ପୋଲିସର ସଚେତନତା ବୈଠକ

ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦିପଦା ଥାନା ପକ୍ଷରୁ ତେଲ ଓ ସୁନା ବ୍ୟବସାୟୀଙ୍କୁ ନେଇ ଏକ ସଚେତନତା ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଛେନାପଦି ଛକଠାରୁ ଶାଳଣିଆଁ ପର୍ଯ୍ୟନ୍ତ ଅଞ୍ଚଳର ସୁନା ଓ ରୁପା ବ୍ୟବସାୟୀଙ୍କ ସମେତ ବିଭିନ୍ନ ପେଟ୍ରୋଲ ପମ୍ପର ମାଲିକମାନେ ଯୋଗଦେଇଥିଲେ। ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ନିମନ୍ତେ ବ୍ୟବସାୟୀମାନେ ସଚେତନ ରହିବା ସହ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଆଇଆଇସି ଗୁରୁତ୍ୱାରୋପ କରିଥିଲେ। ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ସିସିଟିଭି କ୍ୟାମେରା ଲଗାଇବା ସହ ଦୁଇଟି ହାର୍ଡଡିସ୍କ ରଖିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଟଙ୍କା କାରବାର ସମୟରେ ସତର୍କତା ଅବଲମ୍ବନ କରିବା, ଯାତାୟାତ ସମୟରେ ଭିନ୍ନ ଭିନ୍ନ ରାସ୍ତା ବ୍ୟବହାର କରିବା ଏବଂ କୌଣସି ସନ୍ଦେହଜନକ ଘଟଣା କିମ୍ବା ଅପରାଧ ଘଟିଲେ ତୁରନ୍ତ ପୋଲିସକୁ ଖବର ଦେବା ପାଇଁ ବ୍ୟବସାୟୀମାନଙ୍କୁ ସଚେତନ କରାଯାଇଥିଲା। ବୈଠକରେ ଆମ ପୋଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣ ରାୟଙ୍କ ସମେତ ନନ୍ଦିପଦା ଥାନାର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ