ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି କଟକ ସହରର ମୁକୁଳା ଡ୍ରେନ, କେବଳ କାଗଜ କଲମରେ ସୀମିତ ସିମ୍‌ସିର ନିର୍ଦ୍ଦେଶ

କଟକ, (ଓ୍ବାଇଏନଏସ): କାଳ ସାଜିପାରେ କଟକର ମୁକୁଳା ଡ୍ରେନ୍ ! ବର୍ଷା ଋତୁ ଆସିଥିବା ବେଳେ କଟକ ସହରରେ ଅନେକ ଡ୍ରେନ ମୁଳୁଳା ଅବସ୍ଥାରେ ପଡି ରହିଛି । କେଉଁଠି ଡ୍ରେନ ଉପରେ ସ୍ଲାବ୍ ପଡି ଭାଙ୍ଗି ଯାଇଛି ତ, କେଉଁଠି ସ୍ଲାବ୍ ପଡି ନାହିଁ । ଆଉ କେଉଁଠି ପଙ୍କ ଉଦ୍ଧାର ନାଁରେ ସ୍ଲାବକୁ ଉଠାଇ ବାହାରେ ରଖା ଯାଇଛି । ବିଶେଷକରି ଭିଡ଼ ସ୍ଥାନ ମାନଙ୍କରେ ଯାଇଥିବା ଡ୍ରେନର ଅବସ୍ଥା ଅତି ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସେପଟେ ଆଗକୁ ବଡ଼ ବର୍ଷା ଆସୁଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଡ୍ରେନ ଉପରେ କଭର ନ ପଡିବା ସତେ ଯେପରି ବଡ଼ ଅଘଟଣକୁ ଆମନ୍ତ୍ରଣ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଡ୍ରେନ ଉପରେ କଭର ନ ପଡିବାରୁ ବର୍ଷା ଦିନେ ଅନେକ ଅଘଟଣ ଘଟୁଥିବା ନଜିର ରହିଛି । ବିଶେଷକରି ବର୍ଷା ଦିନେ ରାଜଧାନୀ ଭୁବନେଶ୍ୱର ଡ୍ରେନରେ ନାବାଳକ ଭାସି ଯାଇ ମୃତ୍ୟୁ ବରଣ କରିବା ଏବଂ କଟକରେ ମଧ୍ୟ ଅନେକ ଅଘଟଣ ଘଟିବା ସତ୍ବେ ଏଥିପ୍ରତି ସତେ ଯେପରି କାହାର ନିଘା ନାହିଁ । ଗତବର୍ଷ ବର୍ଷା ସମୟରେ ଜଣେ ଯୁବକ ଡ୍ରେନରେ ପଡି ଗୁରୁତ୍ୱର ମଧ୍ୟ ହୋଇଥିଲେ । କେବଳ ବର୍ଷା ଦିନେ କାହିଁକି ବରଂ ଅନ୍ୟ ଦିନମାନଙ୍କରେ ମଧ୍ୟ ଡ୍ରେନରେ ଅନେକ ଅଘଟଣ ଘଟୁଛି । ଯାହାକୁ ଦୃଷ୍ଟିରେ ରଖି ସିଏମସି ସହରର ସମସ୍ତ ୱାର୍ଡରେ ଡ୍ରେନ ଉପରେ ସ୍ଲାବ ବା କଭର ପକାଇବା ସହ ଯେଉଁଠି ସମସ୍ୟା ରହିଛି, ସେଠାରେ ବ୍ୟାରିକେଡ ଲଗାଇବାକୁ ନିଷ୍ପତ୍ତି ନେଇଥିଲା । ଚଳିତବର୍ଷ ବର୍ଷା ପୂର୍ବରୁ ସହରର ବିଭିନ୍ନ ଡ୍ରେନ ଉପରେ କଭର ପକାଇବାକୁ ସିଏମସି ସମସ୍ତ ୱାର୍ଡ ଅଧିକାରୀଙ୍କୁ କଡା ନିର୍ଦ୍ଧେଶ ଦେଇଥିବା ବେଳେ ଏହା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ସବୁଠାରୁ ଭିଭିଆଇପି ସ୍ଥାନ କୁହା ଯାଉଥିବା ଷ୍ଟାଡିୟମ୍ ରୋଡ଼ ଯେଉଁଠି କି ରହିଛି ବିଚାରପତିମାନଙ୍କ କ୍ଵାଟର୍ସ । ସେଠାରେ ଥିବା ଡ୍ରେନ ଉପରେ କଭର ପଡିଛି ସତ୍ୟ ମାତ୍ର ଅନେକ କଭର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସେହିପରି ଏହାର ଟିକେ ଆଗକୁ ଯାଇ ମତାମଠ ଛକରେ ଅବସ୍ଥା ଦେଖି ଥିଲୁ । ସେଠାରେ ମଧ୍ୟ ଅବସ୍ଥା ସମାନ । କିଛି ଡ୍ରେନ ଉପରେ ସ୍ଲାବ ନାହିଁ ଆଉ କିଛି ଡ୍ରେନ ଉପରେ ଧର୍ମକୁ ଆଖି ଠାର ମରିବା ଭଳି କଭର ପକାଯାଇଛି । ଯାହାର ଅବସ୍ଥା ନ କହିବା ଭଲ । ଏହି ସ୍ଲାବ ବା କଭର ଉପରେ ଯଦି ଜଣେ ଲୋକ ଚଢି ଯାଆନ୍ତି ତେବେ ତାହା ଭାଙ୍ଗି ଯିବା ସଦୃଶ । ସେହି ସ୍ଲାବରେ ଥିବା ରଡ଼ ଦେଖା ଯାଉଛି । ମଙ୍ଗଳା ବାଗ ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା । ସେହିପରି ରୁଚି ମସଲା ଗଳିରେ ମଧ୍ୟ ସ୍ଥିତି ଆହୁରି ସାଙ୍ଘାତିକ । ଏହି ସ୍ଥାନରେ ପ୍ରାୟ ୪ ଫୁଟ ଓସାର ଡ୍ରେନ ମାତ୍ର ପୁରା ମୁକୁଳା ଅବସ୍ଥାରେ । ସାମାନ୍ୟ ବର୍ଷା ହେଲେ ଏଠାକାର ରାସ୍ତା, ଡ୍ରେନର ପାଣି ପୁରା ଏକାକାର ହୋଇଯାଏ । ଅର୍ଥାତ ବର୍ଷା ପାଣି ରାସ୍ତା ଉପରେ ଜମି ରହିଲେ କେଉଁଠି ଡ୍ରେନ ଏବଂ କେଉଁଠି ରାସ୍ତା ତାହା ଜାଣିବା ମୁସ୍କିଲ । ସହରର ଲୋକ ଯେଉଁମାନେ ପ୍ରତ୍ୟେକ ଦିନ ଯାତାୟାତ କରୁଛନ୍ତି ସେମାନେ ରାସ୍ତାକୁ ଅନୁମାନ କରି ଯାତାୟାତ କରି ପାରିବେ ମାତ୍ର ଯଦି ଅଜଣା ବ୍ୟକ୍ତିଟିଏ ଏହି ସମୟରେ ଯାତାୟାତ କରନ୍ତି, ତେବେ ଆହତ ହେବାର ସମ୍ଭାବନା ଅଧିକ ରହିଛି । ମୁକୁଳା ଡ୍ରେନ ପାଇଁ ଜନ ସାଧାରଣଙ୍କ ଉପରେ ଦୋଷ ଲଦି ଦେଇଛନ୍ତି ସିଏମସି ମେୟର ସୁବାସ ସିଂହ । ସେ କହିଛନ୍ତି,” ଡ୍ରେନ ଉପରେ କଭର ପକାଯାଇଛି, କେବଳ ଲୋକ ତାହାର ଉପରେ ଚାଲିବା ପାଇଁ । ମାତ୍ର ଲୋକମାନେ ଯଦି ତାହା ଉପରେ ବଡ଼ ଗାଡି ଚଢ଼ାଇବେ ତାହା ଭାଙ୍ଗି ଯିବ । ସାଧାରଣ ଲୋକମାନେ ସଚେତନ ନଥିବାରୁ ଡ୍ରେନ ଭାଙ୍ଗି ନଷ୍ଟ ହେଉଛି । ତେବେ ସହରରେ ଥିବା ମୁକୁଳା ଡ୍ରେନ ଉପରେ କଭର ପକାଇବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆ ଯାଇଛି । ଯେଉଁଠି ସ୍ଲାବ ଭାଙ୍ଗି ଥିବ ସେଠାରେ ମରାମତି କରାଯିବ । ଏବଂ ଯେଉଁ ସ୍ଥାନରେ ପଡି ନଥିବ ସେଠାରେ ସାନି ଟେଣ୍ଡର କରାଯିବ । ମୁକୁଳା ଡ୍ରେନ ପାଇଁ ଯେପରି ଅଘଟଣ ନହେବ ସେଥିପାଇଁ ସଜାଗ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆ ଯାଇଛି ।”
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ