ପ୍ରଶାନ୍ତ ଦାସଙ୍କ ‘ଜରି ଗୋଟାଇବା ଝିଅ’ର ଜନ୍ମଦିନ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା): ବିଶ୍ୱର ଦୁଃଖୀ ଓ ନିଷ୍ପେସିତ ସାଧାରଣ ମଣିଷଙ୍କୁ ସମର୍ପିତ ପ୍ରଶାନ୍ତ ଦାସଙ୍କ କବିତା ପୁସ୍ତକ ‘ଜରି ଗୋଟାଇବା ଝିଅ’ର ୨୮ତମ ଜନ୍ମୋତ୍ସବ ଏକ କବିତାମୟ ପରିବେଶରେ ‘ଶ୍ରୀ’ ଶିକ୍ଷା କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ବିଭିନ୍ନ ଭାଷାରେ ଅନୁବାଦିତ ହୋଇଥିବା ପୁସ୍ତକର କବିତାକୁ ଅତିଥି ଓ ପାଠକମାନେ ପାଠ କରି ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ। ଉକ୍ତ ଜନ୍ମୋତ୍ସବକୁ ‘ଜରି ଗୋଟାଇବା ଝିଅ’ର ସଂସ୍କୃତ ଅନୁବାଦ ‘ଜରି ସଂଗ୍ରାହିକା ବାଲା’ର ଏକ କବିତା ‘କାର୍ଯ୍ୟା ଇପ୍‌ସିତା’କୁ ପାଠକରି ଅନୁବାଦକ ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ ଉଦ୍‌ଘାଟନ କରିବା ସହ ପୁସ୍ତକ ବିଷୟରେ ନିଜର ଭାବଗର୍ଭକ ବକ୍ତବ୍ୟ ରଖିଥିଲେ। ଅତିଥିଭାବେ ବୈଷ୍ଣି ସ୍ୱାଇଁ ‘ଜରି ଗୋଟାଇବା ଝିଅ’ର ହିନ୍ଦୀ ଅନୁବାଦ ପୁସ୍ତକ ‘ଜରି ଚୁନ୍‌ନେ ବାଲୀ ଲଡ଼କି’ର ଏକ କବିତା ‘କବି ହୁଁ ମେଁ’ ଓ ଇଂରାଜୀ ଅନୁବାଦ ‘ପୋଲିସ୍କାର୍ପ ପିକିଂ ଗାର୍ଲ’ ପୁସ୍ତକରୁ ଏକ କବିତା ‘ଦି ମେଡ଼୍ ସର୍ଭେଣ୍ଟ୍‌’କୁ ରୁବିତା ନାୟକ ପାଠ କରିବା ସହ ନିଜ ନିଜର କଥା ରଖିଥିଲେ। ଅନ୍ୟତମ ବକ୍ତାଭାବେ ଗାୟତ୍ରୀ ଆଚାର୍ଯ୍ୟ ଯୋଗଦାନ କରି ‘ଜରି ଗୋଟାଇବା ଝିଅ’ ପୁସ୍ତକରୁ ଏକ କବିତା ‘ଝିଅର ନାମ ଆଶା’ ପାଠ କରିବା ସହ ନିଜ ବକ୍ତବ୍ୟରେ କହିଲେ ଯେ ଲେଖକର ବ୍ୟକ୍ତିଗତ ଜୀବନ ତା’ର ସର୍ଜନାକୁ ପ୍ରଭାବିତ କରିଥାଏ ଓ ଲେଖକଟି ନିଜ ଅନୁଭବର କଥା କବିତାରେ ଲେଖିଦେଇଥାଏ।‘ଜରି ଗୋଟାଇବା ଝିଅ’ ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କମିଟିର ସଂପାଦକ ରାଜେଶ ଗିରିଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ପ୍ରଥମେ ଲେଖକ କବି ଶ୍ରୀ ଦାସ ନିଜ କବିତା ପଛରେ ଥିବା ବାସ୍ତବତାକୁ ଅବତାରଣା କରିଥିଲେ ଓ ବିପ୍ଳବ ଦାସ ମହାପାତ୍ର ସ୍ୱାଗତ କଥା ରଖିଥିଲେ। ରୌପ୍ୟଜୟନ୍ତୀ ବର୍ଷ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ମହାବିଦ୍ୟାଳୟରେ ‘ସମାଜ, ସାହିତ୍ୟ ଶ୍ରଦ୍ଧା ଓ ସମ୍ବେଦନଶୀଳତା’ ଶୀର୍ଷକ ଆଲୋଚନା ଚକ୍ର ୧୫ଟି ଆୟୋଜିତ ହୋଇସାରିଥିବାବେଳେ ଚଳିତବର୍ଷ ଆଉ ୧୦ଟି ଆୟୋଜନ ହେବ ଓ ରୌପ୍ୟ ଜୟନ୍ତୀ ଉତ୍ସବର ସମାପନ ହେବ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ଉତ୍ସବରେ ଅଂଶଗ୍ରହଣ କରି ପ୍ରେୟସୀ ମହାପାତ୍ର, ନନ୍ଦିତା ନାୟକ, ପ୍ରତିମା ତ୍ରିପାଠୀ, ସରସ୍ୱତୀ ଭୋଇ, ସୁପ୍ରଭା ଦଳେଇ, ଅମରଜିତ ଦାସ, ସୁକୁମାର ଘୋଷ, ରଂଜନା ଘୋଷ, ଅନୁପ ଦାସ ପ୍ରମୁଖ ନିଜ ନିଜର କଥା ରଖିଥିଲେ। ଶେଷରେ ପ୍ରତି ଉତ୍ସବଭଳି ଅଭିଜିତ୍ ମହାପାତ୍ର ଓ ରାଜେଶ ଗିରି ମିଳିତ ଭାବେ ଉପସ୍ଥିତ ଅତିଥିଙ୍କ ଗହଣରେ ‘ଜରି ଗୋଟାଇବା ଝିଅ’ର କେକ୍ କାଟିଥିଲେ ଓ ସନ୍ତୋଷ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ