ଅଯୋଧ୍ୟା ଓ ବାରାଣସୀ ଦର୍ଶନରେ ଗଲେ ୧୯୭ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ
କଟକ, (ଓ୍ବାଇଏନଏସ): ବରିଷ୍ଠ ନାଗରିକମାନଙ୍କୁ ତୀର୍ଥସ୍ଥଳୀ ପରିଦର୍ଶନ କରାଇବା ସହ ଆଧ୍ୟାତ୍ମିକ ଯାତ୍ରାର ଅନୁଭୂତି ଦେବା ନିମନ୍ତେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧିନରେ ଆଜି କଟକ ଜିଲ୍ଲାର ବିଭିନ୍ନ ବ୍ଲକର ୧୯୭ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରାଣସୀ ଦର୍ଶନରେ ଯିବା ପାଇଁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । କଟକ ମହାନଗର ନିଗମ ମେୟର ସୁବାସ ସିଂହ, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଉପନିର୍ଦ୍ଦେଶକ ପର୍ଯ୍ୟଟନ, ସୁଜାତା ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ର ସରକାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵାଗତିକା ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତାକା ଦେଖାଇ ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ । ତୀର୍ଥଯାତ୍ରୀମାନେ ୫ଟି ବସ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ସକାଳ ୯ଟାରୁ ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ତୀର୍ଥଯାତ୍ରୀମାନଙ୍କର ପଞ୍ଜିକରଣ ଆରମ୍ଭ ହୋଇଥିଲା । ସୂଚନା ଅନୁଯାୟୀ, କଟକ ମହାନଗର ନିଗମ ଅଞ୍ଚଳର ୨୮ ଜଣ, ଡମପଡା ବ୍ଲକର ୨୨ଜଣ, ନିଶ୍ଚିନ୍ତକୋଇଲି ବ୍ଲକର ୨୧ଜଣଙ୍କ ସମେତ ଜିଲ୍ଲାର ମୋଟ ପଞ୍ଜୀକୃତ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧୯୭ ରହିଛି । ପଞ୍ଜିକରଣ ସମୟରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ଦିନ ୩ ଘଟିକା ସମୟରେ ତୀର୍ଥଯାତ୍ରୀମାନେ ଯାତ୍ରା ଆରମ୍ଭ କରିଥିଲେ । ପ୍ରକାଶଥାଉକି ଏହି ତୀର୍ଥଯାତ୍ରୀମାନେ ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିବେ । କଟକ ଜିଲ୍ଳାର ତୀର୍ଥଯାତ୍ରୀଙ୍କ ସହ ୬ଜଣ ଏସକର୍ଟ ଅଫିସର ଯାତ୍ରା କରୁଛନ୍ତି ।


