ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ
ଆସିକା (ୱାଇଏନ୍ଏସ୍) : ଓଡିଆ ପକ୍ଷ ପାଳନ ଅବସରରେ ଉଚ୍ଚଶିକ୍ଷା ବିଭାଗର ପରାମର୍ଶକ୍ରମେ ସ୍ଥାନୀୟ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜିକା ଅଧ୍ୟାପିକା ଡଃ ଜୟପ୍ରଦା ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସୋମବାର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା ଓ ବରିଷ୍ଠ ଅଧ୍ୟାପକ ଡଃ କେ.ଓମ୍ ନାରାୟଣ ରାଓ ଯୋଗଦେଇ ମନୁଷ୍ୟ ବଞ୍ଚି ରହିବା ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ଯେପରି ନିତାନ୍ତ ଜରୁରୀ ସେପରି ପରିବେଶର ସ୍ୱଚ୍ଛତା ମଧ୍ୟ ଅଧିକ ଜରୁରୀ । ତେଣୁ ସ୍ୱଚ୍ଛ ପରିବେଶ ଓ ସୁସ୍ଥ ବାୟୁମଣ୍ଡଳ ମନୁଷ୍ୟର ଆୟୁକୁ ବୃଦ୍ଧି କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ ଏବଂ ମନୁଷ୍ୟ ଜୀବନରେ ସ୍ୱଚ୍ଛତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସଦାସର୍ବଦା ସ୍ୱଚ୍ଛତାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିବା ଦେଖିବାକୁ ମିଳିଥିଲା । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅବସରରେ ଶିକ୍ଷାନୁଷ୍ଠାନର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ଙ୍କ ସମେତ ବିଦ୍ୟାର୍ଥୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ ହାତରେ ଝାଡୁ ଧରି ସାମୂହିକ ଭାବେ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରିଥିବା ଦେଖିବାକୁ ମିଳିଥିଲା । ଏହି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ପିଙ୍କୁ କୁମାର ସାହୁ, ବି.ପାଣ୍ଡବ ରେଡି, ବସନ୍ତ ମାଝି, ଦୁର୍ଗାପ୍ରସାଦ ପାଣିଗ୍ରାହୀ, ସୁଧାଂଶୁ କୁମାର ହୋତା, ଧବଳ ସେଠୀ, ସନାତନ ପ୍ରଧାନ, ସୁଶିଲ୍ କୁମାର ଆଚାର୍ଯ୍ୟ, ସାହିନ୍ ନାଜର୍, ଭାରତୀ ପ୍ରଧାନ, ସମିତା ପ୍ରଧାନଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, ଅଣଶୈକ୍ଷିକ କର୍ମଚାରୀ, ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


