ରାୟଗଡ଼ାରେ ଅଦିନିଆ ଶିକ୍ଷକ ବଦଳିକୁ ହାଇକୋର୍ଟଙ୍କ ଝଟକା!
ଗୁଣପୁର, (ୱାଇ ଏନ ଏସ): ଶିକ୍ଷାବର୍ଷ ମଧ୍ୟଭାଗରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବ୍ୟାପକ ବଦଳିକୁ ନେଇ ରାୟଗଡ଼ା ଜିଲ୍ଲାରେ ଦେଖାଦେଇଥିବା ଅସନ୍ତୋଷ ଏବେ ଏକ ଗୁରୁତର ପ୍ରଶାସନିକ ଓ ଆଇନଗତ ପ୍ରସଙ୍ଗରେ ପରିଣତ ହୋଇଛି। ଜିଲ୍ଲାରେ ୮୦୦ରୁ ଊର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକଙ୍କ ଅକ୍ଟୋବର ମାସରେ ହୋଇଥିବା ବଦଳିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବାବେଳେ, ଅନ୍ୟପଟେ ଶିକ୍ଷାବର୍ଷ ମଧ୍ୟଭାଗରେ ଜଣେ ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ ଏହି ପ୍ରସଙ୍ଗକୁ ନୂଆ ମୋଡ଼ ଦେଇଛି। ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ, ଶିକ୍ଷୟିତ୍ରୀ ସରସ୍ୱତୀ ଖଣ୍ଡାଇଙ୍କ ବଦଳି ସମ୍ପର୍କିତ ଅଭିଯୋଗର ପୁନର୍ବିଚାର କରି ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଛି। ସେପର୍ଯ୍ୟନ୍ତ ତାଙ୍କ ବଦଳି ଆଦେଶକୁ ସ୍ଥଗିତ ରଖିବାକୁ ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି। ୧୬ ଅକ୍ଟୋବର ୨୦୨୬ରେ W.P.(C) No.34530 of 2026 ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଆର୍.କେ. ପଟ୍ଟନାୟକ ଏହି ଆଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଶିକ୍ଷାବର୍ଷ ମଧ୍ୟଭାଗରେ ବଦଳି କରାଯିବା, ସରକାରୀ ବଦଳି ନିର୍ଦ୍ଦେଶାବଳୀ ପାଳନ ନହେବା, ଦୁର୍ଗମ ଅଞ୍ଚଳକୁ ସ୍ଥାନାନ୍ତର, ଯୋଗାଯୋଗ ସମସ୍ୟା ଏବଂ ପିଲାମାନଙ୍କ ପାଠପଢ଼ା ଭଳି ପାରିବାରିକ ଅସୁବିଧା କୋର୍ଟଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ସରକାରୀ ପକ୍ଷ ଜନସେବାର ସ୍ୱାର୍ଥ ଓ ଶିକ୍ଷକଙ୍କ ଯୁକ୍ତିସଂଗତ ପୁନର୍ବିନ୍ୟାସ ଆଧାରରେ ବଦଳିକୁ ସମର୍ଥନ କରିଥିଲେ। ତେବେ ହାଇକୋର୍ଟ ସମଗ୍ର ବଦଳି ପ୍ରକ୍ରିୟାରେ ହସ୍ତକ୍ଷେପ ନକରି ଆବେଦନକାରୀଙ୍କୁ ନିଜର ଅଭିଯୋଗ ଓ ଅସୁବିଧା ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ଦେଇଛନ୍ତି। ଅଧିକାରୀଙ୍କ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ କେବଳ ତାଙ୍କ କ୍ଷେତ୍ରରେ ବଦଳି ଆଦେଶ ସ୍ଥଗିତ ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହିପରି ୪/୫ଜଣଙ୍କ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବଦଳି ଆଦେଶ ଉପରେ ସ୍ଥଗିତାଦେଶ ଆସିଥିବା ଜଣାପଡିଛି। ସରକାରୀ ଶିକ୍ଷକ ବଦଳି ନୀତିରେ ସାଧାରଣତଃ ଏପ୍ରିଲ୍ ୧୫ରୁ ଜୁନ୍ ୧୫ ମଧ୍ୟରେ ବଦଳି ପ୍ରକ୍ରିୟା ସମ୍ପନ୍ନ କରିବାର ବ୍ୟବସ୍ଥା ଥିବାବେଳେ ରାୟଗଡ଼ା ଜିଲ୍ଲାରେ ଅକ୍ଟୋବର ମାସରେ ଏତେ ବଡ଼ ସଂଖ୍ୟାରେ ବଦଳି କରାଯିବା ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ନିର୍ଦ୍ଧାରିତ ସମୟସୀମା ପରେ ବଦଳି ପାଇଁ କାହାର ଅନୁମୋଦନ ନିଆଯାଇଥିଲା? ଜିଲ୍ଲାସ୍ତରୀୟ ବଦଳି କମିଟିର ସୁପାରିସ ଓ ବୈଠକ ହୋଇଥିଲା କି? ବଦଳି ତାଲିକା ପ୍ରସ୍ତୁତିରେ କେଉଁ ମାନଦଣ୍ଡ ଅନୁସରଣ କରାଯାଇଥିଲା? ଏସବୁ ପ୍ରଶ୍ନର ଉତ୍ତର ଏବେ ଜିଲ୍ଲାର ବିଧାୟକ ମାନେ ସରକାରଙ୍କୁ ପ୍ରଶ୍ନ କରିଥିବା ବେଳେ ଏହାର ଉତ୍ତର ପାଇଁ ଜିଲ୍ଲାବାସୀ ଓ ଶିକ୍ଷକ ମହଲ ଅପେକ୍ଷା କରିଛନ୍ତି।
ଏହି ବଦଳି ତାଲିକାରେ ଶତାଧିକ ମହିଳା ଶିକ୍ଷୟିତ୍ରୀଙ୍କୁ ଦୁର୍ଗମ ପାହାଡ଼ିଆ ଓ ଯାତାୟାତ ଅସୁବିଧା ଥିବା ଅଞ୍ଚଳକୁ ପଠାଯାଇଥିବା ଅଭିଯୋଗ ହୋଇଛି। କେତେକ ଶିକ୍ଷକ ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୀର୍ଘକାଳୀନ ଚିକିତ୍ସାଧୀନ ଥିବା ସତ୍ତ୍ୱେ ବଦଳିରୁ ବାଦ୍ ପଡ଼ିନଥିବା ମଧ୍ୟ କୁହାଯାଉଛି। ମହିଳା ଶିକ୍ଷୟିତ୍ରୀଙ୍କ ସୁରକ୍ଷା, ରହଣି, ଯାତାୟାତ, ପାରିବାରିକ ଦାୟିତ୍ୱ ଓ ପିଲାମାନଙ୍କ ଶିକ୍ଷାକୁ ବିଚାରକୁ ନିଆଯାଇଥିଲା କି ନାହିଁ, ତାହା ଏବେ ତଦନ୍ତ ଓ ସ୍ପଷ୍ଟୀକରଣ ଦାବି କରୁଛି। କିଛି ଶିକ୍ଷକ ଦମ୍ପତିଙ୍କ କ୍ଷେତ୍ରରେ ସ୍ବାମୀଙ୍କୁ ରାସ୍ତା କୋଡ ସ୍କୁଲରେ ଅବସ୍ଥାପିତ କରିଥିବା ବେଳେ ଆଉ ସ୍ତ୍ରୀ କୁ ଦୁର୍ଗମ ପାହାଡିଆ ଅଞ୍ଚଳକୁ ବଦଳି କରିଥିବା ନଜିର ରହିଛି। ଏମିତିକି ଭୀଷଣ ସ୍ଵାସ୍ଥ୍ୟ ସମସ୍ୟା ରହି ଚିକିତ୍ସିତ ହେଉଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଗମନାଗମନ ନଥିବା ଗ୍ରାମାଞ୍ଚଳର ଦୁର୍ଗମ ସ୍କୁଲ ଗୁଡିକୁ ବଦଳି ହୋଇଥିବା ଜଣାପଡିଛି। ଏହି ସବୁ ପ୍ରଶ୍ନ ଗୁଡିକ ଉପରେ ଶିକ୍ଷା ଅଧିକାରୀଙ୍କ ନିକଟରେ ସନ୍ତୋଷ ଜନକ ଉତ୍ତର ନଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦେଶରେ ବଦଳି ହୋଇଥିବା କହି ଚୁପ ରହିବାକୁ ବାଧ୍ୟ ହେଉଛନ୍ତି।


