ଆଞ୍ଚଳିକ ମହାବିଦ୍ୟାଳୟରେ ଉତ୍ତେଜନା, ୨୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା

ହାଟଡିହି, (ଓ୍ବାଇଏନଏସ) : ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଭୋଟ ଗଣତିରେ ଅନିୟମିତତା ଅଭିଯୋଗକୁ ନେଇ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ରକରି ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ବିରୋଧ, ରାସ୍ତା ଅବରୋଧ ଓ ଆନ୍ଦୋଳନ ପରିସ୍ଥିତି ସୃଷ୍ଟି ହେବାରୁ ମହାବିଦ୍ୟାଳୟକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିବା ବେଳେ କଲେଜର ସୁରକ୍ଷା ପାଇଁ ମୁଖ୍ୟ ଫାଟକ ସମ୍ମୁଖରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବାରୁ କ୍ୟାମ୍ପସରେ ଉତ୍ସାହ ଓ ରାଜନୈତିକ ତତ୍ପରତା ଦେଖାଦେଇଥିଲା। ବିଭିନ୍ନ ପଦବି ପାଇଁ ପ୍ରାର୍ଥୀମାନେ ପ୍ରଚାର କରିବା ସହ ନିଜ ସପକ୍ଷରେ ମତଦାନ ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବାପରେ ଭୋଟ ଗଣତିରେ ଏବିଭିପି ପାର୍ଥିମାନେ ସମସ୍ତ ପଦବୀରେ ବାଜିମାତ କରିଥିଲେ। ଫଳାଫଳକୁ ନେଇ ବିରୋଧୀ ମହଲରେ ଆଲୋଚନା ଚାଲିଥିବା ବେଳେ ଗଣତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଥିଲା। ଏହି ଅଭିଯୋଗକୁ ନେଇ ବିସିଜେଡି ଓ ଏନଏସୟୁଆଇ  ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ବିରୋଧ ପ୍ରଦର୍ଶନ କରି ରାସ୍ତାରୋକ କରିଥିଲେ। ଅଭିଯୋଗକାରୀ ଛାତ୍ରଛାତ୍ରୀ ମାନେ ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥକୁ  ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ  ଅବରୋଧ ଜାରି ରଖିବାରୁ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ଯାତାୟାତ ଉପରେ ମଧ୍ୟ ପ୍ରଭାବ ପଡ଼ିଥିଲା। ନିର୍ବାଚନ ଫଳାଫଳକୁ ନେଇ ଆରମ୍ଭ ହୋଇଥିବା ବିବାଦ ରାସ୍ତା ଅବରୋଧ ପର୍ଯ୍ୟନ୍ତ ପହଞ୍ଚିବା ପରେ ପରିସ୍ଥିତିକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏହି ଘଟଣା ପରେ  କଲେଜ କର୍ତ୍ତୃପକ୍ଷ  ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଦେଇଥିଲେ।କଲେଜ ପରିସରରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। କଲେଜର ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଅନ୍ୟପକ୍ଷରେ, ଆଜି ପୁଣିଥରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବା ଖବର ପାଇ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଆନନ୍ଦପୁର ଏସ୍‌ଡିପିଓ ଓ ହାଟଡିହି ତହସିଲଦାର ପ୍ରମୁଖ କଲେଜ ନିକଟରେ ପହଞ୍ଚି ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ଚାଲିବା ପରେ ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରାଯାଇଥିଲା। ଫଳରେ ସେଠାରେ ଦେଖାଦେଇଥିବା ଉତ୍ତେଜନା ଶାନ୍ତ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ