କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ୟୁଥ ପାର୍ଲିଆମେଣ୍ଟ୍
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ମାଇଁ ଭାରତ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ୟୁଥ ପାର୍ଲିଆମେଣ୍ଟ୍ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଆଦ୍ୟାରଶ୍ମୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମାଇଁ ଭାରତର ଯୁବ ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ, ପ୍ରାକ୍ତନ ପ୍ରାଧ୍ୟାପକ ଅଜୟ କୁମାର ଦାସ, ବିଶ୍ୱଜିତ ସାହୁ, ସେକ ହବିବ୍, ପ୍ରଦୀପ କୁମାର ରାଉତ ଓ ବରିଷ୍ଠ ଅଧ୍ୟାପକ ତଥା ପୂର୍ବତନ ଏନଏସଏସ ଡିପିଓ ଶିଶିରକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ଉପରେ ଆଲୋକ ପାତ କରିଥିଲେ। ଏହି ଯୁବ ପାର୍ଲ୍ୟାମେଣ୍ଟ୍ କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଏକଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ଅଭିନୟ ଓ ବକ୍ତବ୍ୟକୁ ଆଧାର କରି ତିନିଜଣ ଯୁବ ପ୍ରତିଭା ଉମେଶ ଚନ୍ଦ୍ର ଆଚାର୍ଯ୍ୟ, ସତ୍ୟରମଣ ତ୍ରିପାଠୀ ଓ ଅଭିଷେକ ପଣ୍ଡା ପ୍ରମୁଖଙ୍କୁ କୃତି ପ୍ରତିଯୋଗୀ ଭାବେ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା। କୃତି ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଓ ଶୁଭେନ୍ଦୁ ନାଥ ସାହୁ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଜାତୀୟ ସେବା ଯୋଜନାର ସ୍ୱେଛାସେବୀମାନେ ସହଯୋଗ କରିଥିଲେ।


