ଭୋଜପୁର ହଷ୍ଟେଲ ପାଚେରୀ ନିର୍ମାଣରେ ଅନିୟମିତତା ଅଭିଯୋଗ

ସମ୍ବଲପୁର,(ଲିପନ ନାଏକ): କୁଚିଣ୍ଡା ଆଇଟିଡିଏ ଅଧୀନ ଜମନକିରା ବ୍ଲକର ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲ ପାଚେରୀ ନିର୍ମାଣକୁ ନେଇ ଉଠିଛି ଅନିୟମିତତାର ଅଭିଯୋଗ । ନିର୍ମାଣ କାମ ସରିଯାଇଥିଲେ ମଧ୍ୟ କାର୍ଯ୍ୟର ଅନୁମୋଦିତ ରାଶି, ଯୋଜନା, କାର୍ଯ୍ୟକାରୀ ସଂସ୍ଥା ଓ ତଦାରଖ ଅଧିକାରୀଙ୍କ ସମ୍ପର୍କିତ କୌଣସି ସୂଚନା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇନଥିବାରୁ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନବାଚୀ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ କାର୍ଯ୍ୟସ୍ଥଳରେ ସୂଚନା ଫଳକ ରହିବା ଆବଶ୍ୟକ। ହେଲେ ମାସମାସ ଧରି ଏହି ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ମୁଖ୍ୟରାସ୍ତା ପାର୍ଶ୍ୱରେ କୌଣସି ସୂଚନା ଫଳକ ଦେଖିବାକୁ ମିଳିନଥିଲା । ଏପରିକି କାର୍ଯ୍ୟ ଚାଲିଥିବା ସମୟରେ ସମ୍ପୃକ୍ତ ଠିକାଦାରଙ୍କୁ ଫଳକ ସମ୍ପର୍କରେ ପଚରିବାରେ ଆଇଟିଡିଏ ପକ୍ଷରୁ ଏଥିପାଇଁ ପ୍ରୋଭିଜନ ନଥିବା ସଫେଇ ଦେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ଜାଣିବା ପରେ କାମ ସରିବା ପରେ ଅତି ତରବରିଆ ଭାବେ ବିଦ୍ୟାଳୟ ପରିସରର ଭିତର ପଟେ ଏକ ଫଳକ ନିର୍ମାଣ କରାଯାଇଥିବା ଜଣାପଡିଛି । ମାତ୍ର ଏଥିରେ କାର୍ଯ୍ୟ ସମ୍ପର୍କରେ ଆବଶ୍ୟକ ତଥ୍ୟ ନଥିବାରୁ ଫଳକର ଉଦ୍ଦେଶ୍ୟ ନେଇ ପୁଣି ଉଠିଛି ପ୍ରଶ୍ନ । ଏହି କାର୍ଯ୍ୟର ଗୁଣବତ୍ତା, ଖର୍ଚ୍ଚ ଓ ନିର୍ମାଣ ନିୟମାବଳୀ ଠିକ୍‌ ଭାବେ ପାଳନ ହୋଇଛି କି ନାହିଁ, ତାହାର ଯାଞ୍ଚ ଦାବି ହେବା ସହ ବିଭାଗୀୟ ଅଧିକାରୀ ବା ଯନ୍ତ୍ରୀ ନିୟମିତ କାର୍ଯ୍ୟସ୍ଥଳ ପରିଦର୍ଶନ କରିଥିଲେ କି ନାହିଁ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୋଗ ସମ୍ପର୍କରେ କୁଚିଣ୍ଡା ଆଇଟିଡିଏ ଅଧିକାରୀ ଗୋପୀନାଥ କଲୋଙ୍କୁ ପଚାରିବାରେ ଆଶ୍ଚର୍ଯ୍ୟ ମୁଦ୍ରାରେ ‘ଫଳକ ଲେଖା ହୋଇନାହିଁ କି’ ବୋଲି ପାଲଟା ପ୍ରଶ୍ନ କରିଥିଲେ । ନିଜ ସଫେଇରେ ମୁଁ ତାଙ୍କୁ ଫଳକ ଲେଖିବା ପାଇଁ ପୂର୍ବରୁ କହିଥିଲି, ଏବେ ମୁଁ ଆଉଥରେ କହୁଛି ଲେଖିବା ପାଇଁ ବୋଲି ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅପରପକ୍ଷରେ କାର୍ଯ୍ୟ ସରିବା ପରେ ମଧ୍ୟ ଫଳକ ଲେଖା ହୋଇନଥିବା ବାବଦରେ ବିଭାଗୀୟ ଅଧିକାରୀ ଜାଣିନଥିବା ଚିନ୍ତାର ବିଷୟ ପାଲଟିଛି । ସେହିପରି ସରକାରଙ୍କ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଆଜିକାଲି ବଡ଼ ଧରଣର ଦୂର୍ନୀତି ଚାଲିଥିବା ବେଳେ ଏହି କାର୍ଯ୍ୟର ସ୍ବଚ୍ଛତା ନେଇ ବିଭାଗୀୟ ରେକର୍ଡ, ମାପ ବହି, ବିଲ୍‌-ଭାଉଚର ଓ ତଦାରଖ ରିପୋର୍ଟ ଯାଞ୍ଚ ହେଲେ ବହୁ ଲୁକ୍କାୟିତ ରହସ୍ୟର ପର୍ଦ୍ଦାଫାଶ ହୋଇପାରିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ