ମା’ବାସନ୍ତୀକ ଭଷାଣୀ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର- ପାରାଚକ ଗ୍ରାମରେ ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ଭଷାଣୀ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜ୍ଜନ ହେବା ପରେ ଘଣ୍ଟ,ଘଣ୍ଟା ବାଜା ବଜାଇ ଓ ବାଣ ଫୁଟାଯାଇ ମା’ଙ୍କ ଆସ୍ଥାନ ନିକଟରୁ ଏକ ବିରାଟ ଭଷାଣୀ ଶୋଭାଯାତ୍ରାରେ ବାହାରିଥିଲେ। ସ୍ଥାନୀୟ ଜଗନ୍ନାଥପୁର ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଥାନରେ ଭୋଗଲାଗି ହେବା ପରେ ମା’ଙ୍କ ପ୍ରତିମୂର୍ତ୍ତିକୁ ଉଦ୍ଦିଷ୍ଟ ବିସର୍ଜ୍ଜନ ଘାଟରେ ଜଳରେ ବିସର୍ଜ୍ଜିତ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ଷଷ୍ଠାଧିକଳ୍ପାରମ୍ଭ, ବିଲ୍ୱାଧିବାସ ଓ ଦେବୀଙ୍କୁ ଆମନ୍ତ୍ରଣ କରାଯିବା ପରେ ମହାସପ୍ତମୀ ପୂଜା, ଅଷ୍ଟୋତ୍ତର ଶତକଳସ ଯାତ୍ରା, ନବପତ୍ରିକା ପ୍ରବେଶ, ଘଟସ୍ଥାପନ, ସପ୍ତମୀ ବିହିତ ମହାସ୍ନାନ, ଦେବୀଙ୍କ ଚକ୍ଷୁଦାନ, ପ୍ରାଣପ୍ରତିଷ୍ଠା, ସପ୍ତମୀ ବିହିତ ପୂଜା ଓ ଚଣ୍ଡୀପାଠ କରାଯାଇଥିଲା। ମହାଷ୍ଟମୀରେ ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ପୀଠରେ ଷୋଡଶ ଉପାଚାରରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧିପୂଜା କରାଯାଇଥିଲା। ଏଥିସହିତ ମହାଷ୍ଟମୀ ବିହିତ ପୂଜାରମ୍ଭ, ଚଣ୍ଡୀପାଠ, ସନ୍ଧୀବଳି ପ୍ରେକ୍ଷଣ ପରେ ଅଷ୍ଟୋତ୍ତରଶତ ଦୀପ ଉତ୍ସର୍ଗ କରାଯାଇଥିଲା। ଶ୍ରୀରାମନବମୀରେ ମହାନବମୀ ବିହିତ ପୂଜା, ଚଣ୍ଡୀପାଠ, ନବକୁମାରୀ ପୂଜା, ଗୀତାହୁତି, ଚଣ୍ଡୀ ଆହୁତି, ପୂର୍ଣ୍ଣ ଆହୁତି ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ବିଜୟା ଦଶମୀରେ ମା’ବାସନ୍ତୀକ ଦଶମୀ ବିହିତ ପୂଜା, ଅପରାଜିତା ପୂଜା, ସମୁହ ପୁଷ୍ପାଞ୍ଜଳି, ପୂର୍ଣ୍ଣ ଆଳତୀ, ବଳୟଧାରଣ, ଅଳତା ଓ ସିନ୍ଦୁର ଲାଗି, ସପ୍ତଦୀପ ବନ୍ଦାପନା, ଦେବୀଙ୍କ ପୁନଃ ଆଗମନ ପାଇଁ ମେଲାଣୀ, ଘଟକଳସ ଓ ନବପତ୍ରିକା ବିସର୍ଜ୍ଜନ କରାଯାଇଥିଲା। ଏହି ପୂଜାକୁ ମୁଖ୍ୟ ପୂଜକ ଉମାଶଙ୍କର ପତିଙ୍କ ସମେତ ଆଚାର୍ଯ୍ୟ ବିରାଜ କୁମାର ପଣ୍ଡା, ପୁସ୍ତକାଚାର୍ଯ୍ୟ ମନୋଜ କୁମାର କର, ସହ ପୁସ୍ତକାଚାର୍ଯ୍ୟ ପ୍ରଭଞ୍ଜନ ମିଶ୍ର ଓ ଚଣ୍ଡୀପାଠକ ପ୍ରକାଶ କୁମାର ତ୍ରିପାଠୀ ପ୍ରମୁଖ ନିର୍ବାହ କରିଥିଲେ। ଏହାବ୍ୟତିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଆନନ୍ଦବଜାରରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ, କଟକ ଝାଞ୍ଜିରମଙ୍ଗଳାର ମେଲୋଡି ରକଷ୍ଟାର ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ, ଏବଂ ମୟୁର ଗଣନାଟ୍ୟ ପକ୍ଷରୁ ଯାତ୍ରା ପରିବେଷଣ କରାଯାଇଥିଲା ବୋଲି ପୂଜା କମିଟି ସଭାପତି ଦୀପକରଞ୍ଜନ ସ୍ୱାଇଁ, ସମ୍ପାଦକ କୈଳାସ ଚନ୍ଦ୍ର ନାୟକ ଓ ମୁଖ୍ୟ ଉପଦେଷ୍ଟା ଶିକ୍ଷାବୀତ ନିଳମଣୀ ସ୍ୱାଇଁ ପ୍ରମୁଖ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ