ହାଇକୋର୍ଟରେ ବ୍ରହ୍ମପୁର ନିର୍ବାଚନୀ ମୋକଦ୍ଦମା, ସାକ୍ଷ୍ୟ ଗ୍ରହଣ ଶେଷ
କଟକ, (ଓ୍ବାଇଏନଏସ): ବ୍ରହ୍ମପୁର ବିଧାନସଭା ନିର୍ବାଚନୀ ମାମଲାରେ ପ୍ରତିପକ୍ଷ ବିଧାୟକ କେ.ଅନୀଲ କୁମାରଙ୍କ ହାଇକୋର୍ଟରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। କେ.ଅନୀଲ କୁମାରଙ୍କୁ ଆବେଦନକାରୀଙ୍କ ତରଫରୁ ଜେରା କରାଯାଇଥିଲା । ଜେରା ସଂପୂର୍ଣ୍ଣ ହୋଇଥିଲା । ପ୍ରତିପକ୍ଷଙ୍କ ତରଫରୁ ଆଉ କାହାର ସାକ୍ଷ୍ୟ ଗ୍ରହଣ ହେବାର ନାହିଁ ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଏହାପରେ ସେପ୍ଟେମ୍ବର ୧୭କୁ ମାମଲାରେ ଯୁକ୍ତି ଉପସ୍ଥାପନ ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମନୋଜ କୁମାର ପଣ୍ଡାଙ୍କ ତରଫରୁ ଦାୟର। ନିର୍ବାଚନୀ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବ୍ରହ୍ମପୁର ବିଧାନସଭା ଆସନ ଫଳାଫଳକୁ ଚାଲେଞ୍ଜ କରି ନିର୍ବାଚନୀ ମୋକଦ୍ଦମା ଦାୟର। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୪ ନିର୍ବାଚନରେ କେ. ଅନୀଲ କୁମାର ୫୪୯୯୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୩୬୨୮୮ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ। ଅଞ୍ଚଳର ଜଣେ ସାଧାରଣ ଭୋଟର ଭାବେ ଶ୍ରୀ ପଣ୍ଡା ବ୍ରହ୍ମପୁର ବିଧାନସଭା ଆସନ ଫଳାଫଳକୁ ଚାଲେଞ୍ଜ କରି ନିର୍ବାଚନୀ ମୋକଦ୍ଦମା ଦାୟର କରିଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।


