ପିଏମ୍ ପୋଷଣ କାର୍ଯ୍ୟକ୍ରମ ବଣ୍ଟନକୁ ନେଇ ପାଲା କଳାକାରଙ୍କ ବିଡ଼ିଓଙ୍କୁ ଅଭିଯୋଗ

ନାଉଗାଁ , (ପ୍ରଦୋଷ ମହାନ୍ତି) : ନାଉଗାଁ ବ୍ଲକରେ ପିଏମ୍ ପୋଷଣ ଯୋଜନା ଅଧୀନରେ ସାଂସ୍କୃତିକ କାର୍ଯ୍ୟକ୍ରମ ବଣ୍ଟନକୁ ନେଇ ସ୍ଥାନୀୟ ପାଲା, ଧୁଡ଼ୁକି ନାଚ ଓ ଦାସକାଠିଆ କଳାକାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକର ପଞ୍ଜିକୃତ କଳାକାର ଦଳଗୁଡ଼ିକୁ ସୁଯୋଗ ନଦେଇ ଗୋଟିଏ ଓଡ଼ିଶୀ ଦଳକୁ ସମସ୍ତ କାର୍ଯ୍ୟକ୍ରମ ଦିଆଯାଇଥିବା ଅଭିଯୋଗ କରି କଳାକାରମାନେ ବୁଧବାର ବିଡିଓ ନିରଞ୍ଜନ ପରିଡ଼ାଙ୍କୁ ଅଭିଯୋଗପତ୍ର ଦେଇଛନ୍ତି। ନାଉଗାଁ ବ୍ଲକ କଳାକାର ସଂଘ ସଭାପତି ସ୍ମିତାରାଣୀ ଦାସଙ୍କ ନେତୃତ୍ୱରେ କଳାକାରମାନେ ଦର୍ଶାଇଛନ୍ତି ଯେ, ବ୍ଲକର ୧୬ଟି ପଞ୍ଚାୟତରେ ପ୍ରାୟ ୧୦ଟି ପଞ୍ଜିକୃତ ପାଲା ଦଳ ସକ୍ରିୟ ଅଛନ୍ତି। ପୂର୍ବରୁ ବିଭିନ୍ନ ସରକାରୀ ଯୋଜନା ଅଧୀନରେ ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସେମାନେ ପାରିଶ୍ରମିକ ପାଇଆସୁଥିବା ସେମାନେ କହିଛନ୍ତି।କଳାକାରଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ପିଏମ୍ ପୋଷଣ ଯୋଜନା ଅଧୀନରେ ନାଉଗାଁ ବ୍ଲକରେ ୨୨ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ମିଳିଛି। ତେବେ ସ୍ଥାନୀୟ ପଞ୍ଜିକୃତ କଳାକାର ଦଳଗୁଡ଼ିକୁ ଅବଗତ ନକରାଇ ଏକ ଓଡ଼ିଶୀ ଦଳକୁ ସମସ୍ତ କାର୍ଯ୍ୟକ୍ରମ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଗତ ୬ ତାରିଖରେ କଳାକାରମାନେ ନାଉଗାଁ ସିଡିପିଓଙ୍କୁ ଭେଟି ସ୍ପଷ୍ଟୀକରଣ ମାଗିଥିଲେ। ଏହି ଆଦେଶ ଉପରୁ ଆସିଥିବାରୁ ଏଥିରେ ସେ କିଛି କରିପାରିବେ ନାହିଁ ବୋଲି କହିଥିବା କଳାକାରମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ପିଏମ୍ ପୋଷଣ ଭଳି ସରକାରୀ କାର୍ଯ୍ୟକ୍ରମରେ ବ୍ଲକର ପଞ୍ଜିକୃତ ସମସ୍ତ କଳାକାରଙ୍କୁ ସମାନ ସୁଯୋଗ ଦେବା ସହ କାର୍ଯ୍ୟକ୍ରମଗୁଡ଼ିକୁ ନ୍ୟାୟସଙ୍ଗତ ଭାବେ ବଣ୍ଟନ କରିବାକୁ ସଂଘ ଦାବି କରିଛି। ଏହାଦ୍ୱାରା ସ୍ଥାନୀୟ କଳାକାରଙ୍କ ଜୀବିକା ସୁରକ୍ଷିତ ହେବା ସହ ପାରମ୍ପରିକ କଳା ଓ ସଂସ୍କୃତିର ସୁରକ୍ଷା ହୋଇପାରିବ ବୋଲି ସେମାନେ କହିଛନ୍ତି। ସଭାପତି ସ୍ମିତାରାଣୀ ଦାସଙ୍କ ସହ ଅରୁଣ ଦାସ, ମାଗୁଣି ଦାସ, ଲକ୍ଷ୍ମୀଧର ପାଢ଼ୀ, ମାନସ କୁମାର ଦାସ, ବୈଦ୍ୟନାଥ ରାଉଳ, ପ୍ରଭାତ କୁମାର ସାହୁ, ବଳରାମ ବାରିକ, ଭିକାରୀ ଚରଣ ଆଚାର୍ଯ୍ୟ, ଲକ୍ଷ୍ମୀଧର ସାହୁ, ଅନନ୍ତ ଚରଣ ପତି ଓ ନାରାୟଣ ଜେନା ପ୍ରମୁଖ ବିଡିଓଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ବିଡିଓ ନିରଞ୍ଜନ ପରିଡ଼ାଙ୍କୁ ପଚାରିବାରୁ କାହାକୁ କାର୍ଯ୍ୟକ୍ରମ ପରିବେଷଣ ଦାୟିତ୍ୱ ଦିଆଯାଇଛି, ସେ ସମ୍ପର୍କରେ ସେ ଅବଗତ ନଥିବା କହିଥିଲେ। ସିଡିପିଓଙ୍କ ସହ ଆଲୋଚନା କରିବା ପରେ ଏ ସମ୍ପର୍କରେ ଯାହା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ