ନୂଆ ରମ୍ପାସ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତକୁ ରିମାଣ୍ଡରରେ ଆଣି ଘର ତଲାସୀ କଲା ପୋଲିସ
ହାଟଡିହି (ଓ୍ବାଇଏନଏସ): ନୂଆ ରମ୍ପାସ ଗ୍ରାମରେ ସୁନା ବନ୍ଧକ ଦେବାକୁ ନେଇ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ନନ୍ଦିପଦା ପୋଲିସ ଆଜି ଅଭିଯୁକ୍ତ ହରେକୃଷ୍ଣ ପହିକୁ ଗୋଟିଏ ଦିନ ରିମାଣ୍ଡରରେ ଆଣି ତଦନ୍ତକୁ ଅଗ୍ରସର କରିଛି। ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା। ଯେହେତୁ ସୁନା ବନ୍ଧକକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲା ତେଣୁ ପୋଲିସ ଅଭିଯୁକ୍ତ ହରେକୃଷ୍ଣ ପହିକୁ ଧରି ମାଜିଷ୍ଟେଟଙ୍କ ଉପସ୍ଥିତରେ ଘର ଖାନ ତଲାସୀ କରିବା ସହିତ କିଛି ସୁନା ଓ ସୁନା ଦେଣ ନେଣର କାଗଜ ପତ୍ରକୁ ଜବଦ କରିଛି। ପରେ ଅଭିଯୁକ୍ତକୁ କୋର୍ଟ ପଠାଇ ଦିଆ ଯାଇଛି। ଏଠାରେ ସୂଚନାଯୋଗ୍ୟ ନୂଆରମ୍ପାସ ଗ୍ରାମର ବିଶ୍ୱନାଥ ଓଝା ଗତ ୩ବର୍ଷ ତଳେ ସେହି ଗ୍ରାମର ହରେକୃଷ୍ଣ ପହିଙ୍କ ପତ୍ନୀ ରମାମଣିଙ୍କ ନିକଟରେ କିଛି ସୁନା ଅଳଙ୍କାର ବନ୍ଧା ଦେଇ ୧୫ ହଜାର ଟଙ୍କା କରଜ ସୂତ୍ରରେ ଆଣିଥିଲେ। ପରବର୍ତ୍ତୀ ସମୟରେ ଆଣିଥିବା ଟଙ୍କାର ସୁଧ ମୂଳ ସହ ଫେରସ୍ତ କରି ସୁନା ଫେରାଇବାକୁ କହିବାରୁ ରମାମଣୀ ଆଉ ବନ୍ଧକ ସୁନା ଫେରସ୍ତ କରି ନଥିଲା। ଯାହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏନେଇ ବିଶ୍ୱନାଥ ଥାନାରେ ଅଭିଯୋଗ କରିବାରୁ ହରେକୃଷ୍ଣ ପହିଙ୍କ ପରିବାର ଲୋକେ ସଙ୍ଘ ବଦ୍ଧ ହୋଇ ଆକ୍ରମଣ କରି ଥିଲେ। ଫଳରେ ବିଶ୍ୱନାଥଙ୍କ ମୃତ୍ୟୁ ଘଟିଥିଲା। ମୃତ ବିଶ୍ୱନାଥଙ୍କ ସ୍ତ୍ରୀ କାଞ୍ଚନଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ ୨୭୧/୨୦୨୬ ରେ ଏକ ମାମଲା ପଞ୍ଜିକରଣ କରିଥିଲା l ଉକ୍ତ ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତ ସ୍ୱାମୀ ହରେକୃଷ୍ଣ ପହି,ସ୍ତ୍ରୀ ରମାମଣି ପହି ଏବଂ ପୁଅ ପ୍ରଦୀପ ପହିଙ୍କୁ ପୋଲିସ ଗିରଫ କରିଥିଲା l


