ପବିତ୍ର ଅଟେ ଶ୍ରୀ କ୍ଷେତ୍ରର ଶରଧାବାଲି


ସନ୍ତୋଷ କୁମାର ଦାଶ

ଶରଧାବାଲି ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡ ର ଅଂଶ ବିଶେଷ । ପୁରାତନ କାଳରେ ଶ୍ରୀକ୍ଷେତ୍ର ପୁରୀ ରେ ପ୍ରବାହିତ ହେଉଥିବା ମାଳିନୀ ନଦୀକୁ ପୋତି ଗୁଣ୍ଡିଚା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର କୁ ଏକ ସିଧା ରାସ୍ତା ସଂଯୋଗ ସକାଶେ ବାଲି ପକାଇ ପୁର୍ଣ୍ଣ କରାଯାଇଥିଲା । ସେହି ସ୍ଥାନକୁ ଶରଧାବାଲି କୁହାଯାଉଥିଲା। ତ୍ରୟୋଦଶ ଶତାବ୍ଦୀ ରେ ପୁରୀ ର ଗଜପତି ଥିଲେ ଭାନୁଦେବ ଏବଂ ମହାରାଣୀ ଙ୍କ ନାମ ଥିଲା ଶ୍ରଦ୍ଧା ଦେବୀ । କିମ୍ୱଦନ୍ତୀ କୁହେ ଇନ୍ଦ୍ରଦ୍ୟୁମ୍ନ ରାଜା ସ୍ୱପ୍ନାଦେଶ ପାଇ ସମୁଦ୍ରରୁ ମହା ଦାରୁ ସଂଗ୍ରହ କରି ଆଣି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପ୍ରତିମା ନିର୍ମାଣ କରିଥିଲେ ।ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ନିର୍ମାଣ କରାଇ ତିନିଠାକୁରଙ୍କୁ ସିଂହାସନ ରେ ବସାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ସେତେବେଳେ ପୁରୀ ସହରକୁ ତିନୋଟି ଛୋଟ ଛୋଟ ନଦୀ ଘେରି ରହିଥିଲେ । ସେଥିରୁ ମାଳିନୀ ନାମକ ନଦୀଟି ବାଙ୍କି ମୁହାଣ ଠାରେ ସମୁଦ୍ରରେ ମିଶିଥିଲା । ତେଣୁ ମାଳିନୀ ନଦୀ ଦ୍ୱାରା ବଡ଼ଦାଣ୍ଡ ଦୁଇଭାଗରେ ବିଭକ୍ତ ହୋଇଥିଲା । ଫଳରେ ଗୁଣ୍ଡିଚା ମନ୍ଦିରକୁ ଶ୍ରୀମନ୍ଦିର ସହିତ ସିଧା ସଂଯୋଗ ହୋଇ ପାରୁନଥିଲା । ଇନ୍ଦ୍ରଦ୍ୟୁମ୍ନ ରାଜା ପ୍ରଥମେ ତିନୋଟି ରଥ ନିର୍ମାଣ କରି ଠାକୁରମାନଙ୍କୁ ନେଇ ମାଳିନୀ ନଦୀକୂଳକୁ ନେଲେ । ନଦୀରେ ତିନୋଟି ବଡ଼ ଡଙ୍ଗାରେ ପ୍ରତିମାମାନଙ୍କୁ ପାରିକରି ଶ୍ରୀମନ୍ଦିର ପାର୍ଶ୍ୱକୁ ନେଲେ । ଏପଟେ ନଦୀ କୂଳ ରୁ ଆଉ ତିନୋଟି ରଥ ନିର୍ମାଣ କରି ଶ୍ରୀମନ୍ଦିରକୁ ନେଇ ପ୍ରତିଷ୍ଠା କରିଥିଲେ । ସେହି ସମୟ ଠାରୁ ରଥଯାତ୍ରାର ସୃଷ୍ଟି ହୋଇଛି ବୋଲି ଅନେକ ମତ ଦିଅନ୍ତି । ଏହା ଥିଲା ଠାକୁରଙ୍କ ଜନ୍ମବେଦୀରୁ ଶ୍ରୀମନ୍ଦିର କୁ ପ୍ରଥମ ରଥଯାତ୍ରା । ଏହା ପରେ ପ୍ରଭୁ ନିଜେ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ କହିଲେ, ସବୁବର୍ଷ ତାଙ୍କର ଜନ୍ମସ୍ଥାନ ବା ଆଡ଼ପ ମଣ୍ଡପକୁ ଯିବାକୁ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ତାଙ୍କର ରଥଯାତ୍ରା କରିବାକୁ । ଇନ୍ଦ୍ରଦ୍ୟୁମ୍ନଙ୍କ ଶାସନ କାଳରୁ ଆଜିଯାଏ ସେହିପରି ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି । ସେତେବେଳେ ଆଜି ଭଳି ରାସ୍ତାଘାଟର ସୁବିଧା ନଥିଲା । ତେଣୁ ବାଲି ମାଟିରେ ରଥ ଟାଣିବା ବହୁତ କଷ୍ଟ ହେଉଥିଲା । ରାଜା ଅଶ୍ୱ, ଗଜ ଓ କଳା ବେଠିଆ ମାନଙ୍କୁ ଲଗାଇ ରଥ ଟାଣୁଥିଲେ । ଛଅଟି ରଥ ତିଆରି କରି ରଥଯାତ୍ରା କରିବା ବହୁତ କଷ୍ଟସାଧ୍ୟ ହେଉଥିଲା । ଏଥିପାଇଁ ନବଦିନାତ୍ମକ ଯାତ୍ରା ଅନୁଷ୍ଠିତ ହେବାକୁ ମାସରୁ ଉର୍ଦ୍ଧ୍ୱ ସମୟ ଲାଗୁଥିଲା ।ଏହିପରି ଅସୁବିଧାକୁ ଦେଖି ମହାରାଣୀ ଶ୍ରଦ୍ଧାଦେବୀଙ୍କ ଏକ ଚିନ୍ତା ଆସିଲା । ସେ ଗଜପତି ମହାରାଜାଙ୍କୁ କହିଲେ ଆମର ରଥଯାତ୍ରା କରିବାକୁ ଏତେ ଅସୁବିଧା ହେଉଛି । ତେଣୁ ତୁମେ ଯଦି ମାଳିନୀ ନଦୀକୁ ପୋତି ଦିଅନ୍ତ ତେବେ ତିନୋଟି ରଥ ସିଧା ଗୁଣ୍ଡିଚା ମନ୍ଦିରକୁ ଯାଇ ପାରନ୍ତା । ଭାନୁଦେବ ଏକଥା ଶୁଣି ହସିକରି କହିଲେ, ତୁମର ମୁଣ୍ଡ ଖରାପ ହେଲାଣି ନା କ’ଣ ? ନଦୀ ପୋତିବା କ’ଣ ଏତେ ସହଜ ? ରାଣୀ କହିଲେ ଭଣ୍ଡାରରୁ ମୋତେ କିଛି ଅର୍ଥ ଦିଅନ୍ତୁ ମୁଁ ଯାଇ ବାଲି ପକାଇ ନଦୀ ପୋତା କାର୍ଯ୍ୟ ଆରମ୍ଭ କରିବି । ତଥାପି ରାଜା ମହାରାଣୀ ଙ୍କ କଥାକୁ ବିଶ୍ୱାସ କରିପାରିଲେ ନାହିଁ । ଶେଷରେ ରାଣୀ କହିଲେ ଆମେ ପୋତିବା କାର୍ଯ୍ୟ ଆରମ୍ଭ କରିଦେଲେ ଆମର ପରପିଢ଼ି କେହି କେବେ ତ ଏ କାର୍ଯ୍ୟ ସଂପାଦନ କରିପାରିବେ । ତେଣୁ ଏହି କାର୍ଯ୍ୟଟି କରିବା ଦାୟିତ୍ୱ ମୋତେ ଦିଅନ୍ତୁ। ଶେଷରେ ରାଣୀଙ୍କ କଥାରେ ଗଜପତି ସମ୍ମତ ହୋଇ ବାଲି ପକାଇ ନଦୀ ପୋତା କାର୍ଯ୍ୟ ଆରମ୍ଭ କରିଦେଲେ । ଭଗବାନଙ୍କର ଏ ଥିଲା ଏକ ବିଚିତ୍ର ଲୀଳା । ଚାହୁଁ ଚାହୁଁ ସେହି ବର୍ଷ ରଥଯାତ୍ରା ପୂର୍ବରୁ ମାଳିନୀ ନଦୀଟି ବାଲିରେ ପୋତି ହୋଇଗଲା । ଗଜପତି ଆଶ୍ଚର୍ଯ୍ୟ ହୋଇଗଲେ ।ଫଳରେ ଶ୍ରୀମନ୍ଦିର ରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏ ଗୋଟିଏ ବଡ଼ଦାଣ୍ଡ ହୋଇପାରିଲା । ଛଅଟି ରଥ ପରିବର୍ତ୍ତେ ତିନୋଟି ରଥରେ ଠାକୁରଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇପାରିଲା । ଗଜପତି ବହୁତ ଖୁସି ହୋଇଗଲେ । ମହାରାଣୀ ଶ୍ରଦ୍ଧାଦେବୀଙ୍କଦ୍ୱାରା ବାଲି ପୋତାଯାଇ ଏଭଳି ଏକ ଅସମ୍ଭବ କାର୍ଯ୍ୟ ହୋଇ ପାରିଥିବାରୁ, ଗଜପତି ଖୁସିହୋଇ ମହାରାଣୀଙ୍କ ନାମ ଶ୍ରଦ୍ଧା ସହିତ ବାଲିକୁ ଯୋଡ଼ି ଦେଇ ସେହି ସ୍ଥାନଟିର ନାମ ରଖିଲେ ‘ଶ୍ରଦ୍ଧାବାଲି’ । କାଳକ୍ରମେ ଶ୍ରଦ୍ଧା ଶବ୍ଦର ଉଚ୍ଚାରଣ ଶରଧା ହୋଇ ନାମ ହୋଇଗଲା ‘ଶରଧାବାଲି’ । ଏହି ରାସ୍ତା ଦେଇ ଠାକୁର ମାନଙ୍କ ରଥ ଟଣା ହୋଇ ଯାଉଥିବାରୁ ବଡ଼ଦାଣ୍ଡ ର ଶରଧାବାଲି କୁ ଭକ୍ତ ମାନେ ମୁଣ୍ଡିଆ ମାରିବାକୁ ଆଉ ଏହି ଶରଧାବାଲି କୁ ଭକ୍ତି ରେ ଦେହ ସାରା ବୋଳି ଶ୍ରୀ ଜଗନ୍ନାଥ ଙ୍କ ପ୍ରତ୍ୟେକ୍ଷ ସ୍ପର୍ଶ ର ଅନୁଭବ କଲେ। ଶରଧାବାଲି ଶ୍ରୀକ୍ଷେତ୍ର ପୁରୀ ର ଏକ ପବିତ୍ର ସ୍ଥାନ ପାଲଟିଗଲା। ସମୟ ର ପରିବର୍ତ୍ତନ ହେଲା। ବାଲି ରାସ୍ତା ଆଜି ପିଚୁ ହୋଇଛି। ସେହି ପିଚୁ ସଡ଼କ ଉପରେ ଠାକୁର ମାନଙ୍କ ରଥ ଟଣା ହେଉଛି। ତେବେ ବି ଶରଧାବାଲି ର ପବିତ୍ରତା କୁ ଭକ୍ତ ମାନେ ଭୂଲି ପାରି ନାହାଁନ୍ତି। ବର୍ଷ ସାରା ଶ୍ରୀ କ୍ଷେତ୍ର ପୁରୀ କୁ ଆସୁଥିବା ଭକ୍ତ ମାନେ ସେହି ପିଚୁ ସଡ଼କ ବଡ଼ଦାଣ୍ଡ ର କୋଣ ଅନୁକୋଣରେ ପଡ଼ିଥିବା ସ୍ଵଳ୍ପ ପରିମାଣ ର ବାଲି କୁ ଭକ୍ତ ମାନେ ମୁଣ୍ଡରେ ବୋଳି ଶରଧାବାଲି ର ସ୍ମୁତି କୁ ମନେ ପକାଉଛନ୍ତି।ଆଉ ମନେ ମନେ ଶ୍ରୀ ଜଗନ୍ନାଥ ଙ୍କ ପ୍ରତ୍ୟେକ୍ଷ ସ୍ପର୍ଶକୁ ଅନୁଭବ କରୁଛନ୍ତି । ଜୟ ଜଗନ୍ନାଥ ସ୍ଵାମୀ।

ତୁଳସୀପୁର, ପୁରୀ।।
୯୪୩୯୩୬୧୮୮୮।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ