କଟକରେ ଆମ ବସ୍‌ ଦୁର୍ଘଟଣା: ମହିଳାଙ୍କ ଗୋଡ଼ ଉପରେ ଚଢ଼ିଗଲା ବସ୍

କଟକ, (ଓ୍ବାଇଏନଏସ): କଟକ ଲିଙ୍କ୍‌ ରୋଡ୍‌ସ୍ଥିତ ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ନିକଟରେ ଆମ ବସ୍‌ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି ।ଆହତ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ପ୍ରାଇମ୍‌ ହସ୍ପିଟାଲ୍‌କୁ ପଠାଇଥିବା ବେଳେ ମଧୁପାଟଣା ପୋଲିସ ବସ୍‌ଟିକୁ ଅଟକ ରଖିବା ସହ ଚାଳକଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ମଧୁପାଟଣାରୁ ବାଦାମବାଡ଼ି ଅଭିମୁଖେ ଯାଉଥିବା ଆମ ବସ୍‌ଟି ଲିଙ୍କ୍‌ ରୋଡ୍‌ର ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିବା ସମୟରେ ଏକ ସ୍କୁଟର ଓ ବିପରୀତ ଦିଗରୁ ଆସୁଥିବା ଅଟୋରିକ୍ସା ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଯୋଗୁଁ ସ୍କୁଟରରେ ଥିବା ଚାଳକ ଓ ପଛରେ ବସିଥିବା ମହିଳା ରାସ୍ତା ଉପରେ ପଡ଼ିଯାଇଥିଲେ। ଏହି ସମୟରେ ପଛରୁ ଆସୁଥିବା ଆମ ବସ୍‌ର ପଛ ଚକ ମହିଳାଙ୍କ ଗୋଡ଼ ଉପରେ ଚଢ଼ିଯାଇଥିଲା। ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ। ରାସ୍ତାରେ ପଡ଼ିଯିବା ଯୋଗୁଁ ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଆହତ ମହିଳାଙ୍କୁ ଉଦ୍ଧାର କରି ପ୍ରାଇମ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିଥିଲେ। ଖବର ପାଇ ମଧୁପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଆମ ବସ୍‌କୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ଅନ୍ୟପକ୍ଷରେ, ଦୁର୍ଘଟଣାର ଡ୍ୟାସ୍‌କ୍ୟାମ୍‌ ଫୁଟେଜ୍‌ରେ ସ୍କୁଟର ଓ ଅଟୋରିକ୍ସା ମଧ୍ୟରେ ପ୍ରଥମେ ଧକ୍କା ହେବା ଏବଂ ଏହାପରେ ସ୍କୁଟରରେ ଥିବା ଦୁଇଜଣ ରାସ୍ତାକୁ ଛିଟିକି ପଡ଼ିବାର ଦୃଶ୍ୟ ରହିଥିବା କୁହାଯାଉଛି। ପରବର୍ତ୍ତୀ ସମୟରେ ବସ୍‌ର ପଛ ଚକ ମହିଳାଙ୍କ ଗୋଡ଼ ଉପରେ ଚଢ଼ିଯାଉଥିବା ଦେଖାଯାଇଛି। ପୂର୍ବରୁ ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ ଶୁଭକାନ୍ତ ପରିଡ଼ା ବସ୍‌ଟି ମହିଳାଙ୍କ ଗୋଡ଼ ଉପରେ ଚଢ଼ାଇବା ପରେ ଚାଳକ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ। ଏଥିସହ କଟକ-ଭୁବନେଶ୍ୱର ରାସ୍ତାରେ ଆମ ବସ୍‌କୁ ନେଇ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ମଧ୍ୟ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ତେବେ ପୋଲିସର ତଦନ୍ତ ପରେ ଦୁର୍ଘଟଣାର ସମ୍ପୂର୍ଣ୍ଣ କାରଣ ସ୍ପଷ୍ଟ ହେବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ