ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା): ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ (Odisha Integrated Road Safety Dashboard) ସମ୍ପର୍କରେ ପୂର୍ବାଞ୍ଚଳ ଜନସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପ୍ରଶିକ୍ଷଣରେ ବିଭିନ୍ନ ବିଭାଗର ଅଧିକାରୀ, ସଡ଼କ ସୁରକ୍ଷା ଅଧିକାରୀ ଏବଂ ଜନସାଧାରଣ ଯୋଗଦେଇଥିଲେ।
ପୂର୍ବାଞ୍ଚଳ ଜୋନ୍‌ର ଡେପୁଟି କମିଶନର (DC) ଶ୍ରୀଯୁକ୍ତ ବିଭା ଭଞ୍ଜନ ସାମନ୍ତସିଂହାର ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ, ରାଇରଙ୍ଗପୁର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପାତ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆଙ୍କ ସମେତ ପରିବହନ ବିଭାଗ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ (NHAI) ଓ ଅବକାରୀ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଏଥିସହ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଚଣ୍ଡିଖୋଲ, ଯାଜପୁର ଓ ରାଇରଙ୍ଗପୁରର ଆଞ୍ଚଳିକ ପରିବହନ ଅଧିକାରୀ (RTO) ଏବଂ ସଡ଼କ ସୁରକ୍ଷା ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଆଇଆଇଟି ମାଡ୍ରାସ୍‌ର ପ୍ରତିନିଧିମାନେ ପ୍ରଶିକ୍ଷଣ ପ୍ରଦାନ କରି ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡର କାର୍ଯ୍ୟପ୍ରଣାଳୀ ଓ ଏହାର ସଠିକ୍ ଉପଯୋଗ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏହି ପ୍ଲାଟଫର୍ମରେ କିପରି ତଥ୍ୟ ଅପଲୋଡ୍ କରାଯିବ, ଆବଶ୍ୟକ ସୂଚନାକୁ ସମୟୋଚିତ ଭାବେ ଅଦ୍ୟତନ କରାଯିବ ଏବଂ ତଥ୍ୟର ସଠିକତା ବଜାୟ ରଖାଯିବ, ସେ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରାଯାଇଥିଲା। ଏହା ସହିତ, ଜନସାଧାରଣ ଏହି ଡ୍ୟାସବୋର୍ଡ ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ଓ ଅଭିଯୋଗ କିପରି ଜଣାଇପାରିବେ, ସେ ବିଷୟରେ ମଧ୍ୟ ଆଲୋକପାତ କରାଯାଇଥିଲା। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି, ସଡ଼କ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପରିଚାଳନାରେ ଉନ୍ନତି ଆଣିବା ଏବଂ ଜନସାଧାରଣଙ୍କ ସକ୍ରିୟ ସହଯୋଗରେ ସଡ଼କ ସୁରକ୍ଷା ସମସ୍ୟାର ସମାଧାନ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମ ଶେଷରେ ଡ୍ୟାସବୋର୍ଡର ସଫଳ ଉପଯୋଗ, ନିୟମିତ ତଥ୍ୟ ଅଦ୍ୟତନ ଏବଂ ସମସ୍ତ ସମ୍ପୃକ୍ତ ବିଭାଗର ସମନ୍ୱିତ ପ୍ରୟାସ ମାଧ୍ୟମରେ ପୂର୍ବାଞ୍ଚଳ ଜୋନ୍ରେ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ