କାକଟପୁର ନିର୍ବାଚନ ମଣ୍ଡଳୀରେ ପ୍ରକାଶ ପାଇଲା ଚିଠା ଭୋଟର ତାଲିକା
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନ ପ୍ରକ୍ରିୟା ପରେ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଅନୁସାରେ ନିର୍ବାଚନ ମଣ୍ଡଳୀର ଅସ୍ତରଙ୍ଗ ଓ କାକଟପୁର ଦୁଇ ବ୍ଲକରେ ବୁଥ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିବା ବେଳେ ଭୋଟର ସଂଖ୍ୟାରେ ବଡ ପରିବର୍ତନ ହୋଇଛି। ଅସ୍ତରଙ୍ଗ ବ୍ଲକ ଅଧୀନ ୧୫ ଗୋଟି ପଂଚାୟତରେ ପୂର୍ବରୁ ୮୯ଟି ବୁଥ୍ ଥିବା ବେଳେ ଏସଆଇଆର ପରେ ଏହାକୁ ୯୬ଟିକୁ ବୃଦ୍ଧି କରାଯାଇଛି। ଅର୍ଥାତ ୭ଟି ନୂଆ ବୁଥ୍ ସୃଷ୍ଟି ହୋଇଛି। ବିଶେଷ ଭାବେ ଅସ୍ତରଙ୍ଗ, ନୂଆଗଡ, ନଗର, ପାଟସୁନ୍ଦରପୁର, ଡେରୁଣିଆ ଓ କୁଣ୍ଢେସ୍ୱର ଅଂଚଳରେ ପ୍ରତ୍ୟେକରେ ୧ ଟି ଲେଖାଏଁ ଭୋଟ ଦାନ କେନ୍ଦ୍ର ବଢିଛି। ଏହି କାର୍ଯ୍ୟ ପାଇଁ ବ୍ଲକରେ ୮୯ ଜଣ ବିଏଲଓ, ୯ ଜଣ ସୁପରଭାଇଜର ନିୟୋଜିତ ହୋଇଥିବା ବେଳେ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି ସମଗ୍ର ପ୍ରକ୍ରିୟାର ତଦାରଖ କରୁଛନ୍ତି।କାକଟପୁର ବ୍ଲକରେ ଏସଆଇଆର ପରେ ଭୋଟର ସଂଖ୍ୟା ହ୍ରାସ ପାଇଛି। ପୂର୍ବରୁ ୯୨,୭୫୨ ଜଣ ଭୋଟର ଥିବା ବେଳେ ବର୍ତମାନ ୮୭,୭୧୧ ଜଣ ହୋଇଛନ୍ତି। ଅର୍ଥାତ ୫,୦୪୧ ଜଣଙ୍କ ନାମ କଟିଛି। ମୃତ, ସ୍ଥାନାନ୍ତରିତ ଓ ଦ୍ୱିତୀୟ ସ୍ଥାନରେ ନାମ ଥିବା ବ୍ୟକ୍ତିଙ୍କୁ ବାଦ ଦିଆଯାଇଥିବା ବେଳେ ନୂଆ ୧୮ ବର୍ଷ ହୋଇଥିବା ଯୁବକ ଯୁବତୀଙ୍କ ନାମ ଯୋଡା ଯାଇଛି। ତେବେ ବୁଥ୍ ସଂଖ୍ୟା ୧୦୨ ରୁ ୨୧ ଟି ବୃଦ୍ଧି ପାଇ ୧୨୩ ଟି ହୋଇଛି। ବିଡ଼ିଓ ନାରାୟଣ ଦୀକ୍ଷିତି ଓ ତହସିଲଦାର ଏହାର ତଦାରଖ କରୁଛନ୍ତି।ତାଲିକା ଅନୁସାରେ କାକଟପୁର ନିର୍ବାଚନ ମଣ୍ଡଳୀରେ ମୋଟ ୩୧୯ ଟି ବୁଥ୍ ରହିଛି। ମୋଟ ଭୋଟର ସଂଖ୍ୟା ୨,୨୪,୩୪୧ ଯେଉଁଥିରେ ପୁରୁଷ ୧,୧୭,୪୪୩, ମହିଳା ୧,୦୬,୮୯୨ ଓ ତୃତୀୟ ଲିଙ୍ଗ ୬ ଜଣ ଅଛନ୍ତି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ୫ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଭୋଟରମାନେ ନାମ ଯୋଡା, ବାଦ ଓ ତ୍ରୁଟି ସଂଶୋଧନ ପାଇଁ ଆପତ୍ତି ଦାଖଲ କରିପାରିବେ। ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଆପତ୍ତିର ଶୁଣାଣୀ ହୋଇ ସେପ୍ଟେମ୍ବର ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ପ୍ରଶାସନ ପକ୍ଷରୁ ସମସ୍ତ ଭୋଟରଙ୍କୁ ନିଜ ନାମ ତାଲିକାରେ ଅଛି କି ନାହିଁ ତାହା ଯାଞ୍ଚ କରିବା ସହ ତ୍ରୁଟି ଥିଲେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆବେଦନ କରିବାକୁ ଅନୁରୋଧ କରାଯାଇଛି। ଏହି ଏସଆଇଆର ମାଧ୍ୟମରେ ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ କରିବା ଲକ୍ଷ୍ୟ ରହିଛି।


