ଥାନା ଛକ ଲକ୍ଷ୍ମୀ ପୂଜା କମିଟିର ସଭାପତିଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଥାନା ଛକ ଲକ୍ଷ୍ମୀ ପୂଜା କମିଟିର ସଭାପତି ରାମ ଚନ୍ଦ୍ର ପଣ୍ଡା(୭୨)ଙ୍କର ଗୁରୁବାର ପରଲୋକ ଘଟିଛି l ଗତ ୧୫ ଦିନ ତଳେ ସେ ହାର୍ଟ ଏବଂ କିଡିନ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଗୁରୁବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି l ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା l ସାନପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ଭାଇ, ଭାଇବୋହୁ, ପୁଅ,ବୋହୁ, ଝିଅ, ଜ୍ୱାଇଁ, ନାତି, ନାତୁଣୀ, ପରିବାର ବର୍ଗ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l ସେ ଦୀର୍ଘ ବର୍ଷ ହେବ ବନ୍ତ ଥାନା ଛକ ଠାରେ ସୁକାନ୍ତୀ ମେଡ଼ିସିନ ଦୋକାନ ନାମରେ ଏକ ଔଷଧ ଦୋକାନ କରିଆସୁଥିଲେ l ଏଥିସହ ସେ ବନ୍ତ ଥାନା ଛକ ଲକ୍ଷ୍ମୀ ପୂଜା କମିଟିର ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ l ସେ ବନ୍ତ ଅଞ୍ଚଳର ଜଣେ ଟାଣୁଆ କଂଗ୍ରେସ ନେତା ଭାବେ ବେଶ ପରିଚିତ ଥିଲେ l ମୃତ୍ୟୁ ଖବର ପାଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହସପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି l ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l


