ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା): ରବିବାର ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଡ. କେଶବ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଅସ୍ୱାଭାବିକ ମୌସୁମୀ ବର୍ଷା ଜନିତ ବନ୍ୟାରେ କ୍ଷତିିଗ୍ରସ୍ତ ହୋଇଥିବା ବାଲେଶ୍ୱର ଜିଲ୍ଲାବାସୀ, ବିଶେଷକରି କୃଷକମାନଙ୍କ ଦୁର୍ଦ୍ଦଶା ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା। ଏଥିସହ କ୍ଷତିଗ୍ରସ୍ତ କୃଷକମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ସହ ଲଘୁ ଧାନବିହନ, ଚଳିତ ଖରିଫ ଓ ଆଗାମୀ ରବି ଚାଷ ନିମିତ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଓଡ଼ିଶା ସରକାର ଓ କୃଷି ବିଭାଗକୁ ଅନୁରୋଧ କରାଯାଇଛି। ନୀଳଗିରି ଓ ରେମୁଣାର ମାନ୍ୟବର ବିଧାୟକଙ୍କ ସମେତ ବାଲେଶ୍ୱର ଜିଲ୍ଲାର ସମସ୍ତ ମାନ୍ୟବର ବିଧାୟକଗଣ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ବାଲେଶ୍ୱର ଜିଲ୍ଲାରେ କୃଷି ଓ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ବିଷୟରେ ଆସନ୍ତା ବିଧାନସଭା ଅଧିବେଶନରେ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବାକୁ ବୈଠକରେ ଅନୁରୋଧ କରାଯାଇଛି। ଜିଲ୍ଲାବାସୀଙ୍କ ଏକଲକ୍ଷ ସ୍ୱାକ୍ଷର ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ, କେନ୍ଦ୍ର କୃଷିମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀଙ୍କୁ ପ୍ରଦାନ ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା। ଏଥିପାଇଁ ସମିତିର ପ୍ରମୁଖ କର୍ମକର୍ତ୍ତା ଗୋବିନ୍ଦ ଚନ୍ଦ୍ର ଭୋଇ ଓ ପ୍ରଫୁଲ୍ଲ କୁମାର ଦାସଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ଏହି ବୈଠକରେ ସର୍ବଶ୍ରୀ ନିରଞ୍ଜନ ପରିଡ଼ା, ଅଭୟ ମିଶ୍ର, ହରନାରାୟଣ ମଢ଼ୁଆଳ, ଡ. କ୍ଷିତୀଶ୍ୱର ଦାଶ, ଗୌରାଙ୍ଗ ପାଣିଗ୍ରାହୀ, ସୁରେନ୍ଦ୍ର ପ୍ରସାଦ ଦିକ୍ଷୀତ, ଭାସ୍କର ଚନ୍ଦ୍ର ପାଢ଼ୀ, ଯୋଗେଶ ଚନ୍ଦ୍ର ପ୍ରଧାନ, ଡା. ତାରାକାନ୍ତ ନନ୍ଦ, ଭୂପତି ଭୂଷଣ ପାତ୍ର, ମାୟାଧର ବିଶ୍ୱାଳ, ସରସ୍ୱତୀ ପଣ୍ଡା, ଶ୍ୟାମସୁନ୍ଦର ଜେନା, ନାରାୟଣ କୁମାର ଦାସ ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


