କଟକରେ ଜଣ୍ଡିସ ଆତଙ୍କ, ସିଡିଏ ସେକ୍ଟର ଦୁଇଟି ବସ୍ତିରେ ୧୦ ଆକ୍ରାନ୍ତ ଚିହ୍ନଟ
କଟକ, (ଓ୍ବାଇଏନଏସ): କଟକରେ ପୁଣି କାୟା ବିସ୍ତାର କରିଛି ଜଣ୍ଡିସ। ସିଡିଏ ୧୧ ନମ୍ବର ରିଙ୍ଗ ବନ୍ଧ ତଳେ ଥିବା ଗାଙ୍ଗୁଲି ବସ୍ତି ଓ ବାଇଗଣୀ ବସ୍ତିରେ ୧୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ମେଡିକାଲ ଟିମ୍ ବସ୍ତିରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରୁଛି। କିଛି ଦିନ ବ୍ୟବଧାନ ପରେ ପୁଣି କଟକରେ ଜଣ୍ଡିସର ଆତଙ୍କ। ଦୂଷିତ ପାନୀୟ ଜଳ ଯୋଗୁ ସିଡିଏ ୧୧ ନମ୍ବର ରିଙ୍ଗ ବନ୍ଧ ତଳେ ଥିବା ଗାଙ୍ଗୁଲି ବସ୍ତି ଓ ବାଇଗଣୀ ବସ୍ତିରେ ଜଣ୍ଡିସ ବ୍ୟାପୁଛି ବୋଲି ଜଣାପଡ଼ିଛି। ଗତକାଲି ୨୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିଲା। ଆଜି ସକାଳୁ ମଧ୍ୟ ରକ୍ତ ପରୀକ୍ଷା କରାଯାଉଛି। ଏଥିସହ ପାଣି ନମୁନା ପରୀକ୍ଷା ପାଇଁ ପଠାଯାଇଛି। କିଛି ଦିନ ତଳେ ୧୦ ନମ୍ବର ଏବଂ ୧୨ ନମ୍ବର ୱାର୍ଡର ମାନସିଂହପାଟଣା, ମସ୍ତରାମମଠ ଗଳି ଓ କାଫଲା ବଜାର ଅଞ୍ଚଳରେ ଜଣ୍ଡିସ ବ୍ୟାପିଥିଲା। ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଜାରି ରହିଛି। ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ସିଏମସି ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ। ଯାହା ଫଳରେ ବର୍ତ୍ତମାନ ଜଣ୍ଡିସ ବ୍ୟାପୁଛି ବୋଲି ଅଭିଯୋଗ ହେଉଛି। ଅପରପକ୍ଷରେ କଟକରେ ଏଭଳି ବାରମ୍ବାର ଜଣ୍ଡିସ ବ୍ୟାପିବାକୁ ନେଇ ଜୋର ଧରିଛି ରାଜନୀତି। ବାରମ୍ବାର ଜଣ୍ଡିସ ବ୍ୟାପିବା ଏବେ ସିଏମସି ପାଇଁ ଚିନ୍ତାର କାରଣ ପାଲଟିଛି। କେଉଁଦିନ କଟକ ସହରରେ ପାନୀୟ ଜଳ ସମସ୍ୟାର ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା।


