ଯୌତୁକ ଦାବିରେ ବଧୂ ହତ୍ୟା ଅଭିଯୋଗ
ହାଟଡିହି (ଓ୍ବାଇଏନଏସ): ଅଧିକ ଯୌତୁକ ଦାବିରେ ବଧୂ ହତ୍ୟା ଅଭିଯୋଗ ହୋଇଛି। ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ସଂଖୋ ଗ୍ରାମର ନରେନ୍ଦ୍ର ଦାସଙ୍କ ଝିଅ ଝରଣା ଦାସ ଭଣ୍ଡାରିପୋଖରୀ ଥାନା କୋରିଗାଁ ଗ୍ରାମର ହରେକୃଷ୍ଣ ବେହେରାଙ୍କ ପୁଅ ଦେବପ୍ରସାଦ ବେହେରାଙ୍କୁ ଗତ ବର୍ଷେ ତଳେ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷର ଦାବି ମୁତାବକ ୫୦ ହଜାର ଯୌତୁକ ଦେଇଥିଲେ ମଧ୍ୟ ଅଧିକ ୫୦ ହଜାର ଯୌତୁକ ଦାବିରେ ନିର୍ଯ୍ୟାତନା ଦେଇ ଆସୁଥିଲେ। ଆଜି ସକାଳୁ ହରେକୃଷ୍ଣ ନରେନ୍ଦ୍ର ଦାସଙ୍କୁ ଫୋନ କରି ତୁମ ଝିଅ ରଶି ଲଗାଇ ଆତ୍ମହତ୍ୟା କରିଥିବା କହିଥିଲେ। ବାପଘର ଲୋକେ ପହଞ୍ଚି ପରିପାର୍ଶ୍ଵିକ ପରିସ୍ଥିତିକୁ ଦେଖିବା ପରେ ଏହା ଏକ ସୁ ପରୀକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ। ଭଣ୍ଡାରିପୋଖରୀ ଥାନା ପୋଲିସ ପହଞ୍ଚି ଶବ ଜବଦ କରିବା ସହିତ ବ୍ୟବଚ୍ଛେଦ କରାଇ ଛନ୍ତି। ପୋଲିସ ଅଭିଯୁକ୍ତ ସ୍ୱାମୀ, ଶାଶୁ ଓ ଶ୍ୱଶୁରକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।


