ବର୍ଷାରେ ଭିଜି ଜଳମଗ୍ନ ଅଞ୍ଚଳ ଓ ଚାଷଜମି ବୁଲି ଦେଖିଲେ ବିଧାୟକ
ଛତ୍ରପୁର, (ଓ୍ବାଇଏନଏସ): ଲଗାଣ ବର୍ଷା ଓ ନଦୀ ଜଳସ୍ତର ବୃଦ୍ଧି ଯୋଗୁଁ ଛତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଦେଖାଦେଇଛି। ଏହି ସ୍ଥିତିରେ ବର୍ଷାରେ ଭିଜି ଗଞ୍ଜାମ ଓ ଛତ୍ରପୁର ବ୍ଲକର ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ। ବିଧାୟକ ପ୍ରଥମେ ଗଞ୍ଜାମ ବ୍ଲକର ପୁରୁଣାବନ୍ଧ, ଗୋଖରକୁଦା, ପୋଡ଼ମପେଟା ଓ ସମୁଦ୍ର ମୁହାଣ ଅଞ୍ଚଳ ପରିଦର୍ଶନ କରିଥିଲେ। ପୁରୁଣାବନ୍ଧ ଓ ଗୋଖରକୁଦା ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଲୋକଙ୍କ ସୁରକ୍ଷା, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହାପରେ ଉମୁରି ଧର୍ମଶରଣପୁର ପଞ୍ଚାୟତର ବରପଲ୍ଲୀରେ ନଦୀ ଜଳସ୍ତର ବୃଦ୍ଧି ଓ ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତର ମୁନିସିପେଣ୍ଠ ନିକଟ ନିର୍ମାଣାଧୀନ ବ୍ୟାରେଜ ଅଞ୍ଚଳରେ ନଦୀକୂଳ କ୍ଷୟ ସ୍ଥିତି ଅନୁଧ୍ୟାନ କରିଥିଲେ। ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ଓ ପୂର୍ବପ୍ରସ୍ତୁତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ଜମିଥିବା ପାଣି ନିଷ୍କାସନ ନେଇ ବିଡିଓ ଅଚ୍ୟୁତାନନ୍ଦ ଜାନି ଓ ତହସିଲଦାର ସୁକାନ୍ତ ମିଶ୍ରଙ୍କ ସହ ଆଲୋଚନା କରିବା ସହ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ପରେ ବଡ଼ମାଧପୁର, ବଉଳଗାଁ, ପୋଟଲାମପୁର ଓ ମହାନାଦପୁର ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳର ଜଳମଗ୍ନ ଧାନଚାଷ ଜମି ପରିଦର୍ଶନ କରି ଜଳ ନିଷ୍କାସନ, ଫସଲ କ୍ଷୟକ୍ଷତି ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିଦର୍ଶନରେ ଯୁବ ନେତା ବନୋଜ ନାହାକଙ୍କ ସମେତ କୃଷି, ମତ୍ସ୍ୟ, ସ୍ୱାସ୍ଥ୍ୟ ଓ ପ୍ରଶାସନ ବିଭାଗର ଅଧିକାରୀ ଏବଂ ସ୍ଥାନୀୟ ଅଂଚଳ ର ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଲୋକଙ୍କ ସୁରକ୍ଷା, ଜଳ ନିଷ୍କାସନ ଓ ଆବଶ୍ୟକ ସେବା ଯୋଗାଣକୁ ପ୍ରାଥମିକତା ଦେବାକୁ ବିଧାୟକ ଗୁରୁତ୍ୱାରୋପ କରିଥିଲେ।


