କାଳ ବୈଶାଖୀର ତାଣ୍ଡବ: ଗଛ ପଡି ଜଣେ ମୃତ ଓ ଜଣେ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବରେ ଗଛ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଅତ୍ୟନ୍ତ ଗୁରୁତର ହୋଇ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି. ଏଥିସହ ବଜ୍ରାଘାତ ଯୋଗୁଁ 3 ଗୋଟି ବଳଦର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ବଳଦ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମ ଠାରେ କାଳ ବୈଶାଖୀ ତାଣ୍ଡବରେ ଗତକାଲି ସନ୍ଧ୍ୟା ସମୟରେ ଏକ ବିରାଟକାୟ ଗଛ ପଡି ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣକୁ ମର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଗତକାଲି କାଳବୈଶାଖୀ ପ୍ରଭାବରେ ବାଘଶାଳା  ଗ୍ରାମରେ ପ୍ରବଳ ବର୍ଷା ପବନ ହୋଇଥିଲା । ବାଘଶାଳା ଗ୍ରାମ ଠାରେ ଦୋକାନ କରିଥିବା ୱାଇ. ଶ୍ରୀନୁ ସବୁଦିନ ପରି ଦୋକାନ ଖୋଲି ବସିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ସେହି ଗ୍ରାମର ୱାଇ.ମନ୍ମଧରାଓ ନାମକ ଜଣେ ବ୍ୟକ୍ତି ଆଶ୍ରୟ ନେଇଥିଲେ । ହଠାତ୍ ପ୍ରବଳ ବେଗରେ ପବନ ବୋହିବା ଫଳରେ ଦୋକାନ ପଛପାର୍ଶ୍ବରେ ଥିବା ଗଛଟି ଦୋକାନ ଉପରେ ପଡିଯାଇଥିଲା । ଫଳରେ ଉଭୟେ ଚାପି ହୋଇଯାଇଥିଲେ । ପ୍ରଥମେ ଗ୍ରାମବାସୀ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ପରେ ପାରଳାଖେମୁଣ୍ଡି ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ । ଗଛ କଟର ସାହାଯ୍ୟରେ କଟାଯାଇ ପ୍ରଥମେ ଦୋକାନୀ ୱାଇ.ଶ୍ରୀନୁଙ୍କୁ ଉଦ୍ଧାର କରାଯାଇଥିଲା । ସେ ମୁର୍ମୁଷ ଅବସ୍ଥାରେ ରହିଛନ୍ତି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଥିବା ବେଲେ ଏହାର ପରବର୍ତ୍ତୀ ସମୟରେ ୱାଇ.ମନ୍ମଧରାଓଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣା ସମ୍ପର୍କେ ଖବର ପାଇ ଗୁରାଣ୍ଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ଗତ 30 ତାରିଖ ରାତ୍ର 8 ଘଣ୍ଟା ସମୟରେ କାଳ ବୈଶାଖୀ ପ୍ରଭାବରେ ବର୍ଷା ପବନ ସହ ବଜ୍ରାଘାତ ଯୋଗୁଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ପାରତଡା ଗ୍ରାମର ତିମୟ ଭୂୟାଁଙ୍କ 3 ଗୋଟି ବଳଦ ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଅନ୍ୟ ଏକ ବଳଦ ବଜ୍ରାଘାତରେ ଗୁରୁତର ହୋଇଥିବା ଜଣାପଡିଛି. ସମସ୍ତ ବଳଦ ସେହି ସମୟରେ ଗୁହାଳରେ ଆଶ୍ରୟ ନେଉଥିଲେ. ହଠାତ ବଜ୍ରାଘାତ ଯୋଗୁଁ ଏଭଳି ଅଘଟଣ ଘଟିଲା. ମୃତ ବଳଦ ଗୁଡିକର ମୂଲ୍ୟ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଗ୍ରାମବାସୀ ପ୍ରକାଶ କରି ବଳଦ ମୃତ୍ୟୁବରଣ କରିଥିବା ଗରିବ ଚାଷୀଙ୍କୁ ସରକାର କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ