ବାଗଦେରୀରେ ‘ପରବ-୨୦୨୬’ ଶୁଭାରମ୍ଭ ନିମନ୍ତେ ପ୍ରସ୍ତୁତି
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଲୋକଜୀବନର ଅନନ୍ୟ ଐତିହ୍ୟକୁ ଲୋକଲୋଚନକୁ ଆଣିବା ସହ ଏହାର ସୁରକ୍ଷା ଓ ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ହେବାକୁ ଯାଉଛି ଆଦିବାସୀ ଲୋକ ମହୋତ୍ସବ ‘ପରବ-୨୦୨୬’। ଏହି ମହୋତ୍ସବର ଶୁଭାରମ୍ଭ ପାଇଁ କୁନ୍ଦୁରା ବ୍ଲକ୍ର ବାଗଦେରୀ ଗ୍ରାମ ପଞ୍ଚାୟତ ସଦର ମହକୁମାରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ମହୋତ୍ସବକୁ ସୁବ୍ୟବସ୍ଥିତ, ଶୃଙ୍ଖଳିତ ଓ ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରିବା ନିମନ୍ତେ ବ୍ଲକ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତିମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ନିଜେ ବିଡିଓ ପି. ମନସ୍ମିତା ଉପସ୍ଥିତ ରହି ଆୟୋଜନ ସ୍ଥଳର ପ୍ରସ୍ତୁତି ଓ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରୁଛନ୍ତି। ଏହି ଅବସରରେ ସହକାରୀ ଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ, ସମ୍ପୃକ୍ତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଉପସ୍ଥିତ ରହି ପ୍ରସ୍ତୁତି କାର୍ଯ୍ୟରେ ସହଯୋଗ କରୁଛନ୍ତି। ଆଦିବାସୀ ସମାଜର ନୃତ୍ୟ, ସଙ୍ଗୀତ, ବେଶଭୂଷା, ପାରମ୍ପରିକ ଖାଦ୍ୟପେୟ ଓ ଲୋକକଳାର ବିବିଧତାକୁ ଏକ ମଞ୍ଚରେ ପ୍ରତିଫଳିତ କରିବାର ଏହି ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ବରଂ ଆଦିବାସୀ ଅସ୍ମିତା, ସାଂସ୍କୃତିକ ଗୌରବ ଓ ପାରମ୍ପରିକ ଜୀବନଧାରାର ଏକ ସୁନ୍ଦର ଅଭିବ୍ୟକ୍ତି। ଏହାକୁ ସଫଳ କରିବା ପାଇଁ ବ୍ଲକ୍ ପ୍ରଶାସନ ସମସ୍ତ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଥିବା ବେଳେ ବାଗଦେରୀ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହେବାକୁ ଲାଗିଛି। ଏହି ସମୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଧା ବିନୋଦ ସାମନ୍ତରାୟ ଓ ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି ପ୍ରମୁଖ ଉପସ୍ଥିତ ଥିଲେ।


