ସୁନାପଲ୍ଲୀ ଦଣ୍ଡଦଳର ଢୋଲ ବାଦ୍ୟରେ ପ୍ରକମ୍ପିତ ଅଶୋକା ସିନେମା ମୁଖ୍ୟରାସ୍ତା
ଆସିକା (ୱାଇଏନ୍ଏସ୍) ଆସିକା ସହରର ଅଶୋକା ସିନେମା ମୁଖ୍ୟରାସ୍ତାରେ ଶନିବାର ଧରାକୋଟ ବ୍ଳକ ଅନ୍ତର୍ଗତ ଶରାଧାପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସୁନାପଲ୍ଲୀ ଦଣ୍ଡଦଳର ଦଣ୍ଡନୃତ୍ୟ ପରିବେଷଣ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଅଶୋକା ସିନେମା ରୋଡ ଅଞ୍ଚଳର ବ୍ୟବସାୟୀ ଓ ଆଧ୍ୟାତ୍ମିକ ପ୍ରେମୀ ଶନିବାର ପୂର୍ବାହ୍ନରେ ସୁନାପଲ୍ଲୀ ଦଣ୍ଡଦଳକୁ ବିଧିବିଧାନ ଅନୁଯାୟୀ ଆମନ୍ତ୍ରଣ କରିଥିଲେ । ପୂର୍ବାହ୍ନରେ ସୁନାପଲ୍ଲୀ ଦଣ୍ଡଦଳର ମାନସିକଧାରୀ ଦଣ୍ଡୁଆମାନେ ଅଶୋକା ସିନେମା ରୋଡ ମୁଖ୍ୟରାସ୍ତାରେ ପହଞ୍ôଚ ଦଣ୍ଡନୃତ୍ୟ ପାଳନର ରୀତିନୀତି ଉପରେ ଢୋଲ ବାଦ୍ୟର ତାଳେ ତାଳେ ଗୀତ ମାଧ୍ୟମରେ ଅବଗତ କରିବା ପରେ ପ୍ରଚଣ୍ଡ ଖରାରେ ମାନସିକଧାରୀ ଦଣ୍ଡୁଆମାନେ ଧୁଳିଦଣ୍ଡ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅଶୋକା ସିନେମା ରୋଡ ଅଞ୍ଚଳର ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ଏସ୍.ନାଗେଶ୍ୱର ଆଚାରୀ ଓ ତାଙ୍କ ପତ୍ନୀ ଏସ୍.ଶୋଭାରାଣୀ ଆଚାରୀ ଏବଂ ପୁତ୍ର ଏସ୍.ପ୍ରତୀକ ଆଚାରୀ ଏହି କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠାର ସହ ସଂପାଦନ କରିଥିବା ଦେଖିବାକୁ ମିଳିଥିଲା । ଶନିବାର ଅପରାହ୍ନରେ ଖମ୍ବେଶ୍ୱରୀ ପାଟଣା ସ୍ଥିତ ଗୋପୀନାଥ ମନ୍ଦିର ପାଶ୍ୱର୍ସ୍ଥ ଋଷିକୂଲ୍ୟା ନଦୀରେ ମାନସିକଧାରୀ ଦଣ୍ଡୁଆ ମାନେ ପାଣିଦଣ୍ଡ ସଂପନ୍ନ କରିବା ପରେ ବିଳମ୍ବିତ ରାତ୍ରରେ ଅଗ୍ନିଦଣ୍ଡ ପରିବେଷଣ ହୋଇଥିଲା । ଟାଉନହଲ୍ ପରିସରରେ ସୁନାପଲ୍ଲୀ ଦଣ୍ଡଦଳର ସାଂନ୍ଧ୍ୟ ଆଳତୀ ସମୟରେ ଦେବଦେବ ମହାଦେବ ଓ ମହାମାୟୀ ମା’ କାଳୀଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା । ସୁନାପଲ୍ଲୀ ଦଣ୍ଡଦଳର ମାନସିକଧାରୀ ଦଣ୍ଡୁଆ ଓ ଶ୍ରଦ୍ଧାଳୁ ଭକ୍ତମାନେ ମା’ ଦଣ୍ଡକାଳୀଙ୍କୁ ଦର୍ଶନ କରି ବିଭୋର ହୋଇପଡିଥିଲେ । ରାତ୍ରରେ ପୌରାଣିକ ନାଟକ ଭାରତଲୀଳା ମଞ୍ଚସ୍ଥ ହୋଇଥିଲା। ସୁନାପଲ୍ଲୀ ଦଣ୍ଡଦଳରେ ମାନସିକଧାରୀ ଦଣ୍ଡଭୁକ୍ତାମାନେ ପାରମ୍ପରିକ ବସ୍ତ୍ର ପିନ୍ଧି ମୟୁର ପିଞ୍ଛ, ପତକା ଧରି ଗିନି ଓ ଢୋଲର ତାଳେ ତାଳେ ଖଟୁଳୀରେ ଶିବ, ପାର୍ବତୀ ଓ ଦଣ୍ଡକାଳୀଙ୍କୁ ଧରି କଳାରୁଦ୍ରମଣିକୁ ଭଜ ହେ ନିନାଦରେ ଅଶୋକା ସିନେମା ରୋଡ ତଥା ଏହାର ଆଖପାଖ ଅଞ୍ଚଳ ପରିକ୍ରମା କରିଥିଲା ବେଳେ ଢୋଲ ଓ ମହୁରୀ ଧ୍ୱନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଐତିହ୍ୟ ସଂସ୍କୃତି ଓ ଭାଇଚାରାର ଅଞ୍ଚଳ ରୂପେ ପରିଚିତ ଥିବା ଅଶୋକା ସିନେମା ରୋଡ ଅଞ୍ଚଳର ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନେ ନିଜନିଜ ଘର ସମ୍ମୁଖରେ ଗୋବର ଲିପି, ଝୋଟି ଆଙ୍କି ପୂର୍ଣ୍ଣ କୁମ୍ଭ ସହ ଦୀପ ଓ ଭୋଗ ବାଢି ଠାକୁରଙ୍କ ଆଶିଷ ପାଇଁ ରାସ୍ତାରେ ଦଣ୍ଡାୟମାନ ହୋଇ ଆଶିର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଅଶୋକା ସିନେମା ରୋଡ ଅଞ୍ଚଳର ଅଧ୍ୟାତ୍ମିକ ପ୍ରେମୀ ଓ ଶ୍ରଦ୍ଧାଳୁ ଭକ୍ତ ଏସ୍.ଜିତେଶ୍ କୁମାର ଆଚାରୀ, ହୀନ ବାରିକ, ଶିବ ମିଶ୍ର, ପିଣ୍ଟୁ ସାହୁ, ବାନାମ୍ବର ସ୍ୱାଇଁ, ବିକ୍ରମ ପ୍ରଧାନ, ଶକ୍ତି ଆଚାରୀ, ଗଣେଶ ପାତ୍ର, ଲୁଲୁ ମହାରଣା, ଶିବ ପରିଡା, କୃଷ୍ଣ ଜେନା, ଜଗନ୍ନାଥ ସାହୁ, ରଂଜି ସାହୁ, ରବିନ୍ଦ୍ର ପରିଡା, ଦୀପକ କୁମାର ପରିଡା, ଇନ୍ଦ୍ର ରେଡି, ସୁମନ୍ ଆଚାରୀ, ବୁଲୁ ମହାରଣା, ସୁଶାନ୍ତ ମହାରଣା, ରିଙ୍କୁ ସାହୁ, ରାବଣା ରାଓ, ରବିନ୍ଦ୍ର କୁମାର ସାହୁ, କ୍ରିଷ୍ଣା ରାଓଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଓ ବ୍ୟବସାୟୀ ଏହି ଦଣ୍ଡଯାତ୍ରାକୁ ସୁପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।


