ଦିଗପହଣ୍ଡି ଭାଜପାରେ ଅନ୍ତର୍ଦ୍ଦ୍ୱନ୍ଦ : ମହୁରୀ କାଳୁଆ ଶକ୍ତିପୀଠରେ ବିଶାଳ ସଭା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଭାଜପା ରେ ଅନ୍ତର୍ଦ୍ଦ୍ୱନ୍ଦ ବିସ୍ପୋରକ ସ୍ଥିତିରେ ପହଞ୍ଚିଛି। ପଞ୍ଚାୟତ ଓ ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଭାଜପା ନେତୃମଣ୍ଡଳୀ ଓ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀବ୍ର ହେଉଛି। ବହୁସଂଖ୍ୟକ ଦଳୀୟ ନେତା ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ଙ୍କ କାର୍ଯ୍ୟକଳାପ ବିରୋଧରେ ମେଳି ବାନ୍ଧିଛନ୍ତି। ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ବିଧାୟକ ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବୁଧବାର ଦିଗପହଣ୍ଡି ନିର୍ବାଚନମଣ୍ଡଳୀ କୁକୁଡାଖଣ୍ଡି ବ୍ଳକ ଅଧିନ ଅଧିଷ୍ଠାତ୍ରୀ ଦେବୀ ମା’ ମହୁରୀ କାଳୁଆ ଶକ୍ତିପୀଠ ରେ ବିଧାୟକ ଙ୍କ ବିରୋଧୀ ଭାବେ ଜଣାଶୁଣା ଭାଜପା ନେତୃମଣ୍ଡଳୀ ଏକତ୍ରିତ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ଅବସରରେ ବିପିନ ଙ୍କ ନେତୃତ୍ୱରେ ଆୟୋଜିତ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ସଭାରେ ବିଧାୟକଙ୍କ ବିରୋଧରେ ଉପେକ୍ଷିତ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଗର୍ଜନ କରିଛନ୍ତି। ବିଧାୟକ ଙ୍କ ଦଳବିରୋଧୀ କାର୍ଯ୍ୟକଳାପ ଓ ଦଳୀୟ ନେତୃବୃନ୍ଦ ଙ୍କୁ ଉପେକ୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଭାରେ ସଂକଳ୍ପ ପାରିତ କରାଯାଇଥିଲା। ତେବେ ସଭାରେ ଉପସ୍ଥିତ ଭାଜପା ଜିଲା ସଭାପତି ସରୋଜ ସାବତ ବିଧାୟକ ଙ୍କ ସପକ୍ଷରେ ଦେଇଥିବା ମନ୍ତବ୍ୟକୁ ନେଇ ସଭାରେ ଉପସ୍ଥିତ ବହୁ ସଂଖ୍ୟକ ଆଗଧାଡ଼ିର କର୍ମୀ ଉତ୍ତେଜିତ ହେବା ସହ ହୋହଲ୍ଲା କରିଥିଲେ। ପରେ ବିପିନ ଏବଂ ଅନ୍ୟ କିଛି ଦଳୀୟ ନେତା ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସଭାରେ ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡି ବ୍ଲକ ସମେତ ଦିଗପହଣ୍ଡି ସହରର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଦଳୀୟ ନେତୃବୃନ୍ଦ ସେମାନଙ୍କ ସମସ୍ୟା ସମ୍ପର୍କରେ ଉଦବୋଧନ ଦେବା ସହ ବିଧାୟକ କିପରି ପ୍ରତିପକ୍ଷ ରାଜନୈତିକ ଦଳର ନେତାମାନଙ୍କୁ ସାଙ୍ଗରେ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି।ଏପରିକି ଗତ ବିଧାନସଭା ନିର୍ବାଚନରେ ତାଙ୍କୁ ଯେଉଁ ମାନେ ତାଙ୍କୁ ବିରୋଧ କରୁଥିଲେ।ସେମାନଙ୍କୁ ବିଧାୟକ ଏବେ ଗୁରୁତ୍ଵ ଦେଉଛନ୍ତି। ଗାଁ ଗାଁ ରେ ଭାଜପା ର ସଙ୍ଗଠନ କୁ ସେ ଭାଙ୍ଗିବା ସହ ସମାନ୍ତରାଳ ସଙ୍ଗଠନ ତିଆରି କରି ଭାଜପା ନୁହେଁ ବ୍ୟତିଗତ ଭାବେ ସିଦ୍ଧାନ୍ତ ଲିଗାସି ସୃଷ୍ଟି କରୁଛନ୍ତି। ପୁରୁଖା ଭାଜପା ନେତୃବୃନ୍ଦ ଙ୍କୁ ବିଧାୟକ ହତାଦର କରି ଭାଜପା ର ଚିରା ଚରିତ ଶତ୍ରୁ ମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି। ଦଳର ବରିଷ୍ଠ କାର୍ଯ୍ଯକର୍ତ୍ତା ଏବଂ ଦଳ ପ୍ରତି ସମର୍ପିତ କର୍ମୀମାନଙ୍କୁ ବିଧାୟକ ଉପେକ୍ଷା କରିବା ସହ ପଞ୍ଚାୟତର ବିକାଶ କାର୍ଯ୍ୟ ଗୁଡିକରେ ବାଧକ ସୃଷ୍ଟି କରି ଆସୁଛନ୍ତି। ବିଧାୟକ ଙ୍କ ପ୍ରତିନିଧି ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ବିଭିନ୍ନ ଅଧିକାରୀଙ୍କ ଠାରୁ ବିଧାୟକ ଙ୍କ ଜାଣତରେ ଅର୍ଥ ଆଦାୟ କରୁଥିବା ସହ ବିଭିନ୍ନ ଯୋଜନାରେ ହେଉଥିବା କାର୍ଯ୍ୟର ଠିକା ବିଜେଡିର କେତେକ ବ୍ୟକ୍ତି ଙ୍କୁ ଦିଆଯାଉଥିବା ନେଇ ସଭାରେ ମତପ୍ରକାଶ ପାଇଥିଲା । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଧାୟକଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ବିରୋଧ କରାଯିବ ବୋଲିି ସଭାରେ ଘୋଷଣା କରାଯାଇଥିଲା। ପରେ ଶକ୍ତିପୀଠ ପରିସରରେ ବିଭିନ୍ନ କିସମ ର ବୃକ୍ଷ ଚାରା ରୋପଣ କରାଯାଇଥିଲା । ସଭାରେ ମହନ୍ତ ଚିନ୍ମୟାନନ୍ଦ ମହାରାଜ , ଜିଲା କାର୍ଯ୍ୟକର୍ତ୍ତା ସିଦ୍ଧାନ୍ତ ଗଙ୍ଗଦେବ,ଶ୍ରୀକାନ୍ତ ପାଢ଼ୀ, ପରେଶ ଚନ୍ଦ୍ର ରଥ , ବମୋକେଇ ପଞ୍ଚାୟତ ସରପଞ୍ଚ ତପନ ପ୍ରଧାନ, ବରିଷ୍ଠ କାର୍ଯ୍ଯକର୍ତ୍ତା ତଥା ପୂର୍ବତନ ସରପଞ୍ଚ ସଂଗ୍ରାମ ସିଂ, ଭଗବାନ ବାଡ଼ତ୍ୟା , କୃଷ୍ଣଚନ୍ଦ୍ର ସାହୁ, ବ୍ରହ୍ମପୁର ଏମ.ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀ , ଭବାନୀ ଶଙ୍କର ପଣ୍ଡା , ଆଇନଜୀବି ସିମାଞ୍ଚଳ ପ୍ରଧାନ , ଜିଲା ଯୁବମୋର୍ଚ୍ଚା ଉପସଭାପତି କିଶୋର କୁମାର ସାହୁ ,ବାବୁଲା ପାତ୍ର,ଦୀପକ ମହାପାତ୍ର, ଭାଜପା ର ପଦ୍ମନାଭପୁର ପଞ୍ଚାୟତ ପ୍ରଭାରୀ ଶୁଭେନ୍ଦୁ ପାଢ଼ୀ , ବାଘଲଟି ପଞ୍ଚାୟତ ସମିତି ସଭ୍ୟ ସାରଥୀ ଗୈାଡ , ମହୁଡା ପଞ୍ଚାୟତ ସମିତି ସଭ୍ୟ ଜତିନ୍ଦ୍ର ପାତ୍ର , ବଡ଼ଡୁମ୍ବୁଳା ପଞ୍ଚାୟତ ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ, ଭାଜପା ଆଙ୍କୁଶପୁର ମଣ୍ଡଳ ସଭାପତି ଏ . ବାବୁଲା ପାତ୍ର , ମହୁଡା ମଣ୍ଡଳ ସଭାପତି ଦୀପକ ମହାପାତ୍ର , ବାଲିପଡା ମଣ୍ଡଳ ସଭାପତି ଲଳିତ ବିଷୋୟୀ , ପୂର୍ବତନ ସମିତି ସଭ୍ୟ ଶୁଭ୍ରାଂଶୁ ପ୍ରଧାନ,ପୂର୍ବତନ ମଣ୍ଡଳ ସଭାପତି ସିମାଞ୍ଚଳ ସାସମଲ , କାର୍ଯ୍ଯକର୍ତ୍ତା ସନ୍ଯାସୀ ପ୍ରଧାନ , ଏ . ନନ୍ଦକିଶୋର , ପଙ୍କଜ ସାହୁ , ମନୋଜ କୁମାର ସାହୁ ଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ବିଧାୟକ ଙ୍କୁ ଏନେଇ ପଚାରିବାରୁ କିଛି ନେତୃବୃନ୍ଦ ଚଳାଉଥିବା ଗତାନୁଗତିକ ଅଗଣତାନ୍ତ୍ରିକ ଧାରା କୁ ଭାଙ୍ଗି ସେ ସିଧାସଳଖ ଲୋକଙ୍କ ସହ ଯୋଡ଼ି ହେଉଥିବାରୁ ତାଙ୍କୁ ହାତଗଣତି କିଛି ବ୍ୟକ୍ତି ଦଳରେ ବିରୋଧ କରୁଛନ୍ତି।ପୂର୍ବରୁ କିଛି ବ୍ୟକ୍ତି ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟକୁ ତାଙ୍କ ଅଙ୍ଗୁଳି ରେ ପରିଚାଳନା କରୁଥିଲେ। ସେ ବର୍ତ୍ତମାନ ମଧ୍ୟ ସେହିଭଳି ଢାଞ୍ଚା ରେ ବ୍ଲକ କାର୍ଯ୍ୟାଳୟକୁ ତାଙ୍କ ଖାସମାହାଲ କରିବାକୁ ଚାହୁଁଥିଲେ।ସେ ସୁଯୋଗ ଦେଲେ ନାହିଁ। ସେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ସେହି ଅଜବ ଗଜବ ପରମ୍ପରା କୁ ବିଲୋପ କରିଦିଆଯାଇଛି। ତେଣୁ ତାଙ୍କ ବିରୋଧରେ ଲୋକଙ୍କୁ ପ୍ରଭାବିତ ପାଇଁ ଉଦ୍ୟମ କରାଯାଉଛି। ମୁଁ ସେମାନଙ୍କୁ ଏବେବି ସମ୍ମାନ ଦେଉଛି। କିନ୍ତୁ ସେମାନଙ୍କ ଷଡ଼ଯନ୍ତ୍ର ସଫଳ ହେବ ନାହିଁ ବୋଲି ବିଧାୟକ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।


