ଧାନ ନଡ଼ାରୁ ଜୈବିକ ଖତ ଓ ପରିବେଶ ଅନୁକୂଳ ଥାଳି; ୧୮୩ ମାଷ୍ଟର ଟ୍ରେନରଙ୍କୁ ତାଲିମ

କଟକ, (ଓ୍ବାଇଏନଏସ): ଧାନ ଅମଳ ପରେ ନଡ଼ାକୁ ଅଦରକାରୀ କୃଷି ଅବଶିଷ୍ଟ ଭାବେ ନଦେଖି ଏହାକୁ ଉପଯୋଗୀ ସମ୍ପଦରେ ପରିଣତ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି କଟକସ୍ଥିତ ଆଇସିଏଆର୍‌–କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଆଇସିଏଆର୍‌–ସିଆରଆରଆଇ)। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସହଯୋଗରେ ଓଆଇଆଇପିସିଆରଏ (OIIPCRA) ପ୍ରକଳ୍ପ ଅଧୀନରେ ଧାନ ନଡ଼ାର ବୈଜ୍ଞାନିକ ପରିଚାଳନା ଓ ଉପଯୋଗ ସମ୍ପର୍କରେ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଅକ୍ଟୋବର ୫ ତାରିଖରୁ ଦୁଇଦିନିଆ ଦକ୍ଷତା ବିକାଶ ତାଲିମ ଶିବିର ଆରମ୍ଭ ହୋଇଛି। ଆସନ୍ତା ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ମୋଟ ୧୪ଟି ପର୍ଯ୍ୟାୟରେ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ।ଏପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ୧୮୩ ଜଣ ମାଷ୍ଟର ଟ୍ରେନର ତାଲିମ ନେଇସାରିଛନ୍ତି। ତାଲିମପ୍ରାପ୍ତଙ୍କ ମଧ୍ୟରେ ୧୪୮ ଜଣ ପୁରୁଷ ଓ ୩୫ ଜଣ ମହିଳା ଅଛନ୍ତି। ଏହି ତାଲିମରେ କୃଷି ବିଭାଗର ଅଧିକାରୀ, ପାଣି ପଞ୍ଚାୟତ ଓ କୃଷକ ପ୍ରତିନିଧିଙ୍କ ସମେତ ବିଭିନ୍ନ ସାମାଜିକ କର୍ମୀ ଓ ଅନ୍ୟାନ୍ୟ ଅଂଶୀଦାର ସାମିଲ ହୋଇଛନ୍ତି। ଧାନ ନଡ଼ାକୁ ଅଣୁଜୀବଙ୍କ ସହାୟତାରେ ଜୈବିକ ଉପାୟରେ ବିଘଟନ କରିବା, ଏଥିରୁ ଜୈବିକ ଖତ ପ୍ରସ୍ତୁତ କରିବା ଏବଂ ନଡ଼ାରୁ ଜୈବ-ବିଘଟନଶୀଳ ଥାଳି ତିଆରି କରିବା ସମ୍ପର୍କରେ ତାଲିମ ଦିଆଯାଉଛି।ପ୍ରକଳ୍ପର ଲକ୍ଷ୍ୟ ହେଉଛି ରାଜ୍ୟର ୧୫ଟି ଜିଲ୍ଲାର ୭,୫୦୦ ହେକ୍ଟର ଜମିରେ ଧାନ ନଡ଼ା ପରିଚାଳନା ସମ୍ପର୍କିତ ମାନକ କାର୍ଯ୍ୟପଦ୍ଧତି (ଏସ୍‌ଓପି) କାର୍ଯ୍ୟକାରୀ କରିବା। ଏହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ଓ ଉର୍ବରତାରେ ଉନ୍ନତି ଆସିବା ସହ ମାଟିରେ ଜୈବିକ ଅଙ୍ଗାରକର ପରିମାଣ ବୃଦ୍ଧି ପାଇବ। ଏଥିସହ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ସହ୍ୟ କରିବାରେ କୃଷି ବ୍ୟବସ୍ଥା ଅଧିକ ସକ୍ଷମ ହେବା ସହ କୃଷକଙ୍କ ପାଇଁ ନୂତନ ଜୀବିକାର ସୁଯୋଗ ସୃଷ୍ଟି ହେବ।ଧାନ ନଡ଼ାର ସଠିକ୍ ଉପଯୋଗ ଦ୍ୱାରା କୃଷି ଅବଶିଷ୍ଟରୁ ମୂଲ୍ୟବାନ ସମ୍ପଦ ସୃଷ୍ଟି କରିବା ସମ୍ଭବ। ଏହି ପଦକ୍ଷେପ ଜୈବିକ ଖତ ଉତ୍ପାଦନ, ପରିବେଶ ସୁରକ୍ଷା ଓ ସ୍ଥାୟୀ କୃଷିର ପ୍ରସାରକୁ ପ୍ରୋତ୍ସାହିତ କରିବା ସହ କୃଷକଙ୍କ ଆୟ ବୃଦ୍ଧି ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ