ଆମ ବସ୍ର ଚାବି ଛଡ଼ାଇ ନେଇ ଫେରାର ସ୍କୁଟି ଚାଳକ, ବାଦାମବାଡ଼ିରୁ ଧରିଲା ପୁଲିସ
କଟକ, (ଓ୍ବାଇଏନଏସ): କଟକ ସହରରେ ଆମ ବସ୍ ଓ ସ୍କୁଟି ଚାଳକଙ୍କ ମଧ୍ୟରେ ବଚସାକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ହାଇକୋର୍ଟ ଛକ ନିକଟରେ ଜଣେ ସ୍କୁଟି ଚାଳକ ଆମ ବସ୍ର ଡ୍ରାଇଭରଙ୍କଠାରୁ ଗାଡ଼ିର ଚାବି ଛଡ଼ାଇ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପରେ ପୁଲିସ ତାଙ୍କୁ ବାଦାମବାଡ଼ି ଅଞ୍ଚଳରୁ ଧରିଛି।ସୂଚନା ଅନୁଯାୟୀ, ରବିବାର ହାଇକୋର୍ଟ ଛକ ନିକଟରେ ଆମ ବସ୍ ଯାଉଥିବା ସମୟରେ ଜଣେ ସ୍କୁଟି ଚାଳକଙ୍କୁ ଆମ ବସ୍ ସାଇଡ୍ ମାରିଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ସେ ବସ୍ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରିଥିଲେ। କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ସ୍କୁଟି ଚାଳକ ହଠାତ୍ ଆମ ବସ୍ ଡ୍ରାଇଭରଙ୍କ ଠାରୁ ଚାବି ଛଡ଼ାଇ ନେଇ ସେଠାରୁ ଚାଲିଯାଇଥିଲେ। ଚାବି ନଥିବାରୁ ଆମ ବସ୍ଟି ରାସ୍ତା ଉପରେ ଅଟକି ରହିଥିଲା। ଫଳରେ ବସ୍ରେ ଥିବା ଯାତ୍ରୀମାନେ କିଛି ସମୟ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ କ୍ରୁଟ୍ କର୍ତ୍ତୃପକ୍ଷ ଅନ୍ୟ ଏକ ଚାବି ଆଣି ଦେବାରୁ ବସ୍ଟି ପୁଣି ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ଅନ୍ୟପକ୍ଷରେ, ସ୍କୁଟି ଚାଳକଙ୍କ ଦେହରେ ଆମ ବସ୍ ମାଡ଼ ହୋଇନଥିବା ବସ୍ ଡ୍ରାଇଭର ଦାବି କରିଛନ୍ତି। ଆମ ବସ୍ରେ ଥିବା ଯାତ୍ରୀମାନେ ମଧ୍ୟ ଏହା ଦେଖିଥିବା ସେ କହିଛନ୍ତି। ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଖୋଜାଖୋଜି କରି ସମ୍ପୃକ୍ତ ସ୍କୁଟି ଚାଳକଙ୍କୁ ବାଦାମବାଡ଼ି ଅଞ୍ଚଳରୁ ଧରିଥିଲା। ବର୍ତ୍ତମାନ ପୁଲିସ ତାଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି।


