେମୁଣ୍ଡି ରେଳଷ୍ଟେସନ ସମ୍ମୁଖରେ ଥିବା ଜାତୀୟ ପତାକାର ଆବଶ୍ୟକ ଯତ୍ନ ଓ ରକ୍ଷଣାବେକ୍ଷଣ ନ ହେବା ଫଳରେ ଜାତୀୟ ପତାକାର ରଙ୍ଗ ପ୍ରାୟତଃ ଉଡି ଯାଇଛି. ବର୍ତ୍ତମାନ କେବଳ ରଙ୍ଗବିହୀନ ଚିରା ଜାତୀୟ ପତାକା ସେଠାରେ ରହିଛି. ରେଳ ଷ୍ଟେସନ ସମ୍ମୁଖରେ ଏଭଳି ଅସମ୍ମାନ ପ୍ରଦର୍ଶନ କରିବା ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଏଠାରେ ସୂଚନାଯୋଗ୍ୟଯେ, ପାରଳାଖେମୁଣ୍ଡି ରେଳଷ୍ଟେସନ ସମ୍ମୁଖରେ ଉଚ୍ଚତମ ତ୍ରିରଙ୍ଗା ଖମ୍ବ ପ୍ରତିଷ୍ଠା କରାଯାଇଛି। ଯେଉଁଥିରେ କି ଜାତୀୟ ପତାକା ରହିଛି. ଏହାର ମୁଖ୍ୟ ଉଦେଶ୍ୟ ହେଲା ବହୁ ଉଚ୍ଚରେ ଉଡୁଥିବା ଜାତୀୟ ପତାକା ସମସ୍ତଙ୍କ ନଜରରେ ଆସିବା ସହ ସମସ୍ତଙ୍କ ଠାରେ ଦେଶଭକ୍ତି ଜାଗ୍ରତ ହେବ. ହେଲେ, ଦାୟିତ୍ଵରେ ଥିବା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଜାତୀୟ ପତାକା ରଙ୍ଗହୀନ ହୋଇ ଉଡ଼ୁଛି। ଏହି ପତାକାର ରଙ୍ଗ ମଧ୍ୟ ଉଡ଼ିଗଲାଣି ଏବଂ ଜାତୀୟ ପତାକାରେ କେତେକ ସ୍ଥାନରେ ଚିରି ବି ଗଲାଣି। ତଥାପି ରେଳବିଭାଗର ନଜର ଏଥିପ୍ରତି ପଡ଼ିନାହିଁ. ତୁରନ୍ତ ଏହାର ବିହିତ ପ୍ରତିକାର କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।


