ସାମ୍ବାଦିକ ସଂଘର ନୂଆ ସାରଥି ହେଲେ ଗୌରୀଶଙ୍କର ଓ ଅମିତାଭ

କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ସାମ୍ବାଦିକତାର ମର୍ଯ୍ୟାଦା, ସାଂଗଠନିକ ଏକତା ଓ ସାମ୍ବାଦିକମାନଙ୍କ ସ୍ୱାର୍ଥ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବାର ଆହ୍ୱାନ ସହ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (କେଜେଡଏସଏସ)ର ଦ୍ୱିବାର୍ଷିକ ନିର୍ବାଚନ ସମ୍ପନ୍ନ ହୋଇଛି। ଶୁକ୍ରବାର କୋରାପୁଟ ପ୍ରେସ୍‌ କ୍ଲବ୍‌ ପରିସରରେ ଆୟୋଜିତ ଏହି ନିର୍ବାଚନରେ ସଂଘର ନୂତନ ନେତୃତ୍ୱ ଚୟନ କରାଯାଇଛି। ଟି. ଗୌରୀଶଙ୍କର ସଭାପତି ଏବଂ ଅମିତାଭ ବେହେରା ସାଧାରଣ ସମ୍ପାଦକ ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି। ରାଜ୍ୟ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ମନୋନୟନ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚନ ସୁଚାରୁରୂପେ ସମାପନ ହୋଇଥିଲା। ରାଜ୍ୟ ଓୟୁଜେ ଉପସଭାପତି ପରୀକ୍ଷିତ ବିଶ୍ୱାଳଙ୍କ ସମେତ ଅଜୟ ସାହୁ, ମନୋଜ ପଟ୍ଟନାୟକ, ପ୍ରତାପ ନିମାଲ, ଶରତ ନାୟକ, ତୁଷାରକାନ୍ତ ମହାନ୍ତି, ରାଜେନ୍ଦ୍ର ଗୌଡ଼, ମୁକ୍ତେଶ୍ୱର ନାୟକ, ଅମରେନ୍ଦ୍ର ପରିଚ୍ଛା ଓ ଭବାନୀ ମିଶ୍ରଙ୍କୁ ନେଇ ଗଠିତ ଦଶଜଣିଆ ନିର୍ବାଚନ କମିଟି ସମଗ୍ର ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିଥିଲା।
ନବଗଠିତ ସାଂଗଠନିକ ଟିମ୍‌ରେ ଉପସଭାପତି ଭାବେ ବୋରିଗୁମ୍ମାର ବିଜୟ ନାରାୟଣ ସାହୁ ଓ ସେମିଳିଗୁଡ଼ାର ସି.ଏଚ୍‌. କୁରୁମା ରାଓ ମନୋନୀତ ହୋଇଥିବାବେଳେ ସହସମ୍ପାଦକ ଭାବେ ଲକ୍ଷ୍ମୀପୁରର ଯୁଧିଷ୍ଠିର ବାଗ ଓ ଲମତାପୁଟର ସୁରେଶ ଲାମତା ଦାୟିତ୍ୱ ଗ୍ରହଣ କରିବେ। ସେହିପରି ପଟ୍ଟାଙ୍ଗିର ଶ୍ରୀକାନ୍ତ ଚୌଧୁରୀ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସଂଘର ସାଂଗଠନିକ କାର୍ଯ୍ୟକଳାପକୁ ଗତିଶୀଳ କରିବା ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାମ୍ବାଦିକମାନଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ଲକ୍ଷ୍ୟରେ କାର୍ଯ୍ୟକାରୀ କମିଟିକୁ ମଧ୍ୟ ମନୋନୀତ କରାଯାଇଛି। ଏଥିରେ କୁନ୍ଦ୍ରାର ଅକ୍ଷୟ ପଟ୍ଟନାୟକ, ବୈପାରୀଗୁଡ଼ାର ସୌମେନ୍ଦ୍ର ପଟ୍ଟନାୟକ, ନନ୍ଦପୁରର ଦୁର୍ଗାପ୍ରସାଦ ପାଢ଼ୀ, ଲକ୍ଷ୍ମୀପୁରର ପ୍ରମୋଦ ଜେନା, ନାରାୟଣପାଟଣାର ଗୋବିନ୍ଦ ରାଜୁ ସୁବୁଦ୍ଧି, ସେମିଳିଗୁଡ଼ାର କ୍ଷୀରୋଦ ଭୋଳ, କୋଟପାଡ଼ର ରାଜଶେଖର ରାଓ, ଜୟପୁରର ସନ୍ତୋଷ ପାତ୍ର, ଦଶମନ୍ତପୁରର ପ୍ରମୋଦ ଖରା, କୋରାପୁଟର ଘନଶ୍ୟାମ ରଥ ଓ ବନ୍ଧୁଗାଁର ମୀନା ବେବରା ସ୍ଥାନ ପାଇଛନ୍ତି। ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ, ସହଯୋଗ ଓ ସାଂଗଠନିକ ସଂହତିକୁ ଅଧିକ ମଜବୁତ କରିବା ସହ ସାମ୍ବାଦିକଙ୍କ ନ୍ୟାଯ୍ୟ ଅଧିକାର ଓ ସାମାଜିକ ସୁରକ୍ଷା ଦିଗରେ ନୂତନ କମିଟି ନିଷ୍ଠାର ସହ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ