ବନ୍ୟା ପ୍ରଭାବିତ ବାଲେଶ୍ୱର ଜିଲ୍ଲା ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

 ବାଲେଶ୍ୱର, (ସରୋଜ ପଣ୍ଡା)  ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଲୋକଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିଲେ। ସେ ଦହପଡା ଗ୍ରାମ ପଞ୍ଚାୟତ, ଛନୁଆ ଗ୍ରାମ ପଞ୍ଚାୟତ, କୁରୁଡ଼ିହା ଗ୍ରାମ ପଞ୍ଚାୟତ ଏବଂ ବାହାବଳପୁର ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବନ୍ୟା ସ୍ଥିତି, ଜନଜୀବନ ଓ ସରକାରଙ୍କ ପକ୍ଷରୁ କରାଯାଉଥିବା ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୟରେ ମାନ୍ୟବର ବାଲେଶ୍ୱର ସାଂସଦଙ୍କ ସମେତ ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ସିମୁଳିଆ ବିଧାୟକ ଏବଂ ମାନ୍ୟବର ସଦର ବିଧାୟକ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ପରିବାରମାନଙ୍କ ଘରକୁ ଯାଇ ସେମାନଙ୍କ ସମସ୍ୟା ଶୁଣିଥିଲେ। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଘର, ଚାଷଜମି, ରାସ୍ତାଘାଟ, ପାନୀୟ ଜଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ପରଖିଥିଲେ। ଏହି ଅବସରରେ ସେ କହିଥିଲେ ଯେ ରାଜ୍ୟ ସରକାର ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ସହ ରହିଛନ୍ତି ଏବଂ କୌଣସି ଯୋଗ୍ୟ ବ୍ୟକ୍ତି ସରକାରୀ ସହାୟତାରୁ ବଞ୍ଚିତ ହେବେ ନାହିଁ। ସରକାରଙ୍କ ସମସ୍ତ ସହାୟତା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଶୀଘ୍ର ପ୍ରଦାନ କରାଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ। ପରିଦର୍ଶନ ସମୟରେ ସେ ଆଶ୍ରୟସ୍ଥଳ, ରିଲିଫ୍ ବଣ୍ଟନ କେନ୍ଦ୍ର ଓ ପ୍ରଭାବିତ ଗ୍ରାମଗୁଡ଼ିକରେ ଉପଲବ୍ଧ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ଅଧିକାରୀମାନଙ୍କଠାରୁ ସୂଚନା ନେଇଥିଲେ। ଆବଶ୍ୟକ ସ୍ଥାନରେ ଅଧିକ ରିଲିଫ୍ ସାମଗ୍ରୀ ପଠାଇବା ସହିତ ପାନୀୟ ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟ ସେବା ଓ ପରିମଳ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ବାଲେଶ୍ୱର କଲେକ୍ଟରେଟ୍ ସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାଲେଶ୍ୱର ଜିଲ୍ଲାର ବନ୍ୟା ସ୍ଥିତି, ଉଦ୍ଧାର କାର୍ଯ୍ୟ, ରିଲିଫ୍ ବଣ୍ଟନ, କ୍ଷୟକ୍ଷତିର ଆକଳନ, ଭିତ୍ତିଭୂମିର ପୁନରୁଦ୍ଧାର ଏବଂ ସାଧାରଣ ଜନଜୀବନକୁ ସ୍ୱାଭାବିକ କରିବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପର ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରେ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କଠାରୁ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳର ବନ୍ୟା ସ୍ଥିତି, କ୍ଷୟକ୍ଷତିର ପରିମାଣ, ଉଦ୍ଧାର କାର୍ଯ୍ୟର ଅଗ୍ରଗତି, ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟର ବିସ୍ତୃତ ସୂଚନା ସଂଗ୍ରହ କରିଥିଲେ। ସେ ପ୍ରତ୍ୟେକ ବ୍ଲକର ସ୍ଥିତି ସମ୍ପର୍କରେ ପୃଥକ ଭାବେ ସମୀକ୍ଷା କରି କେଉଁଠି କୌଣସି ସମସ୍ୟା ରହିଛି ତାହାର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ କୌଣସି ପ୍ରକାରର ଅବହେଳା ବରଦାସ୍ତ କରାଯିବ ନାହିଁ। କ୍ଷତିଗ୍ରସ୍ତ ରାସ୍ତା, ପୋଲ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ୍ ସଂଯୋଗ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମିର ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ସେହିପରି କ୍ଷତିଗ୍ରସ୍ତ ପରିବାରମାନଙ୍କର ତାଲିକା ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପ୍ରସ୍ତୁତ କରି ଶୀଘ୍ର କ୍ଷତିପୂରଣ ଓ ସରକାରୀ ସହାୟତା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସ୍ୱାସ୍ଥ୍ୟ ବିଭାଗକୁ ବନ୍ୟା ପରବର୍ତ୍ତୀ ସମ୍ଭାବ୍ୟ ସଂକ୍ରାମକ ରୋଗ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଆବଶ୍ୟକ ଔଷଧ ମହଜୁଦ ରଖିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ କୁହାଯାଇଥିଲା। ପଶୁ ସମ୍ପଦ ବିଭାଗକୁ ପଶୁମାନଙ୍କର ଚିକିତ୍ସା ଓ ଆବଶ୍ୟକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୃଷି ବିଭାଗକୁ ଚାଷ କ୍ଷତିର ଆକଳନ କରି ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା। ବୈଠକରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟିକା/ବିଧାୟକ ଗଣ ବୈଠକରେ ଉପସ୍ଥିତ ରହି ନିଜ ନିଜ ନିର୍ବାଚନମଣ୍ଡଳୀର ବନ୍ୟା ସ୍ଥିତି, ଲୋକଙ୍କ ସମସ୍ୟା ଓ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ମତାମତ ରଖିଥିଲେ। ସେମାନେ ବିଭିନ୍ନ ଅଞ୍ଚଳରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ, ରାସ୍ତା ମରାମତି, କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଏବଂ କୃଷି କ୍ଷତିର ଯଥାର୍ଥ ଆକଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ସମୟରେ କରାଯାଇଥିବା ଉଦ୍ଧାର କାର୍ଯ୍ୟ, ସୁରକ୍ଷିତ ସ୍ଥାନକୁ ଲୋକଙ୍କ ସ୍ଥାନାନ୍ତରଣ, ରିଲିଫ୍ ବଣ୍ଟନ, ଆଶ୍ରୟ କେନ୍ଦ୍ର ପରିଚାଳନା, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ବ୍ୟବସ୍ଥା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା। ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ଜୀବନ ଓ ସୁରକ୍ଷା ସର୍ବାଧିକ ପ୍ରାଥମିକତା। ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ପ୍ରଭାବିତ ପରିବାର ପାଖରେ ଆବଶ୍ୟକ ସହାୟତା ପହଞ୍ଚାଇବା ଏବଂ ଅଳ୍ପ ସମୟ ମଧ୍ୟରେ ସାଧାରଣ ଜନଜୀବନକୁ ସ୍ୱାଭାବିକ କରିବା। ସମସ୍ତ ବିଭାଗ ପରସ୍ପର ସମନ୍ୱୟ ରକ୍ଷା କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ