ନିଖିଳ ଓଡିଶା ଆଶାକର୍ମୀ ସଙ୍ଘର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ପ୍ରତି ମାସର ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ ଦାବୀରେ ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୧୩ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ନିଖିଳ ଓଡିଶା ଆଶାକର୍ମୀ ସଂଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ସମସ୍ତ ଆଶାକର୍ମୀମାନେ ନିଜପରିବାରକୁ ପଛ କରି ଜତ୍କିଞ୍ଚିତ ପାରିଶ୍ରମିକ ନେଇ ଏନଏଚଏମ ଯୋଜନାର ସଫଳ ନିମନ୍ତେ ଦୀର୍ଘ ୨୧ ବର୍ଷ ହେଲା କାର୍ଯ୍ୟ କରିବା ଫଳରେ ଆଜି ଦେଶରୁ ପୋଲିଓ, ଯକ୍ଷ୍ମା, ମିଳିମିଳା, ମ୍ୟାଲେରିଆ, ଫାଇଲେରିଆ ପ୍ରଭୃତିର ମୂଳୋତ୍ପାଟନ ହୋଇପାରିଥିବା ବେଳେ ମା’ ଓ ଶିଶୁର ସ୍ୱାସ୍ଥ୍ୟରକ୍ଷା ସହିତ ମୃତ୍ୟୁହାର କମିବା ସମ୍ଭବ ହୋଇପାରିଛି। ଏପରିକି କରୋନା ଭଳି ମହାମାରୀକୁ ସେମାନେ ପ୍ରତିହତ କରାଇବା ସହ ପୂର୍ବରୁ ସେମାନେ ଏକାଥରେ ମାସର ପ୍ରଥମ ସପ୍ତାହରେ ସମସ୍ତ ପାରିଶ୍ରମିକ ପାଉଥିବା ବେଳେ ଏବେ କିନ୍ତୁ ମିଳୁ ନାହିଁ। ଡିୟୁଟିରେ ଥିଲା ବେଳେ ମୃତ୍ୟୁବରଣ କଲେ ଆଶାକର୍ମୀ ଟିଏ ପରିବାର ସହାୟତା ପାଇଁ ୫ଲକ୍ଷ ଟଙ୍କା ପାଏ ନାହିଁ। ପ୍ରମୋସନ ଓ ପେନସନ ଏକ ଜନମଙ୍ଗାଳକାରୀ ଦେଶରେ କାର୍ଯ୍ୟକାରୀ ହେଉଥିଲା ବେଳେ ଏହା ସେମାନଙ୍କ ପାଇଁ ପ୍ରଜୁଯ୍ୟ ହୋଇନାହିଁ। ଆଶାକର୍ମୀକୁ ସିମ୍ ମିଳିଛି କିନ୍ତୁ ଏକ ମୋବାଇଲି ସେଟ୍ ଦେବା ସହିତ କାମ କରିବା ପାଇଁ ସ୍ଫୁଟି, ମାସିକ ପାରିଶ୍ରମିକ ୨୬ ହଜାର ଟଙ୍କା ପ୍ରଦାନ ଆଦି ଦାବୀରେ ଏକ ବିଶାଳ ଶୋଭାଯାତ୍ରା ତିନିମୁହାଣି ଠାରୁ ସୋହାନା ବେଗମ୍, ନନ୍ଦିନୀ ସ୍ୱାଇଁ, ଭଗବତୀ ନାୟକ, ରଞ୍ଜୁଲତା ବେହେରା, ସୁକାନ୍ତ ବେହେରା, ଜିଲ୍ଲା ଉପସଭାପତି ଭଜହରୀ ପ୍ରଧାନ ଏଆଇଟିୟୁସିର ନେତା ସାଥୀ ଅକ୍ଷୟ ମଳିକ, ସାଥି ଅଜୟ ସାମଲ, ସାଥୀ ରୀନାରାଣୀ ସାହୁ, ସୁମିତ୍ରା ଜେନା, ସଂଯୁକ୍ତା ରାଉତ ପ୍ରମୁଖଙ୍କ ନେତୃତ୍ୱରେ ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶୋଭାଯାତ୍ରା ପହଞ୍ଚିଲା ପରେ ସେଠାରେ ଆଇନଜୀବୀ ସାଥୀ ବିକାଶ ବେଉରାଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ଜିଲ୍ଲାର ସାଧାରଣ ସଂପାଦିକା ସାଥୀ କାନ୍ତିିପ୍ରଭା ନାୟକ ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟରେ ଆଶାକର୍ମୀ ମାନେ ଭୋଗୁଥିବା କଷ୍ଟ ଓ ଦୁଃଖକୁ ନେଇ ଉଦ୍ବେଗର ସହିତ ୧୩ଦଫା ଦାବୀକୁ ଉପସ୍ଥାପନା କରିଥିଲେ। ଏହାପରେ ସଂଗଠନର ରାଜ୍ୟ ସଂପାଦିକା ସାଥି ନମିତା ସାହୁ, ବରିଷ୍ଟ ଆଇନଜୀବୀ ସାଥୀ ରମଣୀରଞ୍ଜନ ରାଉତରାୟ ଯୋଗଦେଇ ଆଶାକାର୍ମୀଙ୍କ ଦାବୀ ଗୁଡିକୁ ସରକାର ମାନିନେବା ପାଇଁ ବକ୍ତବ୍ୟ ଦେବା ସହିତ ଆସନ୍ତା ଡିସେମ୍ବର ୭ ତାରିଖ ଭୂବନେଶ୍ୱର ରାଜ୍ୟ ସମାବେଶ ପାଇଁ ଆହ୍ୱାନ ଦେଇଥିଲେ। ଏହାପରେ ଏଆଇଟିୟୁସି ନେତା ସାଥୀ ଅଜୟ ସାମଲ, ରାଜକମିକା ସିଏଚସିର ସଂପାଦିକା ସାଥୀ କବିତା ସାମଲ, ସାଥୀ ବାୟାଣୀ ବେହେରା, ରାଜନଗର ସିଏଚସି ସଭାପତି ସାଥୀ କବିତା ରାଉତ, ସାଥୀ ଶାନ୍ତିଲତା ସାହୁ, ସାଥୀ ମିନତି ସାମଲ, ପଟ୍ଟାମୁଣ୍ଡାଇ ସି.ଏଚ.ସିର ସତ୍ୟଭାମା ମହାକୁଡୁ, ପାଟକୁରା ସି.ଏଚ.ସିର ସାଥୀ ଅମିତା ନାୟକ, ସାଥୀ ଜ୍ୟୋତିର୍ମୟୀ ସ୍ୱାଇଁ, ନିର୍ମଳା ସାହୁ, ମହାକାଳପଡା ସି.ଏଚ.ସିର ରଶ୍ମିରେଖା ପରିଡା, ରୀନାରାଣୀ ଦାସ, ମାର୍ଶାଘାଇ ସି.ଏଚ.ସିର ହେମଲତା ସାହୁ, ରାଜକନିକା ସି.ଏଚ.ସିର ସଂପାଦିକା କବିତା ସାମଲ, ଏଆଇଟିୟୁସି ଜିଲ୍ଲା ସଂପାଦକ ସାଥି ବାବାଜୀ ଧଳ, ସାଥି ଆଦିକନ୍ଦ ରାଉଳ, ସାଥି ମନୋରମା ନାଥ ପ୍ରଭୃତି ବକ୍ତବ୍ୟ ଦେଇ ଆସନ୍ତା ଡିସେମ୍ବର ୭ ତାରିଖ ଭୁବନେଶ୍ୱର ସମାବେଶ ସଫଳ କରିବାକୁ ଆହ୍ୱାନ ଦେଇଥିଲେ।


