ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଏକାଧିକ ପଂଚାୟତରେ ବନ୍ୟା ପରିସ୍ଥିତି, ଶୁଖିଲା ଖାଦ୍ୟ ବାଂଟି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ
ବାଲେଶ୍ବର(ସରୋଜ ପଣ୍ଡା): ଲଘୁଚାପ ଜନିତ ଉତ୍ତର ଓଡିଶାରେ ଲଗାଣ ବର୍ଷା ଯୋଗୁଁ ସମ୍ପ୍ରତି ବାଲେଶ୍ୱରରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ଗତ ୨୭ତାରିଖ ରାତିରେ ଭୀଷଣ ବର୍ଷା ପରେ ଜଳମଗ୍ନ ବାଲେଶ୍ୱର ସହରର ଅନେକ ସ୍ଥାନରୁ ଜଳ ନିଷ୍କାସିତ ହୋଇଥିଲେ ବି ତଳିଆ ଅଂଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ଏହି ବନ୍ୟା ପ୍ରକୋପରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟର ନେତୃତ୍ୱ ନେଉଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ସଦର ନିର୍ବାଚନମଣ୍ଡଳୀର ଏକାଧିକ ପଂଚାୟତ ପାଣି ଘେରରେ ଥିବା ବେଳେ ପ୍ରଭାବିତ ଅଂଚଳର ଲୋକଙ୍କ ନିକଟରେ ପହଂଚିଛନ୍ତି ବିଧାୟକ ଶ୍ରୀ ଦତ୍ତ । ଏନଡିଆରଏଫ ଯବାନଙ୍କ ପାୱାର ବୋଟରେ ବିଧାୟକ ଶ୍ରୀ ଦତ୍ତ ବଂଇଚା ପଂଚାୟତରେ ପହଂଚି ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି । ଏହା ସହିତ ବିପଦ ସଙ୍କୁଳ କଚା ଘରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ସହ ନିକଟସ୍ଥ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ପଂଚାୟତର ଲୋକ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ ନେଇ ବ୍ୟବସ୍ଥାର ସୁପରିଚାଳନା ଉପରେ ମଧ୍ୟ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଛନ୍ତି । ଏହି ପରିଦର୍ଶନ ସମୟରେ ବନ୍ୟା ପିଡିତମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିଥିଲେ । ବନ୍ୟା ଛାଡିବା ପରେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସବୁ ସମସ୍ୟା ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରତିଶୃତି ଦେଇଛନ୍ତି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ପ୍ରଭାବିତ ବଇଁଚା ପଂଚାୟତରରେ ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ସୁରକ୍ଷା, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ସେହିପରି ବୁଢାବଳଙ୍ଗ ନଦୀ ବନ୍ୟା ଜଳ ଘେରରେ ଥିବା ବାଲେଶ୍ୱର ସହରର ତଳି ଅଂଚଳ ଦଉଡିଭଙ୍ଗାରେ ଓଡ୍ରାଫ ବୋଟ ଯୋଗେ ଘରକୁ ଘର ପହଂଚି ବିଧାୟକ ଶ୍ରୀ ଦତ୍ତ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ବନ୍ୟା ଯୋଗୁଁ ଦଉଡିଭଙ୍ଗା ଅଂଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ଓଡ୍ରାଫ ଟିମ ସହଯୋଗରେ ଜଳବନ୍ଦୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି, ଲୋକଙ୍କୁ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଜରୁରୀ ସହାୟତା ପହଂଚାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଶ୍ରୀ ଦତ୍ତସୂଚନା ଦେଇଛନ୍ତି । ତେବେ ସକାଳେ ପ୍ରଥମେ ତେଲେଙ୍ଗାସାହିରେ ପହଂଚି ବିଧାୟକ ଶ୍ରୀ ଦତ୍ତ ପ୍ରବଳ ବର୍ଷାରେ ପ୍ରଭାବିତ ପରିବାରଙ୍କୁ ଭେଟି ପଲିଥିନ ବଂଟନ କରିଥିଲେ । ବର୍ଷା ଓ ବନ୍ୟା ପ୍ରଭାବିତଙ୍କ ପୁନରୁଦ୍ଧାର ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ସୂଚନା ଯୋଗ୍ୟ ଯେ, ବୁଢାବଳଙ୍ଗ ନଦୀରେ ଜଳସ୍ତର ବଢିବା କ୍ଷଣି ମଙ୍ଗଳବାର ରାତିରେ ବଇଁଚା ପଂଚାୟତର ଗୁଜୁରୀବଜାର ଠାରେ ବିଧାୟକ ଶ୍ରୀ ଦତ୍ତ ପହଂଚି ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ସମ୍ଭାବ୍ୟ ଏକ ବଡ଼ ବନ୍ୟାର ମୁକାବିଲା ପାଇଁ ସମସ୍ତ ସହାୟତା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ସେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲଘୁଚାପ ସାଙ୍ଗକୁ ପୂର୍ଣ୍ଣିମା ତିଥି ଯୋଗୁଁ ବନ୍ୟା ପରିସ୍ଥତି ଜଟିଳ ହେବାର ଆଶଙ୍କା ଥିବାରୁ ଏହାର ସଠିକ୍ ମୁକାବିଲା ପାଇଁ ପଂଚାୟତସ୍ତରରେ ପ୍ରଶାସନ ପ୍ରସ୍ତୁତ ରହିବାକୁ ବିଧାୟକ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ । ଅନୁରୂପ ଭାବେ ବାଲେଶ୍ୱର ପୌରାଂଚଳ ଅନ୍ତର୍ଗତ ସୁଏଲପୁର ପ୍ରାଥମିକ ବିଦ୍ୟାଳୟରେ ଏକ ଆଶ୍ରୟସ୍ଥଳ ପରିଦର୍ଶନ ସହ ବର୍ଷାରେ ପ୍ରଭାବିତ ହୋଇ ସେଠାରେ ଆଶ୍ରୟ ନେଇଥିବା ଭାଇଭଉଣୀମାନଙ୍କୁ ବିଧାୟକ ଶ୍ରୀ ଦତ୍ତ ରନ୍ଧା ଖାଦ୍ୟ ବିତରଣ କରିଥିଲେ ।


