ଆସିକା ପଞ୍ଚାୟତ ସମିତିରେ ସ୍ଥାୟୀ ବିଡିଓ ପଦବୀ ପୂରଣ କେବେ?
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ପରିଚାଳିତ ହୋଇଆସୁଥିବା ଆସିକା ପଂଚାୟତ ସମିତି କାର୍ଯ୍ୟାଳୟରେ ଗତ କିଛି ଦିନ ହେଲା ସ୍ଥାୟୀ ବିଡିଓ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀଙ୍କ ସମେତ କେତେକ କର୍ମଚାରୀଙ୍କ ପଦବୀ ଖାଲି ପଡିଥିବା ଯୋଗୁଁ ସେ ଗୁଡିକ କେବେ ପୂରଣ ହେବ ବୋଲି ସଚେତନ ନାଗରିକ ମହଲରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ପଂଚାୟତ ସମିତି କାର୍ଯ୍ୟାଳୟ ୨୭ଟି ଗ୍ରାମ ପଂଚାୟତକୁ ନେଇ ଗଠିତ । ଗତ କିଛି ମାସ ତଳେ ଆସିକା ବିଡିଓ ଲିପିନା ଦାଶଙ୍କୁ ଅନ୍ୟତ୍ର ବଦଳି ହୋଇଯାଇଥିବା ବେଳେ ତାଙ୍କରି ସ୍ଥାନରେ ସ୍ଥାୟୀ ବିଡିଓ ରୂପେ ଅନ୍ୟ କାହାରିକୁ ଅଦ୍ୟାବଧି ନିଯୁକ୍ତି ଦିିଆଯାଇନଥିଲା ବେଳେ କବିସୂର୍ଯ୍ୟନଗର ବିଡିଓ ଅତିରିକ୍ତ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି । ଆସିକା ବ୍ଳକର ୨୭ଟି ପଂଚାୟତରେ ୨୩ ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟରତ ଥିବା ବେଳେ ୪ଟି କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିଛି । ସେହିଭଳି ୨୭ଟି ପଂଚାୟତରେ ୨୭ ଜଣ ଗ୍ରାମ ରୋଜଗାର ସେବକ ରହିବା ସ୍ଥଳେ ମାତ୍ର ୫ ଜଣ କାର୍ଯ୍ୟରତ ଥିବା ବେଳେ ୨୨ଟି ଗ୍ରାମ ରୋଜଗାର ସେବକ ପଦବୀ ଖାଲି ପଡିଛି । ପଂଚାୟତ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ୨୭ ଜଣ ରହିବା ଜାଗାରେ ୧୯ ଜଣ କାର୍ଯ୍ୟରତ ଥିବା ବେଳେ ୮ଟି ପଦବୀ ଖାଲି ପଡିଥିବା ଜଣାପଡିଛି । ସେହିପରି ଗୋଟିଏ ଉପବିଭାଗୀୟ ଅଧିକାରୀ, ଗୋଟିଏ କିରାଣୀ, ଗୋଟିଏ ସାମାଜିକ ସୁରକ୍ଷା ଅଧିକାରୀ, ୪ଟି କନିଷ୍ଠ ଯନ୍ତ୍ରୀ, ଗୋଟିଏ ମତ୍ସ୍ୟ ଅଧିକାରୀ, ଗୋଟିଏ ଆଇପିଓ ପଦବୀ ଖାଲି ପଡିଥିବା ଜଣାପଡିଛି । ଆସିକା ପଂଚାୟତ ସମିତି କାର୍ଯ୍ୟାଳୟରେ ଦୀର୍ଘ ଦିନ ହେଲା ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଖାଲି ପଡିଥିବାରୁ କେତେକ ପଂଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ବିଭିନ୍ନ ସମୟରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ସାଙ୍ଗକୁ ସରକାରଙ୍କ ବହୁବିଧ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଓ ଜନସଚେତନତା ଏବଂ ଗ୍ରାମାଂଚଳର ସର୍ବାଙ୍ଗୀନ ବିକାଶ ଦିଗରେ ଗ୍ରାମ ପଂଚାୟତ ଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି । ତେବେ ଦୀର୍ଘ ଦିନ ହେଲା ଆସିକା ପଂଚାୟତ ସମିତି କାର୍ଯ୍ୟାଳୟ ସମେତ କେତେକ ପଂଚାୟତରେ ବହୁ ପଦପଦବୀ ଖାଲି ପଡିଥିଲା ବେଳେ ସେ ଗୁଡିକୁ ପୂରଣ କରିବା ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଳକରେ କର୍ମଚାରୀ ଓ ଅଧିକାରୀମାନଙ୍କ ସଂଖ୍ୟା ପ୍ରାୟତଃ ସ୍ୱଭାବିକ ଥିଲା ବେଳେ ଆସିକା ବ୍ଳକରେ ଦୀର୍ଘ ଦିନ ହେଲା ସ୍ଥାୟୀ ବିଡିଓ ପଦବୀ ଖାଲି ପଡିଥିଲେ ମଧ୍ୟ ତାହା ପୂରଣ ନହେବା ଘଟଣାକୁ ନେଇ ସଚେତନ ନାଗରିକ ମହଲରେ ନାନା କଥା ଚର୍ଚ୍ଚା ହେଉଛି । ଆସିକା ବ୍ଳକକୁ ବିଡିଓ ହୋଇ ଆସିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି ନା ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଉନାହିଁ ତାହାକୁ ନେଇ ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ପଂଚାୟତ ସମିତିରେ ସ୍ଥାୟୀ ବିଡିଓ ସମେତ ବ୍ଳକ କାର୍ଯ୍ୟାଳୟ ଓ ବିଭିନ୍ନ ପଂଚାୟତରେ ଖାଲି ପଡିଥିବା ପଦପଦବୀ ଗୁଡିକ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


