ହାଇକୋର୍ଟ ବାର ଆସୋସିଏସନର ୫ ଜଣ ସଦସ୍ୟଙ୍କୁ ଦର୍ଶାଅ ନୋଟିସ୍

କଟକ(ଓ୍ବାଇଏନଏସ) : ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଦସ୍ୟ ତଥା ଆଇନଜୀବୀ ଆଖ୍ୟାଂଶୁ ଶେଖର ନନ୍ଦୀ, ଅମୀୟ କୁମାର ମହାନ୍ତି, ରମେଶ ଚନ୍ଦ୍ର ବେହେରା, ହୃଦାନନ୍ଦ ମଲ୍ଲ ଏବଂ ଅମୁଲ୍ୟ ରତ୍ନ ଦାଶଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ହାଇକୋର୍ଟ ବାର ଆସୋସିଏସନର ନିର୍ବାଚନ ଅଧିକାରୀଙ୍କୁ ସେମାନଙ୍କ ଦ୍ୱାରା ସ୍ବାକ୍ଷରିତ ଏବଂ ପ୍ରେରିତ ଏକ ପତ୍ର ଆଇନଜୀବୀ ପରିଷଦର ଦୃଷ୍ଟିକୁ ଆସିଛି। ଉକ୍ତ ପତ୍ରରେ ଅନ୍ୟାନ୍ୟ ବିଷୟ ମଧ୍ୟରେ ଉପରଲିଖିତ ଆଇନଜୀବୀମାନେ ସେମାନଙ୍କର ଜ୍ଞାତସାରରେ ରାଜ୍ୟ ଆଇନଜୀବୀ ପରିଷଦ ଦ୍ଵାରା ଗଠିତ କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ବାରା ଦିଆଯାଇଥିବା ନିର୍ବାଚନ ସଂକ୍ରାନ୍ତୀୟ ନିର୍ଦ୍ଦେଶକୁ ଆଇନ୍ ବିରୁଦ୍ଧ, ପକ୍ଷପାତ ଭିତ୍ତିକ, ନିହିତ ସ୍ବାର୍ଥ ସମ୍ବଳିତ ଏବଂ ହାଇକୋର୍ଟର ନ୍ୟାୟିକ ପୁନର୍ବିଚାର କ୍ଷମତା ପରିସରର ଅତିକ୍ରମଣ ବୋଲି ଦର୍ଶାଇଛନ୍ତି। ଅଧିକନ୍ତୁ ରାଜ୍ୟ ଆଇନଜୀବୀ ପରିଷଦର ଜଣେ ସଦସ୍ୟଙ୍କ ନାମ ଉଲ୍ଲେଖ କରି ଅଭିଯୋଗ କରିଛନ୍ତି ଯେ ଉକ୍ତ ସଦସ୍ୟ ତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ପୂର୍ବକ ତାଙ୍କ ପଦବିର ସୁଯୋଗ ନେଇ ବି.ସି.ଆଇ ନିର୍ବାଚନ ରୁଲ ଧାରା ୫୨ର ଭୁଲ ତର୍ଜମା କରି ବ୍ୟକ୍ତିଗତ ଆକ୍ରୋଶ ଏବଂ ଅସୂୟା ର ବଶବର୍ତ୍ତୀ ହୋଇ କାର୍ଯ୍ୟ କରିଛନ୍ତି। ହାଇକୋର୍ଟ ବାର ଆସୋସିଏସନ୍‌ର ସଂପୃକ୍ତ ନିର୍ବାଚନ ଅଧିକାରୀ କେନ୍ଦ୍ରୀୟ କମିଟିର ଉକ୍ତ ବେଆଇନ ନିର୍ଦ୍ଦେଶର ବଶବର୍ତ୍ତୀ ହୋଇ କାର୍ଯ୍ୟ କରିବା ସହିତ ବିବାଦୀୟ ନିଷ୍ପତ୍ତି ନେଉଛନ୍ତି। ଉକ୍ତ ଆଇନଜୀବି ମାନଙ୍କର ଏତାଦୃଶ କାର୍ଯ୍ୟ ରାଜ୍ୟ ଆଇନଜୀବି ପରିଷଦର ସ୍ୱତନ୍ତ୍ରତା, ଆନୁଷ୍ଠାନିକ ମର୍ଯ୍ୟାଦାର ସମାଲୋଚନା ତଥା ଅବମାନନା କରିବା ସହିତ ଆଇନଜୀବୀ ପରିଷଦର କାର୍ଯ୍ୟ ଧାରା ପ୍ରତି ଅନଧିକୃତ ଆକ୍ଷେପ ଏବଂ ଅସମ୍ମାନ। ପ୍ରଣିଧାନ ଯୋଗ୍ୟ ଯେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ବାର ଆସୋସିଏସନ୍ ଇଲେକ୍ସନ ରୁଲ ୨୧ ଧାରା ୫୧ ଅନୁଯାଇ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ସାଧାରଣ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ଅନୁଯାଇ ୫ ଜଣ ସଦସ୍ୟଙ୍କୁ ନେଇ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରାଯାଇଅଛି। ଧାରା ୫୨ ଉକ୍ତ କମିଟିର ବୈଧାନିକ କ୍ଷମତା ଓ କାର୍ଯ୍ୟ ପରିସର ସୂଚିତ କରେ । ଏଠାରେ ସୂଚାଇ ଦିଆଯାଉଛି କି ଆଡଭୋକଟ ଆକ୍ଟ ର ଧାରା ୪୯(୧)(ବ) ଦ୍ଵାରା ଆଇନଜୀବି ମାନଙ୍କ ଦ୍ଵାରା ନିର୍ଦ୍ଦେଶିତ ଆଚାରସଂହିତା ଅନୁଯାଇ ଜଣେ ଆଇନଜୀବି କୌଣସି ବେନିୟମ ଆଇନବିରୁଦ୍ଧ ଓ କୌଣସି ଅନିୟମିତ କାର୍ଯ୍ୟରେ ଲିପ୍ତ ହେବନାହି, ଲିଖିତ ବୈଦୁତିକ କିମ୍ବା ସାମାଜିକ ଗଣମାଧ୍ୟମରେ କୌଣସି ଆରୁଚିକର, ସମ୍ମାନହାନି ଜନକ ଉଦ୍ଦେଶ୍ୟପ୍ରଣୋଦିତ ତଥା ନିନ୍ଦନୀୟ ମନ୍ତବ୍ୟ, କୌଣସି ନ୍ୟାୟାଳୟ, ବିଚାରପତି, ରାଜ୍ୟ ଆଇନଜୀବୀ ପରିଷଦ ଅଥବା ଭାରତୀୟ ବିଧିଜ୍ଞ ପରିଷଦ ବିରୁଦ୍ଧରେ ଦେଇପାରିବେ ନାହିଁ, ତତ୍ ସହିତ କୌଣସି ଆଡଭୋକେଟ ଜାଣିଶୁଣି ଇଚ୍ଛାକୃତ ଭାବରେ କୌଣସି ରାଜ୍ୟ ଆଇନଜୀବୀ ପରିଷଦ କିମ୍ବା ଭାରତୀୟ ବିଧିଜ୍ଞ ପରିଷଦର କୌଣସି ପ୍ରସ୍ତାବ କିମ୍ବା ନିର୍ଦ୍ଦେଶକୁ ବିରୋଧ କିମ୍ବା ଅସମ୍ମାନ କରିପାରିବେ ନାହିଁ। ଅନ୍ୟଥା ଉକ୍ତ କାର୍ଯ୍ୟ ବା ଆଚରଣ ଆଡଭୋକେଟ ଆକ୍ଟ ଧାରା ୩୫ ଅନୁଯାଇ ଆଚାର ସଂହିତା ଉଲ୍ଲଂଘନ ବୋଲି ବିବେଚନା କରାଯିବ ଏବଂ ଉକ୍ତ ଧାରା ୩୫ ଅନୁଯାଇ ଆବଶ୍ୟକୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ