କାଣୀ ନଦୀର ବନ୍ୟା ପ୍ରତି ପୂର୍ବରୁ ଦୃଷ୍ଟି ଦିଆଯାଇନି: ଗୌତମ ରାୟ

ଯାଜପୁର , (ପ୍ରଦୀପ କୁମାର ମଲ୍ଲିକ) :  କାଣୀ ନଦୀର ବନ୍ୟା ପ୍ରତି ପୂର୍ବ ସରକାର ଦୃଷ୍ଟି ଦେଇ ନାହାଁନ୍ତି। ଘାଇ ସୃଷ୍ଟି କରି ମରାମତି ନାଁରେ ବିଗତ ୧୦ ବର୍ଷ ମଧ୍ୟରେ ୫ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟିଛି ସେବେଳର  ବିଜେଡ଼ି ସରକାର । ବିଜେଡ଼ିର କୃତ କର୍ମର ଫଳ ଭୋଗିବାକୁ ପଡୁଛି ନିରୀହ ଦଶରଥପୁର ବାସୀଙ୍କୁ ବର୍ଷ ବର୍ଷ ଧରି। ଏକଥା ଲୋକେ ବୁଖିଛନ୍ତି ମାତ୍ର ଭୟରେ କେହି ପାଟି ଖୋଲୁ ନାହାନ୍ତି ବୋଲି କହିଛନ୍ତି ବିଜେପି ନେତା ତଥା ଯାଜପୁର ଜିଲ୍ଲା ପରିଷଦର ପୂର୍ବତନ ସଭାପତି ଗୌତମ ରାୟ ।ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ଶ୍ରୀ ରାୟ ଦଳୀୟ କର୍ମୀ ଓ ବନ୍ୟା ବିପନ୍ନଙ୍କୁ କହିଛନ୍ତି। ଶ୍ରୀ ରାୟଙ୍କ ସୂଚନା ମୁତାବକ ପୂର୍ବ ଯାଜପୁରର ଦଶରଥପୁର ବ୍ଲକ ନଦୀ ନାଳ ଘେରା। ବୈତରଣୀରୁ ଏହାର ଶାଖା କାଣୀ ବ୍ରହ୍ମଚାରୀ ପାଟଣା ରୁ ବାହାରି କୟାଁଗୋଲାରେ ମିଶିଛି। ଏହାର ଲମ୍ବ ୨୫ କିଲୋମିଟର । ସେଥିମଧ୍ୟରୁ ମାତ୍ର ୫ କିମି ନଦୀ ବନ୍ଧ ଯାହା ଜଳସମ୍ପଦ ବିଭାଗ ଅଧିନରେ । ବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରାଯାଉଛି ବୋଲି ଶ୍ରୀ ରାୟ କହିବା ଅବଶିଷ୍ଟ,୨୦ କିମି ବନ୍ଧର କେହି ମା, ବାପ ନାହାଁନ୍ତି। ଏହି ୨୦ କିମି ଅଣ ଓସାରିଆ ଓ ବନ୍ଧ ଅତ୍ୟନ୍ତ ଦୁର୍ବଳ । ତଳ ମୁଣ୍ଡ  କ୍ରମଶଃ ସଙ୍କୁଚିତ ହୋଇ ପଡୁଥିବା ବେଳେ ଏହାର ଖନନ ଅର୍ଥାତ ପ୍ରଶସ୍ତିକରଣ କରାଯାଉନାହିଁ । ତଳମୁଣ୍ଡ ସଙ୍କୁଚିତ ହେବା ଯୋଗୁଁ ଉପର ମୁଣ୍ଡରୁ ଆସୁଥିବା ବୈତରଣୀ ନଦୀର ଜଳ ତୁଳନାତ୍ମକ ଭାବରେ ନିଷ୍କାସିତ ହୋଇ ପାରୁନି। ଅପରନ୍ତୁ ବନ୍ୟା ବେଳେ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବନ୍ୟା ଆସିଲେ ଦୁର୍ବଳ ନଦୀ ବନ୍ଧ       ଟଲମଟଳ ହୋଇ ପଡେ ଓ ଘାଇ ହୁଏ । ତେବେ ବିଗତ ବର୍ଷରେ ଘାଇ ମନୁଷ୍ୟକୃତ ବୋଲି ଖବର କାଗଜର ଶିରୋନାମାରୁ ବୁଝାପଡେ। ତଳମୁଣ୍ଡ ପ୍ରଶସ୍ତିକରଣ ପାଇଁ ପ୍ରତିବନ୍ଧକ ବ୍ୟକ୍ତିଗତ ଜମି। ୧୦ ବର୍ଷ ମଧ୍ୟରେ ୫ ଶହ କୋଟି ଟଙ୍କା ନଦୀ ବନ୍ଧ ସୁଦୃଢ଼ୀକରଣ ଓ ଘାଇ ମରାମତିରେ ଖର୍ଚ୍ଚ ହୋଇଛି। କାଣୀ ବନ୍ୟାର ସ୍ଥାୟୀ ପ୍ରତିକାର ହୋଇଛି ନା କାଣୀର ସଂସ୍କାର ଉପରେ ପୂର୍ବ ସରକାରରେ ପ୍ରଭୂତ କ୍ଷମତା ହାତେଇଥିବା ବିଜେଡ଼ିର ଦୁଇ ପ୍ରମୁଖ ବିଧାୟକ, ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ପ୍ରମିଳା ମଲ୍ଲିକ ମୁଣ୍ଡ ଖେଳାଇଛନ୍ତିକି ବୋଲି ଶ୍ରୀ ରାୟ ପ୍ରଶ୍ନ କରିଛନ୍ତି । ଗତ ବନ୍ୟାର ଗୋଟିଏ ଦିନ ପରେ ରାଜସ୍ୱ ମନ୍ତ୍ରୀ ଏଠାକୁ ଆସିଥିଲେ । ବାସ୍ତବ ସମସ୍ୟାର ପ୍ରତିକାର ସର୍ବୋପରି କାଣୀ ବନ୍ୟାର ସ୍ଥାୟୀ ସମାଧାନ ପାଇଁ ବାଟ ବାହାର କରିବାକୁ ଜଳସମ୍ପଦ ବିଭାଗ ମୁଖିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ବୈଷୟିକ କମିଟି ରିପୋର୍ଟ, ଉପର ମୁଣ୍ଡରେ ସ୍କୁଇସ, ନଦୀ ବନ୍ଧ ସୁଦୃଢ଼ୀକରଣ ଓ ପ୍ରଶସ୍ତି କରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଶ୍ରୀ ରାୟ କହିବା ସହ ପ୍ରାଥମିକ ପର୍ଯ୍ୟାୟରେ ୫୦ କୋଟି ଟଙ୍କା ଅନୁମୋଦିତ ହୋଇଛି। ଏହା ଆମେ କହୁନୁ। ସରକାରୀ ଦସ୍ତାବିଜରେ ଏସଂପର୍କିତ ଟିକି ନିଖି ସୂଚନା ଉପଲବ୍ଧ । ଚଳିତ ବନ୍ୟାରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବନ୍ୟାଞ୍ଚଳ ଗସ୍ତରେ ଆସି ଘାଇ ପରିଦର୍ଶନ କରିଥିଲେ । ଦୃଢତାର ସହ ଘୋଷଣା କରିଥିଲେ କି ଦଶରଥପୁର ବାସୀଙ୍କ ପାଇଁ ବନ୍ୟା ଦେଖିବା ସ୍ବପ୍ନ ହେବ। ଏସବୁ ସତ୍ତ୍ୱେ ବିରୋଧୀ ବିଭିନ୍ନ ଅପପ୍ରଚାର କରୁଛନ୍ତି ବୋଲି ଶ୍ରୀ ରାୟ କ୍ଷୋଭର ସହ ପ୍ରକାଶ କରିଛନ୍ତି। ୨୪ ବର୍ଷ ବନାମ ୨୬ ମାସ। ଆଉ ୧୨ ମାସ ଅପେକ୍ଷା କରନ୍ତୁ ଆମ ସରକାର କାଣୀ ନଦୀ ବନ୍ୟାର ସ୍ଥାୟୀ ପ୍ରତିକାର କିଭଳି କରୁଛନ୍ତି ଦେଖିବେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ