୩୪ ବର୍ଷ ପରେ ପ୍ରଥମ ଥର ପାଇଁ ରଥରେ ବିଜେ କଲେ କାଳିଆ ସାଆନ୍ତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି କୋଟି ଓଡ଼ିଆର ମଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରା। ବେଲଗୁଣ୍ଠା ବ୍ଳକ୍ ବେଣୀପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମାଧବରିଡା ସ୍ଥିତ ତ୍ରିବେଣୀ ସଙ୍ଗମ ନିକଟରେ ଦୀର୍ଘ ବର୍ଷ ଧରି ପୂଜା ପାଉଥିବା ମହାପ୍ରଭୁ ଜଗନ୍ନାଥ ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ ଆଜି ପ୍ରଥମ ଥର ପାଇଁ ରଥରେ ବିଜେ ହୋଇ କରିଛନ୍ତି ଘୋଷଯାତ୍ରା। ପୂର୍ବରୁ ମହାପ୍ରଭୁଙ୍କ ନିମନ୍ତେ କୌଣସି ରଥର ବ୍ୟବସ୍ଥା ନଥିବାରୁ ରଥ ଯାତ୍ରା ସମୟରେ ପ୍ରଥମେ ଶଗଡ଼ ଏବଂ ପରେ ପରେ ଡାଲା ଅଟୋରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେଉଥିଲା। ସାଧନ ଏବଂ ଅର୍ଥର ଅଭାବ ହେତୁ ଏହି ଘଟଣା ସ୍ଥାନୀୟ ଜଗନ୍ନାଥପ୍ରେମୀଙ୍କୁ ମହାପ୍ରଭୁଙ୍କ ଏହି ଅଭାବନୀୟ ଘଟଣା କଷ୍ଟ ଦେଇ ଆସୁଥିଲା। ଚଳିତ ବର୍ଷ ସ୍ଥାନୀୟ ସରପଞ୍ଚ ଦୁର୍ଗାମାଧବ ନାୟକ ଏବଂ ମାଧବରିଡା ମଠାଧୀଶ ମହନ୍ତ ଚିଦାନନ୍ଦ ଦାସଜୀଙ୍କ ତତ୍ତ୍ଵାବଧାନରେ ଭଞ୍ଜନଗର ବନବିଭାଗର ସହଯୋଗ କ୍ରମେ ମହାପ୍ରଭୁଙ୍କ ନିମନ୍ତେ ଏକ ରଥର ପରିକଳ୍ପନା କରାଯାଇ ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିଲା ରଥ। ବୁଗୁଡ଼ା ନିକଟସ୍ଥ ଆଦିପୁର ଗ୍ରାମର ହରେକୃଷ୍ଣ ମହାରଣାଙ୍କ ନେତୃତ୍ବରେ ଏକ ଦଶ ଜଣିଆ ଟିମ୍ ଦୁଇ ମାସରେ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ଆଜି ପ୍ରାତଃ ସମୟରୁ ପ୍ରତିକୂଳ ପାଗ ସତ୍ତ୍ଵେ ମହାପ୍ରଭୁଙ୍କ ରୀତିନୀତି ଯଥାବିଧି ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ହୋମରେ ସଚିନ୍ ମହାପାତ୍ର ଏବଂ ତାଙ୍କ ସହଧର୍ମିଣୀ କର୍ତ୍ତା ରୂପେ ଦାୟିତ୍ଵ ତୁଲାଇଥିଲେ। ହୋମ ଯଜ୍ଞରେ ମଠାଧୀଶ ଚିଦାନନ୍ଦ ଦାସ ଜୀ ମହାରାଜ,ମଦନ ମୋହନ ଦାସ ମହାରାଜ,ବ୍ରଜାନନ୍ଦ ଦାସ ମହାରାଜ,ଲଡୁ କିଶୋର ଦାସ ମହାରାଜ ପ୍ରମୁଖ ସହଯୋଗ କରିଥିଲେ। ସ୍ବାମୀ ଭୁବନାନନ୍ଦ ସରସ୍ଵତୀ ଉପସ୍ଥିତ ରହି ମହାପ୍ରଭୂଙ୍କ ଦର୍ଶନ କରିଥିଲେ। ନିର୍ଦ୍ଧାରିତ ସମୟରେ ନବ ନିର୍ମିତ ରଥକୁ ପ୍ରତିଷ୍ଠା କରାଯାଇ ମହାପ୍ରଭୁଙ୍କ ପହଣ୍ଡି ବିଜେ ହୋଇଥିବା ବେଳେ ତ୍ରିବେଣୀ ସଙ୍ଗମ ମଠାଧୀଶ ଚିଦାନନ୍ଦ ଦାସ ଜୀ ମହାରାଜ ଛେରା ପହଁରା କରିବା ପରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ବିଶ୍ଵକର୍ମା ମହାରଣାଙ୍କ ଅନୁମତି କ୍ରମେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ନିମନ୍ତେ ରଥ ନିର୍ମାଣ ହୋଇଥିବାରୁ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ମଧ୍ୟରେ ନିଆରା ଆଗ୍ରହ ଦେଖିବାକୁ ମିଳିଥିଲା। ଶହ ଶହ ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁ ଏକାଠି ହୋଇ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣି ନେଇଥିଲେ। ବଡନଦୀ,ଲୋହରାଖଣ୍ଡି ଏବଂ ବୋଡା ନଦୀର ମିଳନ ସ୍ଥଳ ତ୍ରିବେଣୀ ଘାଟରେ ଏକ ମନୋରମ ପରିବେଶ ମଧ୍ୟରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସଙ୍କୀର୍ତ୍ତନ ମଣ୍ଡଳୀ ଏବଂ ସାରୀଆ ପଲ୍ଲୀ ଘଣ୍ଟ ବାଦ୍ୟରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଚଳିତ ବର୍ଷ ମହାପ୍ରଭୁଙ୍କ ପାଇଁ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ବର୍ଷରେ ଗୁଣ୍ଡିଚା ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସରପଞ୍ଚ ଦୁର୍ଗାମାଧବ ନାୟକ ପ୍ରକାଶ କରିଛନ୍ତି। ଏହି ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ତ୍ରିପାଠୀ,ଶିବରାମ ଚୌଧୁରୀ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ବହୁ ସଦସ୍ୟ ,କାଉନସିଲର ଭାସ୍କର ପାତ୍ର ଉପସ୍ଥିତ ଥିବା ବେଳେ ସେମାନଙ୍କୁ ମନ୍ଦିର ପରିଚାଳନା କମିଟି ତରଫରୁ ଉପଢୌକନ ଏବଂ ଜଗନ୍ନାଥଙ୍କ ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସରପଞ୍ଚ ଦୁର୍ଗାମାଧବ ନାୟକ,ସ୍ଥାନୀୟ ଯୁବକ ଶ୍ରୀକାନ୍ତ ଡାକୁଆ,ସ୍ବସ୍ତି ସୁନ୍ଦର ସିଅଙ୍କ ସମେତ ମାଧବରିଡା ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରିଥିଲେ। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଗାଙ୍ଗପୁର ପୋଲିସ୍ ବାହିନୀ ଶାନ୍ତି ଶୃଙ୍ଖଳା ପ୍ରତି ନଜର ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ