‘ସ୍ପାର୍କ-୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଲକ୍ର ପ୍ରତାପଲକ୍ଷ୍ମଣପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ‘ସ୍ପାର୍କ-୨୦୨୬’ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହିତ ସୃଜନଶୀଳତା, ପ୍ରତିଭା ବିକାଶ ଓ ନୈତିକ ମୂଲ୍ୟବୋଧର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ, ସିଆରସିସି ଛାୟାକାନ୍ତ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ସୀତାକାନ୍ତ ତ୍ରିପାଠୀ ଏବଂ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟା ନୀରଜା କୁମାରୀ ତ୍ରିପାଠୀ ଉପସ୍ଥିତ ଥିଲେ।ବିଦ୍ୟାଳୟ ଅଧ୍ୟକ୍ଷ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମହତ୍ତ୍ୱ, ଶୃଙ୍ଖଳା, ଚରିତ୍ର ଗଠନ ଓ ଜୀବନରେ ଲକ୍ଷ୍ୟ ନିର୍ଦ୍ଧାରଣ ସମ୍ପର୍କରେ ପ୍ରେରଣାଦାୟକ ବକ୍ତବ୍ୟ ଦେଇଥିଲେ। ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଉତ୍ସବର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ଉପସ୍ଥିତ ଅତିଥି, ଶିକ୍ଷକ ଓ ଅଭିଭାବକଙ୍କ ମନ ମୋହିଥିଲା। ଶିକ୍ଷକ ସନ୍ତୋଷ କୁମାର ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ।


