ଲାଞ୍ଜିଗଡ ବେଦାନ୍ତ ବିରୋଧରେ ୨୬ଦଫା ଦାବି ରଖି ଗର୍ଜିଲେ ହଜାର ହଜାର ଆଦିବାସୀ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ବକ୍ସାଇଟ୍ ଖଣି ଏବଂ ଶିଳ୍ପ ପ୍ରସାରଣ ବିରୁଦ୍ଧରେ ଏକ ବିଶାଳ ବିଦ୍ରୋହ ଜୋର ଧରିବା ସହିତ ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡ଼ଙ୍ଗରିଆ କନ୍ଧ,ଝରଣିଆ ଆଦିବାସୀ ମାନଙ୍କ ମଧ୍ୟରେ କମ୍ପାନୀ ବିରୁଦ୍ଧରେ ଥିବା କ୍ରୋଧ ପୁଣି ଥରେ ଆନ୍ଦୋଳିତ ହୋଇଛି।
ଆଜି ବେଦାନ୍ତ ଆଲୁମିନା କମ୍ପାନୀ ମୁଖ୍ୟ ଫାଟକ ଠାରେ ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ବହୁଜନ ସମାଜ ପାର୍ଟି (ବିଏସପି) ୟୁନିଟ୍ ପକ୍ଷରୁ ଏକ ବିଶାଳ ଜନ ଆନ୍ଦୋଳନ ଆୟୋଜନ କରାଯାଇଥିଲା । ଏଥିରେ ପ୍ରାୟ ହଜାରରୁ ଅଧିକ ଲୋକ ଏକଠିତ ହୋଇ କମ୍ପାନୀ ଏବଂ ପ୍ରଶାସନ ବିରୁଦ୍ଧରେ ଜନ ଗର୍ଜନ କରିଥିଲେ । ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ସତ୍ୱେ ବକ୍ସାଇଟ୍ ସମୃଦ୍ଧ ନିୟମଗିରି ପାହାଡ଼ ଉପରେ କୌଶଳ କ୍ରମେ ବକ୍ସାଇଟ ଉତ୍ତୋଳନକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା, ଯାହା ବିସ୍ଥାପନ, ପରିବେଶ ବିରୋଧୀ ଏବଂ ଡ଼ଙ୍ଗରିଆ କନ୍ଧ, ଆଦିବାସୀ ପରିଚୟର ପ୍ରତି ପ୍ରଭାବ ପକାଉଥିବା ଆଦି ଅଭିଯୋଗ ଆଣି ଏକାଠି ହୋଇଥିଲେ ହଜାର ହଜାର ଡ଼ଙ୍ଗରିଆ କନ୍ଧ ଓ ଆଦିବାସୀମାନେ। ଆଜି ବେଦାନ୍ତ ଲାଞ୍ଜିଗଡ଼ ଠାରେ, ବଏସପି ଆଦିବାସୀ ଅଧିକାର ଏବଂ ପ୍ରାକୃତିକ ସମ୍ପଦ ସୁରକ୍ଷା ପ୍ରସଙ୍ଗ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଜନ ଆନ୍ଦୋଳନ କୁ ପୁନର୍ଜୀବିତ କରିଥିବା ଦେଖିବାକୁ ମିଳିଛି। ଏଥିରେ ବିଏସପି, ରାଜ୍ୟ ସଭାପତି ସରୋଜ ନାୟକଙ୍କ ନେତୃତ୍ୱରେ ରାଜ୍ୟ ସଂଯୋଜକ ଜିତୁ ଜାକାସିକା, ରାଜ୍ୟ ସମ୍ପାଦକ ଗଙ୍ଗାଧର ପୁଆଲା, ରାୟଗଡା ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ଟାକ୍ରି, ଜିଲ୍ଲା ପ୍ରଭାରୀ ରାୟଗଡା ରାମଦାସ ଟାକ୍ରି ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ସୋମନାଥ ନାୟକ ଙ୍କ ନେତୃତ୍ୱ ରେ ବେଦାନ୍ତ ବିରୋଧୀ ସମାବେଶ ର ଆୟୋଜନ କରାଯାଇଥିଲା। ବେଦାନ୍ତର ଲାଞ୍ଜିଗଡ଼ କାର୍ଯ୍ୟ ସହିତ ଜଡିତ ଖଣି କାର୍ଯ୍ୟକଳାପର ଦୃଢ଼ ବିରୋଧ କରାଯାଇଛି । ସାମ୍ବିଧାନିକ ସୁରକ୍ଷା ଏବଂ ଆଦିବାସୀ ଅଧିକାର ଅପେକ୍ଷା କର୍ପୋରେଟ୍ ସ୍ୱାର୍ଥକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ରାଜ୍ୟ ସଭାପତି ସରୋଜ ନାୟକ ଗୁରୁତ୍ୱାରୋପ କରିଥିଲେ । ଡଙ୍ଗରିଆ କନ୍ଧ ତଥା ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟ ପାଇଁ, ନିୟମଗିରି କେବଳ ଭୂମି ନୁହେଁ ବରଂ ସେମାନଙ୍କ ବଞ୍ଚିବାର ମାଧ୍ୟମ, ସଂସ୍କୃତି ଏବଂ ବିଶ୍ୱାସ ସହିତ ଜଡିତ ଏକ ପବିତ୍ର ଇକୋ ସିଷ୍ଟମ। ଏହି ଅଧିକାର ପାଈଁ ସଂଘର୍ଷ ଜାରି ରହିବ ବୋଲି ରାଜ୍ୟ ପ୍ରଭାରୀ ଜିତୁ ଜାକାଶିକା ଚେତାବନୀ ଦେଇଥିଲେ ।ବେଦାନ୍ତ ଲାଞ୍ଜିଗଡ଼ କମ୍ପାନୀ ଆଗରେ ନିଜର ୨୬ ଦଫା ଦାବିପତ୍ର ରେ, ସମସ୍ତ ବକ୍ସାଇଟ୍ ଖଣି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବା, ଗ୍ରାମସଭାର ସମ୍ମତିକୁ କଡ଼ାକଡ଼ି ଲାଗୁ କରିବା, ଏଫଆରଏ ଏବଂ ପେସା ଆଇନ ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା, ପରିବେଶଗତ ଅନୁମୋଦନରେ ସ୍ୱଚ୍ଛତା, ପ୍ରଶାସନିକ ତ୍ରୁଟି ପାଇଁ ଉତ୍ତରଦାୟିତ୍ୱ, ଜିଲ୍ଲାର ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ତଥା ନିୟୋଜନ, ସ୍ଥାନୀୟ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କୁ କମ୍ପାନୀ ତରଫରୁ କରାଯାଉଥିବା କ୍ୟାମ୍ପସ ସିଲେକ୍ସନ ଅନ୍ତରଭୁକ୍ତ କରିବା, ଫ୍ଲାଏ ଆଶ୍ ପରିଚାଳନା, ପରିବେଶଗତ ଅନୁପାଳନ ଏବଂ ସ୍ଥାନୀୟ ସମ୍ପ୍ରଦାୟ ଉପରେ ଏହାର ପ୍ରଭାବ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ ଉପରେ ଚିନ୍ତା କରିବା ପାଇଁ ବିଏସପି ଆହ୍ୱାନ ଦେଇଛି। ଆଦିବାସୀ ସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ସାମ୍ବିଧାନିକ ନିର୍ଦ୍ଦେଶକୁ ବଜାୟ ରଖିବାରେ ପ୍ରଶାସନିକୁ ବିଫଳତା କୁ ପ୍ରତିବାଦକାରୀମାନେ ତୀବ୍ର ସମାଲୋଚନା କରିଛନ୍ତି। “ଜଳ, ଜଙ୍ଗଲ, ଜମିନ” ସୁରକ୍ଷାର ନାରା ରେ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଏକ ବିଶାଳ ଜନ ସମାଗମ କୁ ଏକତ୍ରିତ କରିବାରେ ଆଜି ବହୁଜନ ସମାଜ ପାର୍ଟି ସକ୍ଷମ ହୋଇଥିବା ଦେଖିବାକୁ ମିଳିଥିଲା। ନିୟମଗିରି ଅଞ୍ଚଳ, ଏକଦା ଏକ ଐତିହାସିକ ଖଣି ବିରୋଧୀ ଆନ୍ଦୋଳନ ଓ ବିଜୟର କେନ୍ଦ୍ରସ୍ଥଳ ଭାବେ ଉଭା ହୋଇଥିଲା । ଏବେ ବହୁଜନ ସମାଜ ପାର୍ଟି ର ନେତୃତ୍ୱରେ ଏହା ଆଉ ଏକ ନିର୍ଣ୍ଣାୟକ ମୁକାବିଲା ପାଇଁ ଏହା ପ୍ରସ୍ତୁତ ହେଉଥିବା ଅନୁମାନ କରାଯାଉଛି । ନିୟମଗିରିରେ ଆଦିବାସୀ ସମ୍ମତି ଏବଂ ପରିବେଶଗତ ସୁରକ୍ଷାକୁ ଅଣଦେଖା କରିବାର ଯେକୌଣସି ପ୍ରୟାସକୁ ପୁଣି ଥରେ ନିୟମଗିରି ରୁ କଠୋର ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିବ ବୋଲି ଆଜିର ଏହି ଆନ୍ଦୋଳନରୁ ବିଏସପି ସ୍ପଷ୍ଟ ସଂକେତ ଦେଇଥିବା କୁହାଯାଉଛି।


