ରାସ୍ତା ନାଁରେ ଫଳକ ଲାଗିଛି, ହେଲେ ଗାଁକୁ ରାସ୍ତା ନାହିଁ!
ହାଟଡିହି, (ଓ୍ବାଇଏନଏସ): ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ପକ୍କା ସଡ଼କ। ରାସ୍ତା ନିର୍ମାଣ ପାଇଁ ଫଳକ ଲାଗିଛି, ହେଲେ ବାସ୍ତବରେ ଗାଁକୁ ରାସ୍ତାର ଚିହ୍ନବର୍ଣ୍ଣ ନାହିଁ। ଏପରିକି ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପରିବାର ଲୋକଙ୍କୁ ଖଟିଆର ସାହାଯ୍ୟ ନେବାକୁ ପଡ଼ୁଛି। ଏଭଳି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଇଶଳା ଛକ ନିକଟରେ ଆର.ଡି. ରୋଡ୍ରୁ ପରମାନନ୍ଦପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସମ୍ପର୍କିତ ଫଳକ ଲାଗିଛି। ହେଲେ ଆଜି ପର୍ଯ୍ୟନ୍ତ ପରମାନନ୍ଦପୁରକୁ ପକ୍କା ସଡ଼କ ନିର୍ମାଣ ହୋଇନାହିଁ। ଫଳକରେ ଗାଁର ନାଁ ଥିବାବେଳେ ବାସ୍ତବରେ ରାସ୍ତା ଅନ୍ୟ ଗାଁକୁ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେମାନଙ୍କ ଅଭିଯୋଗ ଅନୁଯାଇ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୨୦୦ରୁ ଅଧିକ ଲୋକ ବସବାସ କରୁଥିବାବେଳେ ଯାତାୟାତ ପାଇଁ ଆଜି ପର୍ଯ୍ୟନ୍ତ ଏକ ଭଲ ରାସ୍ତା ନାହିଁ। ଗାଁର ପୂର୍ବ ପଟେ ଏମାଙ୍ଗମେଣ୍ଟଠାରୁ ଗାଁ ଭିତରକୁ ଏକ ମାଟି ରାସ୍ତା ରହିଛି। ସେହିପରି ପଶ୍ଚିମ ପଟେ ଷଡ଼ଙ୍ଗା ଗାଁରୁ ଏବଂ ଅନ୍ୟ ଏକ ରାସ୍ତା ଇଶଳାଠାରୁ ଧାନଘର ଦେଇ ଗାଁକୁ ସଂଯୋଗ କରିଛି। ମାତ୍ର ସମସ୍ତ ରାସ୍ତା ମାଟିର ହୋଇଥିବାରୁ ବର୍ଷାଦିନେ ଯାତାୟାତ ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି।
ଏପରିକି ଗାଁ ଭିତରକୁ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ପହଞ୍ଚିବା ସମ୍ଭବ ହେଉନାହିଁ। କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ତାଙ୍କୁ ଖଟିଆରେ ବୋହି ପ୍ରାୟ ୧ରୁ ୨ କିଲୋମିଟର ଦୂରକୁ ଆଣିବା ପରେ ଗାଡ଼ିରେ ଡାକ୍ତରଖାନା ନେବାକୁ ପଡ଼ୁଛି। ପ୍ରାୟ ୫ ବର୍ଷ ପୂର୍ବରୁ ଇଶଳାଠାରୁ ଧାନଘର ଦେଇ କିଛି ଦୂର ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ହୋଇଥିଲା। ମାତ୍ର ତାହା ମଧ୍ୟ ଏବେ ନଷ୍ଟ ହୋଇଗଲାଣି।
ଗତବର୍ଷ ଇଶଳାଠାରୁ ପରମାନନ୍ଦପୁର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଅନୁଦାନ ମିଳିଥିବା ଜାଣି ଗ୍ରାମବାସୀଙ୍କ ମନରେ ଆଶା ସଞ୍ଚାର ହୋଇଥିଲା। ଦୀର୍ଘଦିନର ଦାବି ପୂରଣ ହେବ ଏବଂ ଗାଁକୁ ପକ୍କା ସଡ଼କ ମିଳିବ ବୋଲି ସେମାନେ ଆଶା ବାନ୍ଧିଥିଲେ। କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହା ପରମାନନ୍ଦପୁର ପରିବର୍ତ୍ତେ ଇଞ୍ଚୋଳ ଗାଁକୁ ସଂଯୋଗ କରିଥିବା ଜାଣିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫଳକରେ ପରମାନନ୍ଦପୁର ନାଁ ଥିବା ସତ୍ତ୍ୱେ ରାସ୍ତା ଅନ୍ୟ ଗାଁକୁ ଗଲା କିପରି ? ଆମ ଗାଁ ପାଇଁ ଆସିଥିବା ରାସ୍ତା କୁଆଡ଼େ ଉଭାନ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଏହାକୁ ନେଇ ଆଜି ରବୀନ୍ଦ୍ର କୁମାର ଜେନା, ବିକ୍ରମ ଜେନା, ରଙ୍ଗାଧର ଜେନା, କୁନି ଜେନା, ଗୀତା ଜେନା, ଶରତ ଜେନା ଓ ରଘୁନାଥ ଜେନା, ସୁଦର୍ଶନ ଜେନା, ରମ୍ଭାମଣି ଜେନା, ପଦ୍ମନାଭ ଜେନା, କାହ୍ନୁ ଚରଣ ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଏପରି ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସେମାନେ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ତଦନ୍ତ ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରଜତ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତାର ନାମ ପୂର୍ବରୁ ଏହିପରି ରହିଆସିଛି। ମାତ୍ର ଚଳିତଥର ଆର.ଡି. ରୋଡ୍ରୁ ଇଞ୍ଚୋଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣକୁ ଅନୁମୋଦନ ମିଳିଥିଲା। ସେହି ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ ହୋଇଛି। ତେବେ ଡିଏମଏଫ ଯୋଜନାରେ ପରମାନନ୍ଦପୁରକୁ ଦୁଇଟି ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହା ଅନୁମୋଦନ ହେବା ପରେ ରାସ୍ତା ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


