ଆସୁନାହାନ୍ତି ଆର.ଆଇ., ସମଣା ରାଜସ୍ୱ କାର୍ଯ୍ୟାଳୟରେ ଅଚଳାବସ୍ଥା

ହାଟଡିହି, (ଓ୍ବାଇଏନଏସ): ହାଟଡିହି ତହସିଲ ଅଧୀନସ୍ଥ ସମଣା ରାଜସ୍ୱ ନିରୀକ୍ଷକ (ଆର.ଆଇ.) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଦେଖାଦେଇଛି ଅଚଳାବସ୍ଥା। ନିୟମିତ ଭାବେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଆସୁନଥିବାରୁ ସାଧାରଣ ଲୋକେ ବିଭିନ୍ନ ରାଜସ୍ୱ ସମ୍ପର୍କିତ କାମ ପାଇଁ ଆସି ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି। ଅନେକ ସମୟରେ କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସମଣା ଅଞ୍ଚଳର ଲୋକଙ୍କ କହିବା ଅନୁଯାୟୀ, ଜମିଜମା, ରାଜସ୍ୱ, ବିଭିନ୍ନ ପ୍ରମାଣପତ୍ର, ଜମି ସମ୍ପର୍କିତ ତଦନ୍ତ ସମେତ ଅନ୍ୟାନ୍ୟ ସରକାରୀ କାମ ପାଇଁ ଲୋକେ ଆର.ଆଇ. କାର୍ଯ୍ୟାଳୟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଅଧିକାଂଶ ସମୟରେ ଆର.ଆଇ. ଅନୁପସ୍ଥିତ ରହୁଥିବା ଯୋଗୁଁ ଲୋକଙ୍କ କାମ ଅଟକି ରହୁଛି। ଦୂରଦୂରାନ୍ତରୁ ଯାତାୟାତ କରି ଆସୁଥିବା ଲୋକେ ଦିନସାରା ଅପେକ୍ଷା କରି ଶେଷରେ ଖାଲି ହାତରେ ଘରକୁ ଫେରିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି। ବିଶେଷକରି ଚଳିତ ବର୍ଷ ବନ୍ୟା ପରିସ୍ଥିତି ଯୋଗୁଁ ଏହି ଅଞ୍ଚଳର ଲୋକଙ୍କ ସମସ୍ୟା ଆହୁରି ଗୁରୁତର ହୋଇଛି। ସମଣା ଅଞ୍ଚଳ ବନ୍ୟା ପ୍ରବଣ ହୋଇଥିବା ବେଳେ ବହୁ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ହେଲେ ବନ୍ୟା ପ୍ରଭାବିତ ପରିବାରଙ୍କୁ ଏପର୍ଯ୍ୟନ୍ତ ପଲିଥିନ ବଣ୍ଟନ କରାଯାଇନଥିବା ଅଭିଯୋଗ ହୋଇଛି। ଏହା ସହିତ ସମଣା ପଞ୍ଚାୟତ ଅଧୀନରେ ଥିବା ସାତଟି ଗାଁରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ମଧ୍ୟ ହୋଇନଥିବା ଲୋକେ ଅଭିଯୋଗ କରିଛନ୍ତି। ବନ୍ୟା ପରେ କ୍ଷୟକ୍ଷତି ଆକଳନ ଓ ପ୍ରଭାବିତ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ କରିବାରେ ରାଜସ୍ୱ ନିରୀକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଭଳି ସମୟରେ ରାଜସ୍ୱ ନିରୀକ୍ଷକଙ୍କ ଅନୁପସ୍ଥିତି ଯୋଗୁଁ ସରକାରୀ ପ୍ରକ୍ରିୟା ବିଳମ୍ବିତ ହେଉଥିବା ଅଭିଯୋଗ ଉଠିଛି। ଫଳରେ ବନ୍ୟା ବିପତ୍ତିରେ ପଡ଼ିଥିବା ସାଧାରଣ ଲୋକେ ସରକାରୀ ସହାୟତା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ପୂର୍ବରୁ ଥିବା ରାଜସ୍ବ ନିରୀକ୍ଷକ ଚଞ୍ଚକତା କରି ନିଜ ମନଇଛା କିଛି ଲୋକଙ୍କୁ ପଲିଥିନି ବାଣ୍ଟିଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟାକୁ ନେଇ ସୋମବାର ଅନେକ ଗ୍ରାମବାସୀ ସମଣା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରି ଦୃଢ଼ ପ୍ରତିବାଦ କରିଥିଲେ। ଲୋକମାନେ ତୁରନ୍ତ ସମଣା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ନିୟମିତ ଭାବେ ଆର.ଆଇ.ଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ସହ ଖାଲି ପଦବୀ ଥିଲେ ତୁରନ୍ତ ନୂତନ ରାଜସ୍ୱ ନିରୀକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ଏଥିସହ ବନ୍ୟା ପ୍ରଭାବିତ ସମସ୍ତ ଗାଁର କ୍ଷୟକ୍ଷତି ଆକଳନ କରି ଯୋଗ୍ୟ ପରିବାରଙ୍କୁ ତୁରନ୍ତ ପଲିଥିନ ଓ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଗ୍ରାମବାସୀଙ୍କ ଏହି ଅଭିଯୋଗ ଓ ଦାବି ସମ୍ପର୍କରେ ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟଙ୍କୁ ପଚାରିବାରୁ, ସେ କହିଛନ୍ତି ଯେ ଏଠାରେ ନିଯୁକ୍ତ ଥିବା ରାଜସ୍ବ ନିରୀକ୍ଷକ ଅସୁସସ୍ଥା ଯୋଗୁଁ ଛୁଟିରେ ଥିବାବେଳେ ଅନ୍ୟ ଜଣେ ଆର ଆଇ ଙ୍କୁ ଦାୟିତ୍ୱ ଦିଆ ଯାଇଥିଲା। ମାତ୍ର ସେ ଦୀର୍ଘଦିନ ହେଲା ବିନା ଅନୁମତିରେ କାର୍ଯ୍ୟକୁ ଆସୁ ନାହାନ୍ତି। ତେଣୁ ବଡ ରମ୍ପାସ ଆର ଆଇ ଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି। ସୁପର ଭାଇଜର ମଧ୍ୟ ଯିବେ। ଯାହା ସମସ୍ୟା ଅଛି ତାହାର ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ