ବାତ୍ୟା ମୁକାବିଲା ପାଇଁ ଚନ୍ଦ୍ରଭାଗା ଆଶ୍ରୟସ୍ଥଳୀରେ ସ୍ଥିତି ଅନୁଧ୍ୟାନ

କୋଣାର୍କ (ଓ୍ବାଇଏନଏସ) : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ଚନ୍ଦ୍ରଭାଗା ନୋଳିଆ ସାହିର ବାସିନ୍ଦା ଓ ମତ୍ସ୍ୟଜୀବୀମାନଙ୍କୁ ବାତ୍ୟା ସମୟରେ ସତର୍କ ରହିବା ସହ ନିଜର ଆସବାବପତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସୁରକ୍ଷିତ ରଖିବା ନେଇ ସଚେତନ କରାଯାଇଛି। ସୂଚନା ଅନୁଯାୟୀ, କୋଣାର୍କ ଏନ୍‌ଏସି ଅଧୀନ ୮ ନମ୍ବର ୱାର୍ଡର ଚନ୍ଦ୍ରଭାଗା ନୋଳିଆ ସାହି ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ। ଏହି ଅଞ୍ଚଳର ବାସିନ୍ଦାମାନେ ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବରୁ ସୁରକ୍ଷିତ ରହିବା ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସତର୍କ କରାଯିବା ସହ ନିଜର ଜରୁରୀ ସାମଗ୍ରୀ ସୁରକ୍ଷିତ ରଖିବା ଏବଂ ଆବଶ୍ୟକ ସ୍ଥଳେ ନିରାପଦ ଆଶ୍ରୟସ୍ଥଳୀକୁ ଯିବା ପାଇଁ ସୂଚନା ଦିଆଯାଇଥିଲା। ମଙ୍ଗଳବାର ପୂର୍ବାହ୍ନରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଗୋପ ବ୍ଲକ ବିଡିଓ ସୂର୍ଯ୍ୟ ଶଙ୍କର ଦାଶ, କୋଣାର୍କ ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନା, ଗୋପ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, କୋଣାର୍କ ଏନ୍‌ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ଏବଂ ଗୋପ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ପୃଷ୍ଟି , ସୁରେଶ ପୁଷ୍ପପାଳଙ୍କ ସମେତ ଅନ୍ୟ ଲୋକପ୍ରତିନିଧିମାନେ ଆଶ୍ରୟସ୍ଥଳୀର ସ୍ଥିତି ପରଖିଥିଲେ। ଏହି ଅବସରରେ ବାତ୍ୟା ମୁକାବିଲା ପାଇଁ ଆଶ୍ରୟସ୍ଥଳୀର ପ୍ରସ୍ତୁତି, ଲୋକଙ୍କ ସୁରକ୍ଷା ଏବଂ ଜରୁରୀ ସାମଗ୍ରୀର ସୁରକ୍ଷିତ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସହ ଜନସାଧାରଣଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ