ଉତ୍କଳମଣିଙ୍କ ଜୀବନ ଦର୍ଶନ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଉତ୍କଳ ମାତୃକାର ଦରଦୀ ସନ୍ତାନ ତଥା ଦୁଃଖୀ ଦରିଦ୍ରଙ୍କ ବନ୍ଧୁରୂପେ ପରିଚିତ ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ସେ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖ ଦିନ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ କୋଳରେ ପୁରୀ ଜିଲ୍ଲାସ୍ଥିତ ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାହାଙ୍କୁ ୧୯୦୯ ମସିହାରେ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ବିକାଶ କ୍ଷେତ୍ରରେ ଅତୁଳନୀୟ ଅବଦାନ ଏବଂ ନିଃସ୍ୱାର୍ଥପର ସେବା ମନୋଭାବକୁ ସମ୍ମାନ ଜଣାଇ ବିଶିଷ୍ଟ ବୈଜ୍ଞାନିକ ତଥା ଶିକ୍ଷାବିତ୍ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଉତ୍କଳର ମଣି ବା ରତ୍ନ ଉପାଧିରେ ଭୂଷିତ କରିଥିଲେ । ଗୋପବନ୍ଧୁ ଥିଲେ ତତ୍କାଳୀନ ଓଡ଼ିଶାର ଜଣେ ମହାନ ସେବକ, ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଦୂରଦର୍ଶୀ ଶିକ୍ଷାବିତ୍, ସାମ୍ବାଦିକ, ପ୍ରଖ୍ୟାତ କବି ଓ ଦାର୍ଶନିକ। ତାଙ୍କର ସମଗ୍ର ଜୀବନ ତ୍ୟାଗ, ସେବା ଓ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ଥିଲା ଉତ୍କଳମଣିଙ୍କ ଜୀବନ ଦର୍ଶନ କେବଳ ଭାଷଣ ବା ଆଦର୍ଶବାଦ ମଧ୍ୟରେ ସୀମିତ ନଥିଲା, ବରଂ ତାଙ୍କର କାର୍ଯ୍ୟ ଓ କବିତା ମାଧ୍ୟମରେ ପ୍ରତିଫଳିତ ହେଉଥିଲା। ଏହି ମହାନ୍ ବ୍ୟକ୍ତିଙ୍କ ଜୀବନ ଦର୍ଶନର ମୂଳଦୁଆ ଥିଲା ‘ମାନବ ସେବା ହିଁ ମାଧବ ସେବା’ ଏବଂ ସ୍ୱାଧୀନତା ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପଣର ଭାବନା। ସେ ସ୍ୱଦେଶୀ ଆନ୍ଦୋଳନ ସହ ଜଡ଼ିତ ରହି ଓଡ଼ିଶାରେ ଜାତୀୟତାବାଦର ଜାଗରଣ ସୃଷ୍ଟି କରିଥିଲେ ଏବଂ ଜେଲରେ ବନ୍ଦୀ ଥିବାବେଳେ ତାଙ୍କ ରଚିତ ‘ବନ୍ଦୀର ଆତ୍ମକଥା’ କାବ୍ୟରେ ଦେଶପ୍ରେମର ପରାକାଷ୍ଠା ଦେଖିବାକୁ ମିଳିଥିଲା। ଗୋପବନ୍ଧୁ ନିଜର ବ୍ୟକ୍ତିଗତ ସୁଖ-ଶାନ୍ତିକୁ ଜଳାଞ୍ଜଳି ଦେଇ ଦେଶର ସ୍ୱରାଜ୍ୟ ପାଇଁ ଆତ୍ମବଳିଦାନ ଦେବାକୁ ଶ୍ରେଷ୍ଠ ମଣୁଥିଲେ। ଯାହା ତାଙ୍କର ଅମର କବିତାରେ ଦେଶପ୍ରେମର ଅଗ୍ନି ପ୍ରଜ୍ଜ୍ୱଳିତ ହେଉଥିବା ଦେଖିବାକୁ ମିଳେ:
“ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲିଯାଆନ୍ତୁ ପିଠିରେ;
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଢ଼,
ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ।”
ଏହି ସନ୍ଥଙ୍କ ହୃଦୟ ସଦା ସର୍ବଦା ଗରିବ, ଦୁଃଖୀ ଏବଂ ନିଷ୍ପେସିତ ଜନସାଧାରଣଙ୍କ ପାଇଁ କାନ୍ଦି ଉଠୁଥିଲା। ଓଡ଼ିଶାରେ ବନ୍ୟା ଓ ମରୁଡ଼ି ପରିସ୍ଥିତି ବେଳେ ସେ ନିଜ ଜୀବନକୁ ପାଣି ଛଡ଼ାଇ ଲୋକଙ୍କ ପାଖରେ ପହଞ୍ଚି ସେବା କରୁଥିଲେ। ଜନ ଶ୍ରୁତି ଅନୁସାରେ ଦିନେ ସେ ଲୋକଙ୍କ ସେବା କରୁଥିବା ସମୟରେ ତାଙ୍କ ନିଜ ପୁଅ, ଗୁରୁତର ଅସୁସ୍ଥ ଥିବାର ଖବର ପାଇଥିଲେ, ତଥାପି ସେ ନିଜ ପୁଅ ପାଖକୁ ନଯାଇ ବନ୍ୟା ବିପନ୍ନଙ୍କ ସେବା କରିବାକୁ ଶ୍ରେଷ୍ଠ ମନେକରିଥିଲେ। ଗୋପବନ୍ଧୁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଈଶ୍ୱରଙ୍କୁ ଦେଖୁଥିଲେ। ତାଙ୍କ ମତରେ, ଅନ୍ୟର ଦୁଃଖରେ ସମଭାଗୀ ହେବା ଏବଂ ପରୋପକାର କରିବା ହିଁ ମାନବ ବାଦର ଶ୍ରେଷ୍ଠ ଦର୍ଶନ ଥିଲା। ଏହାକୁ ପାଥେୟ କରି ସେ ସମାଜରେ ସଂସ୍କାର ଆଣିବାକୁ ଚେଷ୍ଟା କରିଥିଲେ। ତତ୍କାଳୀନ ସମାଜରେ ପ୍ରଚଳିତ ଥିବା ଅସ୍ପୃଶ୍ୟତା, ଜାତିପ୍ରଥା ଓ ଉଚ୍ଚ-ନୀଚ ଭେଦଭାବର ଘୋର ବିରୋଧୀ ମଧ୍ଯ ଥିଲେ। ତାହାଙ୍କ ଦୃଷ୍ଟିରେ ସମସ୍ତ ମଣିଷ ସମାନ ଏବଂ ସମସ୍ତଙ୍କ କଲ୍ୟାଣ କରିବା ହିଁ ପ୍ରକୃତ ଧର୍ମ। ତେଣୁ ଉତ୍କଳମଣିଙ୍କୁ ଶ୍ରେଷ୍ଠ ସମାଜ ସଂସ୍କାରକ ଭାବରେ ଗ୍ରହଣ କରାଯାଇଛି। ସେ କହିଥିଲେ ଯେ କେବଳ ନିଜ ସ୍ୱାର୍ଥ ପାଇଁ ବଞ୍ଚିବା ଜୀବନ ନୁହେଁ, ବରଂ ଜଗତର ମଙ୍ଗଳ ପାଇଁ ବଞ୍ଚିବା ହିଁ ଶ୍ରେଷ୍ଠ ଜୀବନ। ଯାହା ତାଙ୍କର ‘ଧର୍ମପଦ’ କାବ୍ୟରେ ଏହି ଜୀବନ ଦର୍ଶନକୁ ସେ ଅତି ସୁନ୍ଦର ଭାବେ ସାର୍ବଜନୀନ କରିଛନ୍ତି:
“ଆପଣା ଅଶ୍ରୁରେ ଜଗତ ଅଶ୍ରୁକୁ
ପୋଛିବାକୁ ଯାର ହୋଇଛି ଜନମ,
ଜଗତ ବିପଦେ ସେ କିପରି ଭଲା
ଘରେ ବସି ରହି ପାରେ ଅକରମ ।”
ଦୁଃଖୀ ଦରିଦ୍ରଙ୍କ ସେବା, ଉଚ୍ଚ-ନୀଚ ମଧ୍ୟରେ ଥିବା ଭେଦଭାବର କେବଳ ସେ ଘୋର ବିରୋଧୀ ଥିଲେ, ଅପିତୁ ଶିକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇଥିଲେ। ଗୋପବନ୍ଧୁ ବିଶ୍ୱାସ କରୁଥିଲେ ଯେ ଶିକ୍ଷା ବିନା କୌଣସି ଜାତିର ଉନ୍ନତି ଅସମ୍ଭବ। ମାତ୍ର ସେ କେବଳ ଡିଗ୍ରୀ ହାସଲ କରିବା ଶିକ୍ଷା ଚାହୁଁନଥିଲେ, ବରଂ ଏପରି ଏକ ଶିକ୍ଷା ବ୍ୟବସ୍ଥା ଚାହୁଁଥିଲେ ଯାହା ମଣିଷକୁ ଚରିତ୍ରବାନ, ଦେଶପ୍ରେମୀ ଓ ସ୍ୱାବଲମ୍ବୀ କରି ଗଢ଼ିତୋଳିପାରିବ। ଏହି ଉଦ୍ଦେଶ୍ୟରେ ସେ ୧୯୦୯ ମସିହାରେ ସାକ୍ଷୀଗୋପାଳଠାରେ ପ୍ରସିଦ୍ଧ ‘ସତ୍ୟବାଦୀ ବନ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ। ଏହି ବିଦ୍ୟାଳୟ ଖୋଲା ଆକାଶ ତଳେ, ପ୍ରକୃତି କୋଳର ଗଛମୂଳେ ଗଢିଉଠିଥିଲା, ଯେଉଁଠାରେ ଜାତି-ଧର୍ମ ନିର୍ବିଶେଷରେ ସମସ୍ତ ଛାତ୍ର ଏକାଠି ବସି ଶିକ୍ଷା ଗ୍ରହଣ କରୁଥିଲେ। ଏହାକୁ ଓଡ଼ିଶାର ‘ମାନସ ମନ୍ଥନର କେନ୍ଦ୍ର’ ବୋଲି ମଧ୍ୟ କୁହାଯାଉଥିଲା। ଏତିକିରେ ସେ ଅଟକି ଯାଇ ନଥିଲେ, ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସମାଜର ନିଷ୍ପେସିତ ଗରିବ ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ସାମ୍ବାଦିକତାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିଥିଲେ। ତେଣୁ ଗୋପବନ୍ଧୁ ୧୯୧୯ ମସିହାରେ ପ୍ରସିଦ୍ଧ ଓଡ଼ିଆ ଦୈନିକ ସମ୍ବାଦପତ୍ର ‘ସମାଜ’ ପ୍ରତିଷ୍ଠା କରିଥିଲେ। ସରଳ ଏବଂ ସହଜ ଭାଷାରେ ଲୋକଙ୍କ ସମସ୍ୟାକୁ ଉପସ୍ଥାପନ କରି ସମାଜରେ ଏକ ବିରାଟ ଜନଜାଗରଣ ସୃଷ୍ଟି କରିବା ତାଙ୍କ ସାମ୍ବାଦିକତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତାହାସହ ସେ ଜୀବନକୁ ଅତି ନିକଟରୁ ଦେଖିଥିଲେ। ଯାହା ଜଣେ ଶ୍ରେଷ୍ଠ ଲେଖକ ବା କବିର ଦର୍ଶନ। ସଂସାରର କ୍ଷଣଭଙ୍ଗୁରତାକୁ ଅନୁଭବ କରିଥିଲେ। ପତ୍ନୀ, ସନ୍ତାନ ଓ ପରିବାରକୁ ହରାଇବା ପରେ ବି ସେ ଭାଙ୍ଗି ପଡ଼ିନଥିଲେ। ସେ ଜାଣିଥିଲେ ଯେ ଏହି ସଂସାରରେ କେହି ଚିରସ୍ଥାୟୀ ନୁହନ୍ତି, କେବଳ ମଣିଷର କର୍ମ ହିଁ ତାକୁ ଅମର କରି ରଖେ। ନିଜର ସ୍ୱାର୍ଥପରତାକୁ ତ୍ୟାଗ କରି ସମାଜ ପାଇଁ କିଛି କରିବା ହିଁ ଶ୍ରେଷ୍ଠ କାର୍ଯ୍ୟ ମଣିଥିଲେ। ତେଣୁ ସେ ଜୀବନ ଓ ମୃତ୍ୟୁର ଏହି ଗଭୀର ରହସ୍ୟକୁ ତାଙ୍କ କବିତାରେ ଅତି ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି:
“ମାନବ ଜୀବନ ନୁହଇ କେବଳ,
ବର୍ଷ ମାସ ଦିନ ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତାର,
ଜୀବନର ମାନଦଣ୍ଡ।”
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ଥୂଳ ନେତ୍ର ସହ ଅନ୍ୟ ତିନୋଟି ନେତ୍ର ରହିଥିଲା। ଯଥା: ଶିକ୍ଷା ନେତ୍ର, ସେବା ନେତ୍ର ଓ ସ୍ୱାଧୀନତା ନେତ୍ର। ଯାହାବଳରେ ସେ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିପାରୁଥିଲେ। ତାଙ୍କ ଜୀବନ ଦର୍ଶନ ଥିଲା ତ୍ୟାଗ, ସେବା, ସାଧୁତା ଓ ସର୍ବଜନହିତାୟ ଜୀବନର ପ୍ରତୀକ। ସେ କେବଳ ଓଡ଼ିଶାର ନୁହନ୍ତି, ବରଂ ସମଗ୍ର ବିଶ୍ୱ ମାନବ ଜାତି ପାଇଁ ଜଣେ ଆଦର୍ଶ ଅମ୍ଳାନ ପୁରୁଷ ଅଟନ୍ତି। ତାଙ୍କର ଉକ୍ତି, କାର୍ଯ୍ୟ ଏବଂ କବିତା ଆଜି ମଧ୍ୟ ଆମ ସମାଜକୁ ସତ୍ ପଥରେ ଚାଲିବାକୁ ପ୍ରେରଣା ଯୋଗାଇ ଚାଲିଛି। ଏଭଳି ମହାନ ଆତ୍ମାଙ୍କର ଜୀବନ ଆଦର୍ଶକୁ ନିଜ ଜୀବନରେ ସାମିଲ କରିବା ହିଁ ତାଙ୍କ ପ୍ରତି ଓଡ଼ିଆ ଜାତିର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।
ବରିଷ୍ଠ ଦର୍ଶନ ଅଧ୍ୟାପକ
ସଂସ୍କୃତ ମହାବିଦ୍ୟାଳୟ
କବିସୂର୍ଯ୍ୟ ନଗର, ଗଞ୍ଜାମ
୯୮୬୧୩୩୪୮୬୮


